ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଏଥର ବନ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ।
ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପାଇଁ ବରିଷ୍ଠ ଓକିଲ ହରିଶ ସାଲଭେ ଲଢ଼ୁଥିବା ବେଳେ ଓଡ଼ିଶା ବିକାଶ ପରିଷଦ ପାଇଁ ଅନ୍ୟତମ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ମାମଲା ଲଢୁଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ SG ତୁଷାର ମେହେଟ୍ଟା।
ବରିଷ୍ଠ ଓକିଲ ହରିଶ ସାଲଭେ ରଥ ଯାତ୍ରା ସପକ୍ଷରେ ମାମଲା ଲଢ଼ୁଥିବା ସତ୍ତ୍ୱେ ରଥ ଯାତ୍ରା ହେବା ନେଇ ରାଜ୍ୟ ସରକାର ହାତ ଟେକି ଦେଇଥିବା ଆଲୋଚନା ହେଉଛି। କାରଣ କରୋନା ମହାମାରୀରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ସଂକ୍ରମଣମୁକ୍ତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନ କରାଯାଇ ନ ଥିଲା। ବରଂ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇନଜୀବୀ ସାଲଭେ ସର୍ବୋଚ୍ଚ କୋର୍ଟଙ୍କୁ କହିଥିଲେ ଯେ, ରଥ ଯାତ୍ରା ହେଲେ ଗୋଷ୍ଠ ସଂକ୍ରମଣ ,ଏପରିକି ଆଇନଶୱଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ମଧ୍ୟ ରହିଛି। କିନ୍ତୁ ବିନା ଭକ୍ତରେ ଅର୍ଥାତ ମେସିନା ଅବା ହାତୀ ଦ୍ୱାରା ରଥ ଟଣା ଭଳି କୌଣସି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିଲା।
ଚର୍ଚ୍ଚିତ ଓ ବରିଷ୍ଠ ଆଇନଜୀବୀଙ୍କୁ ରାଜ୍ୟ ସରକାର ମାମଲାରେ ପକ୍ଷ ରଖିବାକୁ ନିଯୁକ୍ତ କରିଥିଲେ ହେଁ ପ୍ରତିଷେଧକମୂଳକ ଏବଂ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଶ୍ରୀଯୁକ୍ତ ସାଲଭେଙ୍କ ନିରବତା ଯୋଗୁ ରଥଯାତ୍ରାର ଆୟୋଜନ ନେଇ ରାଜ୍ୟ ସରକାର ହାତ ଟେକି ଦେଇଥିବା ଚର୍ଚ୍ଚା ହେଉଛି। ଏପରିକି ସାମାଜିକ ଦୂରତା ରକ୍ଷା କରି ସାନିଟାଇଜ କରାଯାଇ କିପରି ରଥ ଯାତ୍ରା ପାଳନ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ହରିଶ ସାଲଭେ କୌଣସି ଯୁକ୍ତି ଉପସ୍ଥାପନ କରି ନ ଥିଲେ।
ସୁପ୍ରିମ କୋର୍ଟଙ୍କ ଏପରି ନିଷ୍ପତ୍ତି ଯୋଗୁ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।