ବାତ୍ୟାରେ ବତୁରି ଯାଇଛି ୧୦ କୋଟିରୁ ଅଧିକ ମୂଲ୍ୟର ପଟ୍ଟଚିତ୍ର
ଭୁବନେଶ୍ୱର (ଜଗଦୀଶ ଦାଶ): ଉତ୍କଳୀୟ ଐତିହ୍ୟର ଚଳନ୍ତି ଦର୍ପଣ ସାଜି ସାରା ବିଶ୍ୱକୁ କଳା ଚାତୁରୀରେ ବାନ୍ଧି ରଖିଥିବା ଶିଳ୍ପୀ ଗ୍ରାମ ହେଉଛି ରଘୁରାଜପୁର। ଏହି ଗ୍ରାମରେ ବତୁରି ଯାଇଛି କାରୀଗରଙ୍କ ବର୍ଷ ବର୍ଷର ପରିଶ୍ରମ। ଦୋହଲି ଯାଇଛି ଗୁଜୁରାଣର ଭବିଷ୍ୟତ। ବିଧ୍ୱଂସ ଓ ବିପର୍ଯ୍ୟୟକୁ ସାଙ୍ଗରେ ଧରି ଗତ ୩ ତାରିଖରେ ସମଗ୍ର ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିବା ଝଡ଼ବାତ୍ୟା ‘ଫୋନି’ ଏହି ଗାଁକୁ ଯେମିତି ଚିତ୍ରଶୂନ୍ୟ କରିଦେଇଛି। ପଟ୍ଟତିତ୍ରର ଗାଁ ରଘୁରାଜପୁର ପରିଚୟ […]
ଭୁବନେଶ୍ୱର (ଜଗଦୀଶ ଦାଶ): ଉତ୍କଳୀୟ ଐତିହ୍ୟର ଚଳନ୍ତି ଦର୍ପଣ ସାଜି ସାରା ବିଶ୍ୱକୁ କଳା ଚାତୁରୀରେ ବାନ୍ଧି ରଖିଥିବା ଶିଳ୍ପୀ ଗ୍ରାମ ହେଉଛି ରଘୁରାଜପୁର। ଏହି ଗ୍ରାମରେ ବତୁରି ଯାଇଛି କାରୀଗରଙ୍କ ବର୍ଷ ବର୍ଷର ପରିଶ୍ରମ। ଦୋହଲି ଯାଇଛି ଗୁଜୁରାଣର ଭବିଷ୍ୟତ। ବିଧ୍ୱଂସ ଓ ବିପର୍ଯ୍ୟୟକୁ ସାଙ୍ଗରେ ଧରି ଗତ ୩ ତାରିଖରେ ସମଗ୍ର ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିବା ଝଡ଼ବାତ୍ୟା ‘ଫୋନି’ ଏହି ଗାଁକୁ ଯେମିତି ଚିତ୍ରଶୂନ୍ୟ କରିଦେଇଛି।
ପଟ୍ଟତିତ୍ରର ଗାଁ ରଘୁରାଜପୁର ପରିଚୟ ଦରକାର ନାହିଁ। କେବଳ ନାମ ହିଁ ଯଥେଷ୍ଟ। ଗାଁରେ ଅଛନ୍ତି ୧୪୦ ଶିଳ୍ପୀ ପରିବାର ଓ ପାଖାପାଖି ୭୫୦ ହସ୍ତଶିଳ୍ପ କାରିଗର। ସାରା ଗାଁର ମୁଖ୍ୟ ବେଉସା ହେଉଛି ପଟ୍ଟଚିତ୍ର ସାଙ୍ଗକୁ ହସ୍ତଶିଳ୍ପ ବ୍ୟବସାୟ। ରାତି ପାହିଲେ ଏଠି କଥା କହେ କାରିଗରଙ୍କ ରଙ୍ଗତୁଳୀ। ମନ ମୋହେ ଭଳିକି ଭଳି ପାରମ୍ପରିକ ହସ୍ତଶିଳ୍ପ ସାମଗ୍ରୀ। ସେଥିପାଇଁ ଗାଁକୁ ବର୍ଷ ତମାମ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆତଯାତ ରହିଥାଏ। କିନ୍ତୁ ‘ଫୋନି’ ପରଠାରୁ ଏହି ଗାଁର ଚିତ୍ର ଯେମିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଅଚଳ ହୋଇଯାଇଛି କାରିଗରଙ୍କ ହାତ। ନଷ୍ଟ ହୋଇଯାଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ସାମଗ୍ରୀ ସାଙ୍ଗକୁ କଞ୍ଚାମାଲ୍। ଆଗକୁ ମଧ୍ୟ ସମସ୍ୟା ଆହୁରି ଜଟିଳ ହେବ। କାରଣ ହସ୍ତଶିଳ୍ପ ପ୍ରସ୍ତୁତି ପାଇଁ ଦରକାର ପଡୁଥିବା କଞ୍ଚାମାଲ ଯଥା- ନଡ଼ିଆ, ଗୁଆ, ତାଳପତ୍ର ଓ କଇଥ ଗଛ ଉପରେ ମଧ୍ୟ ପଡ଼ିଛି ଚଡ଼କ। ଏସବୁ ଗଛ ବାତ୍ୟାରେ ନଷ୍ଟ ହୋଇଯାଇଥିବାରୁ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ, କେମିତି ଚାଲିବ ସଂସାର? ସେକଥା ଭାବି ମୁଣ୍ଡରେ ହାତଦେଇ ବସିଛନ୍ତି ଶତାଧିକ ଶିଳ୍ପୀ ପରିବାର।
ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଲୀଳାମୃତକୁ ଆଧାର କରି ରଙ୍ଗ ତୁଳୀରେ ପାରମ୍ପରିକ ଚିତ୍ର ସବୁକୁ ଜୀବନ୍ତ କରି ଦେଉଥିବା ରଘୁରାଜପୁରର ଶିଳ୍ପୀଙ୍କର ବୁଡ଼ିଯାଇଛି ବେଉସା। ଲୁଣି ପବନସାଙ୍ଗକୁ ବାଲି ମାଡ଼ରେ ନଷ୍ଟ ପ୍ରାୟ ହୋଇଯାଇଛି କୋଟି କୋଟି ଟଙ୍କା ମୂଲ୍ୟର ପଟ୍ଟଚିତ୍ର ଓ ହସ୍ତଶିଳ୍ପ।
ପ୍ରାଥମିକ ଆକଳନ ଅନୁସାରେ ଝଡ଼ବାତ୍ୟାରେ ରଘୁରାଜପୁରରେ ପାଖାପାଖି ୧୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ପଟ୍ଟଚିତ୍ର ଓ ହସ୍ତଶିଳ୍ପ ସାମଗ୍ରୀ। ବେଉସା ସାଙ୍ଗକୁ ଅନେକଙ୍କର ବାସ ମଧ୍ୟ ନଷ୍ଟ ହୋଇଛି। ନିକଟରେ କ୍ଷୟକ୍ଷତିର ଅନୁଧ୍ୟାନ କରି ଫେରିଛନ୍ତି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗର ଅଧିକାରୀ। ହେଲେ ତୁରନ୍ତ କାରିଗରଙ୍କୁ ସହାୟତା ସାଙ୍ଗକୁ ପ୍ରୋତ୍ସାହନ ନ ମିଳିଲେ ମଳିନ ପଡ଼ିଯିବ ଏହି ଗାଁର ଗୌରବ।