ବୀରମିତ୍ରପୁର(ରାକେଶ ସାହୁ): ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଦେଇ ଯାଇଥିବା ହାତୀବାରି କାଲୋସେରିଆ ରାସ୍ତା ନିକଟରେ ହୋଇଥିବା ଏକ ଛିନ୍ତାଇ ଘଟଣାକୁ ନେଇ ବୀରମିତ୍ରପୁର ପୁଲିସକୁ ମିଳିଛି ବଡ ସଫଳତା l ଉକ୍ତ ଘଟଣାକୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଥିବା ବେଳେ ଜଣେ ନାବାଳକ ସମେତ ୫ ଅନ୍ତରାଜ୍ୟ ଡକାୟତକୁ ଗିରଫ କରିବାରେ ସଫଳ ହୋଇଛି ବୀରମିତ୍ରପୁର ପୁଲିସ l ଜାତୀୟ ରାଜପଥରେ କାର୍ଯ୍ୟ କରୁଥିବା GKC ଘରୋଇ କମ୍ପାନୀର ଏକ ଡ଼ମ୍ଫର ଚାଳକକୁ ମରଣାନ୍ତକ ଆକ୍ରମଣ କରି ନିକଟସ୍ଥ କାଲୋସେରିଆ ଅଞ୍ଚଳରେ ଏକ କଲଭର୍ଟ ତଳେ ପକାଇ ଦୁର୍ବୃତ୍ତମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଚାଳକକୁ ଚିକିତ୍ସା ପାଇଁ ରାଉରକେଲା ଅଞ୍ଚଳର ଏକ ଘରୋଇ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା l
ଅପରପକ୍ଷରେ ଦୁର୍ବୃତ୍ତମାନେ ଚାଳକଙ୍କ ମୋବାଇଲ ଲୁଟିନେବା ସହ ଡ଼ମ୍ଫର ଟିକୁ ନେଇ ପଳାଉଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଡମ୍ପର ଟିକୁ ନେଇ ନ ପାରିବାରୁ ଡ଼ମ୍ପରଟିକୁ ଯମୁନାନାକୀରେ ଛାଡି ପଲାଇଥିଲେ l ଉକ୍ତ ଘଟଣାଟି ପୁଲିସ ପାଇଁ ଏକ ବଡ ଚାଲେଞ୍ଜ ପାଲଟିଥିବା ବେଳେ ପୁଲିସ ଏହାର ତନାଘନା ଆରମ୍ଭ କରିଥିଲା l ତେବେ ସୁନ୍ଦରଗଡ଼ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରାଯାଇଥିଲା l ଉକ୍ତ ଟିମ୍ ଝାରଖଣ୍ଡ, ଛତିଶଗଡ଼ ଓ ଆଖାପାଖ ଅଞ୍ଚଳରେ ଚଢାଉ କରିଥିଲା l
ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଝାଡ଼ଖଣ୍ଡର ବିବେକ ଆନ୍ଥୋନୀ ମିଞ୍ଜ ଓ ସୁମିତ୍ ଏକ୍କାଙ୍କୁ ଗିରଫ କରିଥିଲା। ଏଥିସହ ଘଟଣାରେ ସମ୍ପୃକ୍ତ ରାଜଗାଙ୍ଗପୁର ଅଞ୍ଚଳର ଅଙ୍କିତ ବାର୍ଲା, କୁଆଁରମୁଣ୍ଡା ଅଂଚଳର ଶୁଭମ ବେହେରା ଓ ଝାରଖଣ୍ଡ ରାଞ୍ଚି ଅଂଚଳର ଜଣେ ୧୫ ବର୍ଷର ନାବାଳକକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି l ସେମାନଙ୍କ ନିକଟରୁ ଲୁଟ ହୋଇଥିବା ଗୋଟିଏ ମୋବାଇଲ ଓ ଘଟଣା ଦିନ ବ୍ୟବହୃତ ହୋଇଥିବା ଛୁରୀକୁ ପୁଲିସ ଜବତ କରିଛି I ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତ ଆଉ କେଉଁ କେଉଁ ଘଟଣାରେ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ କରୁଛି ବୀରମିତ୍ରପୁର ପୁଲିସ l ଏ ନେଇ ବୀରମିତ୍ରପୁର ଥାନା ପରିସରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ମାନସ ରଞ୍ଜନ ପ୍ରଧାନ I
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।