ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅଂଚଳରେ ହଇଜା ଯୋଗୁ ୭ଜଣ ପ୍ରାଣ ହରାଇବା ଘଟଣାରେ ଆଜି ଗୃହରେ ରାଜ୍ୟ ସରକାର ବିବୃତ୍ତି ରଖିଛନ୍ତି । ତେବେ ଖାଦ୍ୟ ଅଭାବ ଯୋଗୁ ବିଷାକ୍ତ ଖାଦ୍ୟ ଖାଇ କେହି ଝାଡ଼ାବାନ୍ତିର ଶିକାର ହୋଇଥିବା ଖବରକୁ ସରକାର ଫାଙ୍କି ଦେଇଛନ୍ତି । କୂଅ କିମ୍ବା ଘରେ ସାଇତି ରଖାଯାଇଥିବା ପାଣି ପିଇ ଲୋକେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି ଓ ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାକୁ ଅବଗତ କରାଇଛନ୍ତି ।
କାଶୀପୁରରେ ଝାଡ଼ାବାନ୍ତି ଘଟଣାକୁ ନେଇ ଗୃହରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ସୋମବାର ସୁଦ୍ଧା ବୟାନ ରଖିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଥିଲେ । ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, କାଶୀପୁର ବ୍ଲକର ଟିକିରି ଗ୍ରାମରେ ଝାଡ଼ାବାନ୍ତି ହେବାର ଖବର ଜୁଲାଇ ୧୨ତାରିଖରେ ମିଳିଲା ପରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିଲେ । ଜିଲ୍ଲାପାଳ, ସିଡିଏମଓ, ମେଡିକାଲ ଟିମ୍ ସହ ପ୍ରଭାବିତ ଅଂଚଳ ପରିଦର୍ଶନ କରି ସମସ୍ତ ପଦକ୍ଷେପ ନେଉଛନ୍ତି । ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷ ଏବଂ ସମସ୍ତ ପ୍ରଭାବିତ ଗ୍ରାମରେ ସାମୟିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଓ ୫ଟି ମେଡିକାଲ ଟିମକୁ ମୁତୟନ କରାଯାଇ ଯୁଦ୍ଧକାଳୀନ ଭିତିରେ ଚିକିତ୍ସା ଯୋଗାଇ ଦିଆଯାଉଛି । ଆକ୍ରାନ୍ତ ମାନଙ୍କୁ ଟିକିରି ପିଏଚସି, କାଶୀପୁର ସିଏଚସି, ଟିକିରୀର ୟୁଏଆଇଏଲ୍ ହସ୍ପିଟାଲ, ରାୟଗଡାର ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି । ଯଥେଷ୍ଟ ପରିମାଣର ଓଆରଏସ, ସାଲାଇନ୍ , ଇଞ୍ଜେକସନ, ଔଷଧ, ବ୍ଲିଚିଂ ପାଉଡର, ହାଲୋଜିନ୍ ଟାବଲେଟ୍ ମହଜୁଦ ରଖାଯାଇଛି । ପ୍ରଭାବିତ ଅଂଚଳରେ ଡାକ୍ତରୀଦଳ ଦ୍ୱାରା ଘରକୁ ଘର ବୁଲି ସର୍ଭେଲାନ୍ସ କରାଯାଉଛି ।
ପ୍ରତିଦିନ ପାଣିର ନମୂନା ଓ ମଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି । ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୯ଟି ପାଣି ନମୁନା ମଧ୍ୟରୁ ୩ଟି ଜୀବାଣୁ ଦ୍ୱାରା ପ୍ରଦୂଷିତ ଥିବାର ପ୍ରମାଣ ମିଳିଛି, ଯାହାର ଉତ୍ସ କୂଅ କିମ୍ବା ଘରେ ସାଇତା ଯାଇଥିବା ପାଣି। ତେଣୁ କାଶୀପୁରରେ ଝାଡା ବାନ୍ତି ଦୂଷିତ ପାନୀୟ ଜଳରୁ ହୋଇଛି । ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ଅଟେ । ସରକାର ଏହା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଏବଂ ଏହାର ନିରାକରଣ ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ।
ଆଶା, ସ୍ୱାସ୍ଥ୍ୟ କର୍ମଚାରୀ, ଏଏନଏମ, ଏନଜିଓମାନଙ୍କ ଦ୍ୱାରା ଶୁଦ୍ଧ ଓ ନିରାପଦ ପାନୀୟ ଜଳ ପିଇବା ପାଇଁ ପ୍ରଚାର କରାଯାଉଛି । ଏହାବ୍ୟତୀତ ପାଣିର ଉତ୍ସକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୁଦ୍ଧ କରାଯାଉଛି ଓ ସମସ୍ତ ଗାଁରେ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଛି । ପ୍ରଭାବିତ ଗାଁରେ ୪ଟି ଆମ୍ବୁଲାନ୍ସ ମୁତୟନ ହୋଇଛି । ସହୀଦ ଲକ୍ଷ୍ମଣ ନାୟକ ଭେସଜ ମହାବିଦ୍ୟାଳୟ, କୋରାପୁଟରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ମଧ୍ୟ କାଶୀପୁରରେ ମୂତୟନ କରାଯାଇଛି । ତ୍ୱରିତ ଚିକିତ୍ସା ଯୋଗାଇଦେବା ପାଇଁ ଟିକିରିଠାରେ ୫୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ।
ସେହିପରି ମୃତ ୭ ଜଣ ପରିବାର ମଧ୍ୟରୁ ୬ଟି ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି ତଥା ସେମାନେ ମାସିକ ରାସନ ଖାଦ୍ୟ ସାମଗ୍ରୀ ପାଉଛନ୍ତି । କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମପଂଚାୟତର ୩୪୦୫ ପରିବାରର ୧୦,୫୧୪ ସଦସ୍ୟଙ୍କୁ ସାଧାରଣ ବଂଟନ ବ୍ୟବସ୍ଥାରେ ସାମିଲ କରାଯାଇ ଖାଦ୍ୟ ନିରାପତ୍ତା ଯୋଗାଇ ଦିଆଯାଇଛି, ଯାହାକି ପଂଚାୟତର ୨୦୧୧ ଜନଗଣନା ଅନୁଯାୟୀ ମୋଟ ଜନସଂଖ୍ୟାର ୯୧% ଅଟେ । ଏସବୁ ପରିବାରକୁ ନିୟମିତ ମାସିକ ରାସନ ସାମଗ୍ରୀ ବ୍ୟତୀତ କୋଭିଡ୍ ମହାମାରୀ ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବିଗତ ୨୫ ମାସ ଧରି ଅତିରିକ୍ତ ଖାଦ୍ୟଶସ୍ୟ ସହିତ ଡାଲି ବିନା ମୂଲ୍ୟରେ ଓ ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ସୂଚନାଯୋଗ୍ୟ, ଖାଦ୍ୟ ଅଭାବରୁ ପ୍ରଦୂଷିତ ଖାଦ୍ୟ ଖାଇବାରୁ କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।