ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ଚଳାଚଳ ଖୁବଶୀଘ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ଖୁବଶୀଘ୍ର ସିଧାସଳଖ ବିମାନ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ମାର୍ଗରେ ବିମାନ ଚଳାଚଳ ପାଇଁ ଯେଉଁ କମ୍ପାନୀ ରାଜି ହେବେ, ରାଜ୍ୟ ସରକାର ତାକୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁବାଇ ଗସ୍ତ ଶେଷକରି ଆଜି ରାତି ସାଢ଼େ ୧୧ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ […]

Aeroplane

Ordigital Desk
  • Published: Thursday, 30 June 2022
  • , Updated: 30 June 2022, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ଖୁବଶୀଘ୍ର ସିଧାସଳଖ ବିମାନ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ମାର୍ଗରେ ବିମାନ ଚଳାଚଳ ପାଇଁ ଯେଉଁ କମ୍ପାନୀ ରାଜି ହେବେ, ରାଜ୍ୟ ସରକାର ତାକୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁବାଇ ଗସ୍ତ ଶେଷକରି ଆଜି ରାତି ସାଢ଼େ ୧୧ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର-ଦୁବାଇ ମଧ୍ୟରେ ଖୁବଶୀଘ୍ର ସିଧାସଳଖ ବିମାନ ଚଳାଚଳ କରିବ ବୋଲି କହିଛନ୍ତି । ୟୁଏଇରେ ପ୍ରାୟ ଏକ ଲକ୍ଷ ଓଡ଼ିଆ ରହୁଥିବାବେଳେ ଭୁବନେଶ୍ୱରରୁ ସିଧାସଳଖ ବିମାନ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି । ପ୍ରବାସୀ ଓଡ଼ିଆଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ କହିଛନ୍ତି ଯେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ସେବା ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଭାଏବିଲିଟି ଗ୍ୟାପ ପାଣ୍ଠି(ଭିଜିଏଫ) ସୃଷ୍ଟି କରିସାରିଛନ୍ତି ।

ସେହିପରି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ ଯେ, ଓଡ଼ିଶା ସରକାର ଭିଜିଏଫ ଯୋଜନା ମାଧ୍ୟମରେ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ପାଇଁ ଆଗ୍ରହୀ ଥିବା ବିମାନ କମ୍ପାନୀକୁ ସବସିଡି ପ୍ରଦାନ କରିବେ । ଏହି ଯୋଜନାରେ ସରକାର ନୂଆ ମାର୍ଗରେ ବିମାନ ଚଳାଉଥିବା କମ୍ପାନୀକୁ ୩ରୁ ୬ମାସ ପର୍ଯ୍ୟନ୍ତ ଆର୍ଥିକ ସବସିଡି ପ୍ରଦାନ କରିଥାନ୍ତି । ସେହି ମାର୍ଗରେ ବିମାନ କମ୍ପାନୀକୁ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିବା ପରେ ସରକାର ଦେଉଥିବା ସବସିଡିକୁ ବନ୍ଦ କରିଦେଇଥାନ୍ତି । ଗତ ୨-୩ବର୍ଷ ପୂର୍ବରୁ ରାଜ୍ୟ ସରକାର ଭୁବନେଶ୍ୱରରୁ ମାଲେସିଆ ଓ ଥାଇଲ୍ୟାଣ୍ଡକୁ ଅନୁରୂପ ଯୋଜନାରେ ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ ।

ସୂଚନାଯୋଗ୍ୟ, ଭିଜିଏଫ ଯୋଜନାରେ ଯେଉଁ ବିମାନ କମ୍ପାନୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗରେ ବିମାନ ଚଳାଚଳ କରାଇବେ ରାଜ୍ୟ ସରକାର ସମ୍ପୃକ୍ତ କମ୍ପାନୀକୁ ଉକ୍ତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବେ । ଯାହାଫଳରେ ସମ୍ପୃକ୍ତ ବିମାନ କମ୍ପାନୀକୁ ଏହି ମାର୍ଗରେ ବିମାନ ଚଳାଇବା ପାଇଁ ଆର୍ଥିକ କ୍ଷତି ସହିବାକୁ ପଡ଼ିନଥାଏ ।

Related story