ଧର୍ମଗଡ: ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଧର୍ମଗଡ: ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ବହୁ ସମୟରେ ନିର୍ଯାତନାର ଶିକାର ହେଉଛନ୍ତି । ଏପରି କି କିଛି ସ୍ଥାନରେ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାପାଳ ଗାଁରେ । ଗାଁର ସୁଶାନ୍ତ ଛତ୍ରିଆ (୨୪) ଦାଦନ ଖଟିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଆଜି ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ […]

dharmagarh2

Rakesh Mallick
  • Published: Saturday, 24 October 2015
  • , Updated: 24 October 2015, 11:25 AM IST

ଧର୍ମଗଡ: ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ବହୁ ସମୟରେ ନିର୍ଯାତନାର ଶିକାର ହେଉଛନ୍ତି । ଏପରି କି କିଛି ସ୍ଥାନରେ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାପାଳ ଗାଁରେ । ଗାଁର ସୁଶାନ୍ତ ଛତ୍ରିଆ (୨୪) ଦାଦନ ଖଟିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଆଜି ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଞ୍ଚଳରେ କାମ ମିଳୁ ନ ଥିବାରୁ ଅଞ୍ଚଳର ଯୁବଗୋଷ୍ଠୀ ବାହାରକୁ କାମ କରିବାକୁ ଯାଇ ଏପରି ଘଟଣାର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ମୃତ ସୁଶାନ୍ତଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସ୍ଥାନୀୟ ବିଡିଓ ରଘୁନାଥ ମୁଣ୍ଡାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ ଯେ, ଖପରାପାଳ ଗାଁର କମଳ ଛତ୍ରିୟା ଛୋଟମୋଟ କାମ କରି ପରିବାର ଚଳାଉଥିଲେ । ହେଲେ ଏକ ଦୁର୍ଘଟଣାର ଶିକାର ହୋଇ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଚିକିତ୍ସା ଲାଗି ପରିବାର ପକ୍ଷରୁ ବହୁ ଟଙ୍କା ଧାରଉଧାର କରାଯାଇଥିଲା । ଏହି ଟଙ୍କା ଶୁଝିବା ପାଇଁ କମଳଙ୍କ ବଡ ପୁଅ ସୁଶାନ୍ତ ବାହାରକୁ କାମ କରିବାକୁ ଯିବାକୁ ସ୍ଥିର କରିଥିଲେ । ଶେଷରେ ସେ କେରଳକୁ କାମ କରିବାକୁ ଦାଦନ ଶ୍ରମିକ ଭାବେ ୧୧ ମାସ ହେବ ଯାଇଥିଲେ । ବିପିସିଏଲରେ କାମ କରୁଥିବା ବେଳେ ଗତ ୨୧ ତାରିଖରେ ପ୍ରାୟ ୪୦ ଫୁଟ ତଳକୁ ଖସି ପଡି ମୃତ୍ୟୁବରଣ କରିଥିଲେ ।

ଅଜି ଗାଁରେ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଦେଢ ଘଣ୍ଟା ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡି ମୋଟର ଅଟକି ରହିଥିଲା । ସ୍ଥାନୀୟ ପୋଲିସ ଓ ବିଡିଓ ଆନ୍ଦୋଳନ ସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଅନ୍ୟ ଦାବି ପୂରଣ ଲାଗି ଜିଲ୍ଲାପାଳଙ୍କୁ ଜଣାଇବା ପରେ ରାସ୍ତାରୋକ ହଟିଥିଲା।

Related story