ଚିଲିକାରେ ବଢ଼ିଛନ୍ତି ଡଲଫିନ୍
- Published: Sunday, 25 February 2018
- , Updated: 25 February 2018, 09:24 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାର ନୀଳ ଜଳରାଶିରେ ଖେଳୁଛନ୍ତି ଡଲଫିନ୍‌। ନିର୍ଦ୍ଦିଷ୍ଟ ଗୋଟିଏ ଅଞ୍ଚଳରେ ନୁହେଁ, ଚିଲିକାର ବିଭିନ୍ନ ପ୍ରାନ୍ତରେ ବର୍ତ୍ତମାନ ଖେଳୁଛନ୍ତି କୌତୁହଳୀ ଇରାୱାଡ଼ି ଡଲଫିନ୍‌। ଆଉଟର ଚ୍ୟାନେଲରୁ ଆରମ୍ଭ କରି ଚିଲିକାର ଦକ୍ଷିଣାଞ୍ଚଳ ଓ କେନ୍ଦ୍ରାଞ୍ଚଳ ସବୁଠି ଡଲଫିନ୍‌ଙ୍କୁ ଦେଖିବାକୁ ମିଳୁଛି। ଶନିବାର ଚିଲିକାର ସ୍ୱାସ୍ଥ୍ୟ ପରିଦର୍ଶନ ସମୟରେ କରାଯାଇଥିବା ଗଣନା ଅନୁସାରେ ଡଲଫିନ୍‌ ସଂଖ୍ୟା ବଢ଼ିଥିବା ସ୍ପଷ୍ଟ ହୋଇଛି। ପୂର୍ବବର୍ଷ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା ସର୍ଭେରେ ୧୩୪ଟି ଡଲଫିନ୍‌ ଥିଲା। ଚଳିତବର୍ଷ ଏହି ସଂଖ୍ୟା ୧୫୫ରେ ପହଞ୍ଚିଛି। କିଛିଦିନ ତଳେ ବନ ବିଭାଗ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ସଂଖ୍ୟା ୧୧୪ ଥିବା ପ୍ରକାଶିତ ହୋଇଥିଲା। ସେହି ସମୟରେ ଘେରି ଅଞ୍ଚଳକୁ ଗଣନାରେ ସାମିଲ କରାଯାଇ ନ ଥିବାରୁ ଏହି ସଂଖ୍ୟା କମ୍ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି।</p>
<p>ଘେରିମୁକ୍ତ ଦ୍ୱାରା କେବଳ ଡଲଫିନ୍‌ଙ୍କ ସଂଖ୍ୟା ବଢ଼ିନାହିଁ। କିଛି ନୂଆ ପ୍ରଜାତିର ଉଦ୍ଭିଦ ଓ ନୂତନ ପ୍ରଜାତିର ମାଛ ମଧ୍ୟ ଠାବ କରାଯାଇଛି। ଚିଲିକାରେ ନୂତନ ପ୍ରଜାତିର ସ୍ପଞ୍ଜ ମଧ୍ୟ ଦୃଷ୍ଟି ଗୋଚର ହୋଇଛି। ଏଭଳି ସୁସ୍ଥ ବାତାବରଣ ପାଇଁ କର୍ତ୍ତୃପକ୍ଷଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଓଡ଼ିଶା ମେରାଇନ୍ ଫିସରିଜ୍ ରେଗୁଲେଟୋରୀ ଆକ୍ଟ-୧୯୮୪ ଅନୁଯାୟୀ ଅଧିକାର ପାଇବା ପରେ କର୍ତ୍ତୃପକ୍ଷ ଗତ ଜୁନରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲେ। ଯେଉଁଥିରେ ଚିଲିକାର ୧୫୨ ବର୍ଗ କିଲୋମିଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଚିଲିକାରେ ମତ୍ସ୍ୟ ଉତ୍ପାଦନ ମଧ୍ୟ ବଢ଼ିଥିବା କର୍ତ୍ତୃପକ୍ଷ କହିଛନ୍ତି।</p>