ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): CAAକୁ ନେଇ ସାରା ଦେଶରେ ବିରୋଧ ଦେଖା ଦେବା ପରେ ଏନେଇ କଂଗ୍ରେସକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଅପପ୍ରଚାର ଆରମ୍ଭ କରିଛି କଂଗ୍ରେସ ।
ଦେଶ ବିଭାଜନ ସମୟରେ ଯେଉଁ ଭୁଲ ହୋଇଥିଲା ତାକୁ ସୁଧାରିବାକୁ ମୋଦି ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ବହୁତ ସଂଖ୍ୟାଲଘୁ ଆସି ଭାରତରେ ବସବାସ କରୁଛନ୍ତି । ସେମାନେ ୭୦ ବର୍ଷ ଧରି ଶରଣାର୍ଥୀ ଭାବେ ନିର୍ଯାତିତ ହେଉଛନ୍ତି । ତେଣୁ ତାଙ୍କୁ ନାଗରିକତା ଦେବା ନିମନ୍ତେ ସରକାର ଚେଷ୍ଟା କରିଛନ୍ତି ।
ଅତୀତରେ ଇନ୍ଦିରା ଗାନ୍ଧି ବାଂଲାଦେଶୀଙ୍କୁ ନାଗରିକତା ଦେଇଛନ୍ତି । କିନ୍ତୁ ଏବେ ଅସହିଷ୍ଣୁ ହୋଇ କଂଗ୍ରେସ ଏହା ବିରୋଧରେ ଅପପ୍ରଚାର ଚଲାଇଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଦେଶରେ ଏବେ ହିଂସା ବଢ଼ାଇବାକୁ ଚେଷ୍ଟା କରୁଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ଏନେଇ ନିବୃତ୍ତ ପାଇଁ ଅପିଲ୍ କରିଛନ୍ତି, ଯାହାକୁ ମାନିବା ସହ ଲୋକଙ୍କୁ ସଚେତନ କରିବାକୁ ଧର୍ମେନ୍ଦ୍ର ନିବେଦନ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ ଅନୁସାରେ, ଦେଶରେ ୩ କୋଟି ପରିବାରକୁ ସଚେତନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।