ବାଲେଶ୍ୱରରେ ଡବଲ୍‌ ମର୍ଡର; ପରକୀୟା ପ୍ରୀତି ପାଇଁ ହତ୍ୟା ସନ୍ଦେହ

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ରାଣୀପାଟଣା ବ୍ୟାଙ୍କ କଲୋନୀରେ ଗତକାଲି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘର ଭିତରେ ଗୋଟିଏ ବିଛଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଦୁଇଟି ମୃତଦେହ ପଡ଼ିଛି। ସେମାନଙ୍କ ଉପରେ ଏକ କମ୍ୱଳ ଘୋଡ଼ା ଯାଇଛି। ଏହି ହତ୍ୟାକାଣ୍ଡ ନେଇ କାହା ପାଖରେ କୌଣସି ଖବର ନଥିବା ବେଳେ ମୃତ ମହିଳା ଲକ୍ଷ୍ମୀପ୍ରିୟା ସାହୁଙ୍କ ପରିବାର ଲୋକେ ତାଙ୍କ ଜ୍ୱାଇଁ କୈଳାସ(ଲକ୍ଷ୍ମୀପ୍ରିୟାଙ୍କ ପତି)ଙ୍କ ଉପରକୁ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି। ଅନ୍ୟପକ୍ଷରେ ସେ ହତ୍ୟା କରିଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି କୈଳାସ। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ହତ୍ୟାକାଣ୍ଡ କାହିଁକି ଘଟିଥିଲା? ଏହା ପଛରେ କାରଣ ରହିଛି? ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ କିନ୍ତୁ ମୁହଁ ଖୋଲୁନାହିଁ।

ଅଭିଯୋଗ ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ନୁଲୁକୁଆ ଗାଁର ପ୍ରଦୀପ ଦେ’ ବାଲେଶ୍ୱର ଟାଉନ୍‌ରେ ଏକ ମୋବାଇଲ୍‌ ଦୋକାନରେ କାମ କରନ୍ତି। ସେ କୈଳାସ ସାହୁଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ଏହି ସମୟରେ କୈଳାସଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ପ୍ରଦୀପ। ଏ ସମସ୍ତ ଘଟଣା ସମ୍ପର୍କରେ କୈଳାସ ଜାଣିଥିଲେ।

ତେବେ ଆଶଙ୍କା କରାଯାଉଛି, ଗତକାଲି ରାତିରେ ପ୍ରଦୀପଙ୍କୁ ନିଜ ପତ୍ନୀଙ୍କ ସହ ଅସଂଯତ ଅବସ୍ଥାରେ ଦେଖିଥିଲେ କୈଳାସ। ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ଲକ୍ଷ୍ମୀପ୍ରିୟା ଓ ପ୍ରଦୀପଙ୍କୁ ଏକ ଲୁହାରଡ୍‌ରେ ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାପରେ କୈଳାସ ଶ୍ୱଶୁର ଘର ଓ ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ତା’ପରେ ପୁଲିସ ପାଖରେ ସେ ଆତ୍ମସମର୍ପଣ କରିବା ସହ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

ପୁଲିସ ଆଜି ସକାଳେ କୈଳାସଙ୍କ ଘର ଖୋଜିଥିଲା। ମାତ୍ର ପାଇନଥିଲା। ବହୁ ଖୋଜା ଖୋଜି ପରେ କୈଳାସର ଘରର ସନ୍ଧାନ ମିଳିଥିଲା। ଘରୁ ଲକ୍ଷ୍ମୀପ୍ରିୟା ଓ ପ୍ରଦୀପଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡକୁ ପୁଲିସ ଜବତ କରିଛି।

ଗତକାଲି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଘରେ କୈଳାସଙ୍କ ଏକମାତ୍ର ପୁଅ ନଥିଲେ। ସେ ତାଙ୍କ ବଡ଼ବାପା(କୈଳାସଙ୍କ ଭାଇ) ପାଖରେ ଥିଲେ।