ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖି ବୁଜିଲେ ଶାଶୂଘର ଲୋକଙ୍କ ନିଆଁରେ ଜଳିପୋଡ଼ି ଯାଇଥିବା ରଶ୍ମିତା ଦାସ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁର ପୀଡ଼ିତା ରଶ୍ମିତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରେ ମୃତ୍ୟୁ ହୋଇଛି। ଶରୀରର ୯୦% ପୋଡ଼ିଯାଇଥିବା ତାଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା।
୨୦୧୮ ଜୁନ୍ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। ଏବେ ବିକ୍ରମ ବିଦେଶରେ କ୍ୱାତାରରେ ଅଛନ୍ତି। ଏପଟେ ରଶ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକେ ବିଭିନ୍ନ ସମୟରେ ଗାଳି ଗୁଲଜ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଗତ ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ରଶ୍ମିତା ସୁନାଗହଣା ପିନ୍ଧି ବାପା ଘରକୁ ଯିବା ପାଇଁ ବାହାରିଥିଲେ। ଏହି ସମୟରେ ଶାଶୂ ଘର ଲୋକେ ବିରୋଧ କରିଥିଲେ। ଏତେ ସୁନାଗହଣା କାହିଁକି ପିନ୍ଧିଛୁ ବୋଲି ପଚାରିଥିଲେ ଶାଶୂ ଓ ଶ୍ୱଶୁର। ଆଉ ଶେଷରେ ରାକ୍ଷସ ପାଲଟି ଯାଇଥିଲେ ଶାଶୂ ଘର ଲୋକ। ଖଟରେ ବାନ୍ଧି କିରାସିନି ଢାଳି ତାଙ୍କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡିକାଲ୍ର ସର୍ଜିକାଲ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି ରଶ୍ମିତା।
ଏହି ମାମଲାରେ ପୁଲିସ ଅଭିଯୁକ୍ତ ଶାଶୂ, ଶ୍ୱଶୁର ଓ ଜଣେ ନଣନ୍ଦକୁ ଗିରଫ କରିଛି। ଆଉ ଜଣେ ନଣନ୍ଦ ଓ ନଣନ୍ଦେଇ ଏବେବି ଫେରାର୍ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।