ଭୁଲିଗଲେ ରକ୍ତ ସମ୍ପର୍କ: ନାବାଳିକାଙ୍କୁ ନିର୍ଯାତନା ଦେଉଥିଲେ ବଡ଼ ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଉଣୀ ବିରୋଧରେ ନାବାଳିକା ଭଉଣୀର ଅଭିଯୋଗ। ରକ୍ତ ସମ୍ପର୍କକୁ ଭୁଲି ଦୀର୍ଘ ୬ମାସ ଧରି ନାବାଳିକା ଭଉଣୀକୁ ଅକଥନୀୟ ନିର୍ଯାତନା ଦେଉଥିଲେ ବଡ଼ବାପା ଝିଅ ଭଉଣୀ ଓ ଭିଣୋଇ। ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଭଉଣୀ ଜଣକ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଭଉଣୀ ଓ ଭିଣୋଇଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଯାଜପୁର ଅଞ୍ଚଳର ନାବାଳିକାଙ୍କ ଘରେ ଆର୍ଥିକ ସ୍ଥିତି ଭଲ ନଥିଲା। ସାବତ ମାଆଙ୍କ କଥାରେ ପଡ଼ି ଭୁବନେଶ୍ୱର ବଡଗଡ଼ରେ ରହୁଥିବା ବଡ଼ବାପାଙ୍କ ଭଉଣୀ ଓ ଭିଣୋଇଙ୍କ ପାଖକୁ ଚାଲି ଆସିଥିଲେ। ଏଠାରେ ରହି ଭୁବନେଶ୍ୱରର ଏକ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ। ତେବେ ଏଠାରେ ତାଙ୍କୁ ଭଉଣୀ ଓ ଭିଣୋଇ ନାନା ନିର୍ଯାତନା ଦେଉଥିଲେ। ତାଙ୍କ ହାତ ଓ ଗୋଡର ଦାଗ ଦେଖିଲେ ଜାଣିପାରିବେ ନିର୍ଯାତନା କେତେ ଭୟଙ୍କର ଥିଲା? ତେବେ ନର୍ଯାତନା ଅସହ୍ୟ ହେବାରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି।

ନାବାଳିକା ଜଣକ କହିଛନ୍ତି-“ବଡ଼ବାପା ଝିଅ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିଲି। ଏଠାରେ ପାଠ ପଢ଼ିବା ସହିତ ତାଙ୍କ ଘର କାମ ସବୁ କରେ। କାମ କରିନପାରିଲେ ମୋତେ ମାଡ଼ ମାରୁଥିଲେ। କଣ ପାଇଁ ମାରନ୍ତି ମୁଁ ଜାଣିନାହିଁ?”