ବିଧାୟକଙ୍କ ନିର୍ଦ୍ଦେଶରେ ଜେଇଙ୍କୁ ଚାପୁଡ଼ା ମାରିଥିଲେ ନିର୍ବାହୀ ଯନ୍ତ୍ରୀ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପିଡବ୍ଲ୍ୟୁଡିର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଅଡ଼ୁଆ ବଢ଼ିଯାଇଛି। ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଜେଇ ଜୟକାନ୍ତ ବି ମୁହଁ ଖୋଲିଛନ୍ତି। ସେ ଆଜି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି ଯେ, ଘଟଣାସ୍ଥଳରେ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ଜୟକାନ୍ତ କହିଛନ୍ତି,“ ବିଧାୟକ ସାର୍ ରାସ୍ତା କାମ ତଦାରଖ ପାଇଁ […]

jayakanta

Jitendra Garnayak
  • Published: Friday, 07 June 2019
  • , Updated: 07 June 2019, 01:57 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପିଡବ୍ଲ୍ୟୁଡିର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ଅଡ଼ୁଆ ବଢ଼ିଯାଇଛି। ଏନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଜେଇ ଜୟକାନ୍ତ ବି ମୁହଁ ଖୋଲିଛନ୍ତି। ସେ ଆଜି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି ଯେ, ଘଟଣାସ୍ଥଳରେ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ।

ଜୟକାନ୍ତ କହିଛନ୍ତି,“ ବିଧାୟକ ସାର୍ ରାସ୍ତା କାମ ତଦାରଖ ପାଇଁ ଆସିଥିଲେ। ରାସ୍ତାକାମ ଦେଖିବା ପରେ ନିମ୍ନମାନର କାମ ହୋଇଥିବା କହିଥିଲେ। ଏହା ପରେ ତମକୁ ଦଣ୍ଡ ଦରକାର ବୋଲି ମୋତେ କହିଥିଲେ। ଏମିତି କାମ ହୁଏନି ବୋଲି କହିବା ସହିତ ମୋତେ ୧୦୦ଥର ଉଠବସ ହେବାକୁ କହିଥିଲେ। ଲୋକଙ୍କ ଭୟରେ ମୁଁ ୧୦୦ ଥର ଉଠବସ ହୋଇଥିଲି। ପରେ ବିଧାୟକ ସାର୍ ମୋତେ ଚାପୁଡ଼ା ମାରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ। ସେ ମୋତେ ମଧ୍ୟ ଗୋଟିଏ ଚାପୁଡ଼ା ପକାଇଥିଲେ।”

ସେ ଆହୁରି କହିଛନ୍ତି,“ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଉଠବସ ହୋଇଥିଲି। ଲଜ୍ଜାଜନକ ପରିସ୍ଥିତି ଦେଖି ସେତେବେଳେ ମୁଁ କିଛି କହିପାରି ନ ଥିଲି ଓ ସାଙ୍ଗଙ୍କ ସହିତ ଖରିଆର ପଳାଇଥିଲି।”

ଏ ଘଟଣାରେ ଜୟକାନ୍ତ ପତ୍ନୀ ଥାନାରେ ବିଧାୟକ ସରୋଜ ମେହେରଙ୍କ ନାଁରେ ଏତଲା ଦେଇଥିବା ବେଳେ ପୁଲିସ୍ ମାମଲା ରୁଜୁ କରିଥିବା ନେଇ ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାୟକ ସୂଚନା ଦେଇଛନ୍ତି। ଆଇପିସି ସହ ଏସ୍‌ସି ଓ ଏସ୍‌ଟି ଆକ୍ଟ ଅନୁଯାୟୀ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ବିଧାୟକ ସରୋଜ ମେହେର ନିଜେ ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ ମଧ୍ୟରେ ଶହେ ଥର ଉଠବସ ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଧାୟକଙ୍କ ଦବଙ୍ଗଗିରି ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏନେଇ ଟିଭିରେ ଖବର ପ୍ରସାରଣ ହେବା ପରେ ଜୟକାନ୍ତଙ୍କ ପତ୍ନୀ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ବିଧାୟକ ଓ ତାଙ୍କର କର୍ମୀମାନେ ଘରୁ ଡାକି ନେଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକି ତାଙ୍କ ସ୍ୱାମୀଙ୍କୁ ଜାତି‌ଆଣ ଆକ୍ଷେପ ସହ ଶାରୀରିକ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରିଥିଲେ।

ଏ ଘଟଣାକୁ ରାଜ୍ୟ ବିଜେପି କଡ଼ା ନିନ୍ଦା କରିବା ସହିତ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ପାଟଣାଗଡ଼ ବିଧାୟକ ଆଇନକୁ ହାତକୁ ନେଇଛନ୍ତି। ସେ ଗୁଣ୍ଡା ଭଳି ଆଚରଣ କରିଛନ୍ତି। ସଭ୍ୟ ସମାଜରେ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।

ସେ ଆହୁରି କହିଛନ୍ତି, ବିଧାୟକ ଗତକାଲି ନିଜ ଭୁଲ୍ ସ୍ୱୀକାର କରିସାରିଛନ୍ତି। ପୁଲିସ୍‌କୁ ଆଉ କ’ଣ ପ୍ରମାଣ ଦରକାର। ତାଙ୍କୁ କାହିଁକି ଗିରଫ କରାଯାଉନାହିଁ। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ସେହିଭଳି ରାଜ୍ୟ ଡିପ୍ଲୋମା ଇଞ୍ଜିନିୟର୍ସ ସଂଘ ମଧ୍ୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

ଅନ୍ୟପକ୍ଷରେ ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ ଗତକାଲି ବିଧାୟକ ସରୋଜ ମେହେର ଏ ଘଟଣା ନେଇ ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କର ଆଉ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।
https://youtu.be/od786DOQZ60

Related story