ଚାଷୀ ସୁରକ୍ଷା ଭତ୍ତା ଅଧ୍ୟାଦେଶ ଦାବିରେ ଆମରଣ ଅନଶନରେ ବସିଲେ ଅକ୍ଷୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ସୁରକ୍ଷା ଭତ୍ତା ଅଧ୍ୟାଦେଶ ଦାବିରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ ଆଜିଠାରୁ ନିଜ ଭୁବନେଶ୍ୱର ବାସଭବନରେ ଆମରଣ ଅନଶନରେ ବସିଛନ୍ତି। ସେ ଦାବି କରିଛନ୍ତି, “ଆସନ୍ତା ୭ ତାରିଖରେ ହେବାକୁ ଥିବା ମନ୍ତ୍ରିସ୍ତରୀୟ କମିଟିର ବୈଠକ ପୂର୍ବରୁ ସରକାର ଏହି ଅଧ୍ୟାଦେଶ ଆଣନ୍ତୁ। ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏ ଭତ୍ତା ଦିଆଯାଉ। ଏହାଦ୍ୱାରା […]

farmer

farmer

Rakesh Mallick
  • Published: Sunday, 02 December 2018
  • Updated: 02 December 2018, 10:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ସୁରକ୍ଷା ଭତ୍ତା ଅଧ୍ୟାଦେଶ ଦାବିରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ ଆଜିଠାରୁ ନିଜ ଭୁବନେଶ୍ୱର ବାସଭବନରେ ଆମରଣ ଅନଶନରେ ବସିଛନ୍ତି।

ସେ ଦାବି କରିଛନ୍ତି, “ଆସନ୍ତା ୭ ତାରିଖରେ ହେବାକୁ ଥିବା ମନ୍ତ୍ରିସ୍ତରୀୟ କମିଟିର ବୈଠକ ପୂର୍ବରୁ ସରକାର ଏହି ଅଧ୍ୟାଦେଶ ଆଣନ୍ତୁ। ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏ ଭତ୍ତା ଦିଆଯାଉ। ଏହାଦ୍ୱାରା ବର୍ଷକୁ ମାତ୍ର ୨୧ ହଜାର ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଚପରାସୀଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭତ୍ତା ମିଳୁଥିବା ବେଳେ ସାରା ଦେଶର ମୁହଁର ଆହାର ଦେଉଥିବା ଚାଷୀଙ୍କୁ କାହିଁକି ଭତ୍ତା ମିଳିବ ନାହିଁ ?”

ଏହାଛଡ଼ା ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଷୀଙ୍କୁ ଗିରଫ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ସେ ଭର୍ତ୍ସନା କରିଛନ୍ତି।

 

ଅକ୍ଷୟ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କ’ଣ ଅଛି ଜାଣିବାକୁ ପଢ଼ନ୍ତୁ...

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,

ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର,

ଭୁବନେଶ୍ୱର ।

(ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଏବଂ ଚାଷୀ ସୁରକ୍ଷା ଭତ୍ତା ପାଇଁ ଅନଶନ ।)

ମହାଶୟ,

ହାର୍ଦ୍ଦିକ ଶୁଭେଚ୍ଛା । ଆପଣ ଅବଗତ ଅଛନ୍ତି ଯେ, ଗତ୯ ବର୍ଷ ହେଲା ନବନିର୍ମାଣ କୃଷକ ସଂଗଠନ ଅନବରତ ଭାବରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନକୁ ନେଇ ଓଡ଼ିଶାରେ ଏକ ଜନଆନ୍ଦୋଳନର ଧାରାକୁ ଚାଲୁ ରଖିଛି । ବାରମ୍ବାର ଧାରଣା, ସତ୍ୟାଗ୍ରହ ଓ ଜେଲ୍ ଯାତ୍ରା କରି ଆପଣ ଏବଂ ଆପଣଙ୍କ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଚେଷ୍ଟା କରିଆସିଛି । ଗତ ଅକ୍ଟୋବର ୨୯ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରା ଏବଂ ସମାବେଶକୁ ଆପଣ ଅନୁମତି ନଦେବା ଏବଂ ୧୪୪ ଧାରା ଲାଗୁ କରି ଗିରଫ କରିବା ସତ୍ତ୍ୱେ ମଧ୍ୟ ଆନ୍ଦୋଳନ ତୀବ୍ର ଭାବରେ ଆଗକୁ ବଢ଼ିଛି। ତା ପରେ ଆପଣ ନଭେମ୍ବର ୫ ତାରିଖରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହାର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଯାହାର ପ୍ରଥମ ବୈଠକ ଗତକାଲି ନଭେମ୍ବର ୨୯ ତାରିଖରେ ସଚ୍ଚିବାଳୟରେ ଅନୁଷ୍ଠିତ ହୋଇ ଦ୍ୱିତୀୟ ବୈଠକ ଡିସେମ୍ବର ୭ ତାରିଖରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବିଷୟରେ କିଛି ମତାମତ ଆପଣଙ୍କ ବିଚାରାର୍ଥେ ପ୍ରକାଶ କରୁଛି।

୧. ଆପଣ ଏବଂ ଆପଣଙ୍କ ସରକାର ପୋଲିସ ଦ୍ୱାରା ବଳ ପ୍ରୟୋଗ କରି ନବନିର୍ମାଣ କୃଷକ ସଂଗଠନର ଅହିଂସକ ଗଣତାନ୍ତ୍ରୀକ ପଦଯାତ୍ରା ଓ ସତ୍ୟାଗ୍ରହକୁ ଦୁଇ ଦୁଇ ଥର ରାଜଧାନୀରେ ବିଧାନସଭା ଯିବାକୁ ନ ଦେଇ ଗିରଫ କଲେ କାହିଁକି ? (ଡିସେମ୍ବର ୧୪, ୨୦୧୬ରେ ଆପଣ ଆମ ସହିତ ହଜାର ହଜାର ଲୋକଙ୍କୁ ଗିରଫ କଲେ ଏବଂ ନଭେମ୍ବର ୫, ୨୦୧୮ରେ ମଧ୍ୟ ରାଜଧାନୀରେ ପ୍ରବେଶ କରିବାକୁ ଦିଆନଯାଇ ଲୋକମାନଙ୍କୁ ରାସ୍ତା ଉପରୁ ଉଠାଇ ନିଆଗଲା।) କ’ଣ ପାଇଁ ଆପଣଙ୍କର ଏ ଡର ? ଆମେ ତ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ରାସ୍ତାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଆଗକୁ ନେଇ ବଢ଼ୁଛୁ। ଆମ ହାତରେ ତ କୌଣସି ଅସ୍ତ୍ରଶସ୍ତ୍ର ନାହିଁ, ବାଡ଼ି ଖଣ୍ଡିଏ ବି ନାହିଁ। ତଥାପି ଡର କାହିଁକି ? କ’ଣ ପାଇଁ ସମ୍ବିଧାନରେ ଥିବା ଧାରା-୧୯- ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ଆପଣ ଛଡ଼ାଇ ନେଉଛନ୍ତି ? ଯେଉଁ ଅଧିକାର ପାଇଁ ବ୍ରିଟିଶ ବିରୋଧରେ ବାର ବର୍ଷର ବାଜି ରାଉତ ଠାରୁ ଆରମ୍ଭ କରି ସହିଦ୍ ଭଗତ ସିଂ, ନେତାଜୀ ସୁବାଷ ଏବଂ ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଲୋକ ବଳିଦାନ ଦେଲେ, ଜେଲ ଗଲେ, ସେହି ଅଧିକାରକୁ ଦେଶର ଦ୍ୱିତୀୟ ଈଶ୍ୱର ଅନ୍ନଦାତା ଚାଷୀଠାରୁ କିପରି ଛଡ଼େଇ ନେଲେ ? ତାହା ପୁଣି ୮୦ ଭାଗ ଚାଷୀଙ୍କ ଦ୍ୱାରା ଭୋଟ ଦେଇ ନିର୍ବାଚିତ କରିଥିବା ପ୍ରତିନିଧିମାନଙ୍କ ବିଧାନସଭା ଦ୍ୱାରା ?

୨. ଆପଣ ଜାଣିଛନ୍ତି, ଆମର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ ରୂପୀ ଦାବୀଗୁଡ଼ିକ ମଧ୍ୟରେ ଏଥର ପଦଯାତ୍ରାରେ ଆମେ ୨୦ ବର୍ଷ ବୟସର ଚାଷୀକୁ ମାସିକ ସୁରକ୍ଷା ଭତ୍ତା ୫ହଜାର ଟଙ୍କା ହିସାବରେ ବାର୍ଷିକ ବଜେଟ୍‌ରେ ୩୬ଲକ୍ଷ ଚାଷୀଙ୍କ ପାଇଁ ୨୧,୬୦୦ କୋଟି ଟଙ୍କା ଦାବି କରୁଛୁ। ଯାହାର ଆଧାର ହେଉଛି, ସମ୍ବିଧାନର ଧାରା ୨୧- ମୌଳିକ ଅଧିକାରର ସୁରକ୍ଷା। ଦେଶକୁ ସେବା ଦେଉଥିବା ଚପରାସୀ ଠାରୁ ଆରମ୍ଭ କରି ସୈନିକ, ବୈଜ୍ଞାନିକ, ଡାକ୍ତର, ଇଂଜିନିୟର ଏବଂ ନେତା- ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସୁରକ୍ଷା ଭତ୍ତା ଲାଗୁ ହେଲା ବେଳେ କ’ଣ ପାଇଁ ପ୍ରତି ମୁହୁର୍ତ୍ତରେ ବିପଦ ମୁଣ୍ଡେଇ ଦେଶର ପେଟକୁ ସେବା ଦେଉଥିବା କୃଷକ ପାଇଁ ତାହା ଲାଗୁ ହେବ ନାହିଁ ? ଏ ଦାବି କେବଳ ଆମେ କରୁନୁ, ଦେଶର ବିଭିନ୍ନ ପ୍ରାନ୍ତରୁ ଏହାର ସ୍ୱର ଉଠିବା ଆରମ୍ଭ ହେଲାଣି ।

ଏଥିପାଇଁ, ବିନମ୍ର ନିବେଦନ, ଆପଣ ସମ୍ବିଧାନର ଧାରା - ୧୯ ଅନୁଯାୟୀ କୃଷକର ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ତାଠାରୁ ଭବିଷ୍ୟତରେ ଛଡ଼ାଇ ନନେବା ସହିତ ସମ୍ବିଧାନର ଧାରା ୨୧ - ଜୀବନର ଅଧିକାରକୁ ସୁରକ୍ଷା ଦେଇ ସୁରକ୍ଷା ଭତ୍ତାର ବ୍ୟବସ୍ଥା ସୁନିଶ୍ଚିତ କରାନ୍ତୁ । ଏଥିପାଇଁ ଚାଷୀ ସମସ୍ୟା ବିଷୟରେ ଆଲୋଚନା କରିବାର ଅବକାଶ ନାହିଁ। ସ୍ୱାଧୀନତାର ୭୨ ବର୍ଷ ଭିତରେ ଦେଶରେ ୩ ଲକ୍ଷ ୨୦ ହଜାର ଚାଷୀ ଆତ୍ମହତ୍ୟା କରି ସାରିଲେଣି, ଯେତିକି ଡେରି ହେଉଥିବ, ସେତିକି ଆତ୍ମହତ୍ୟା ବଢ଼ି ଚାଲିଥିବ। ବରଂ ବାତ୍ୟା ଓ ବନ୍ୟାଠାରୁ ବହୁତ ଅଧିକ ଭାବରେ ଏହି ଗମ୍ଭୀର ସମସ୍ୟାକୁ ହୃଦୟଙ୍ଗମ କରି ଏକ ଅଧ୍ୟାଦେଶ ତୁରନ୍ତ ଲାଗୁ କରିପାରିଲେ, ଚାଷୀକୂଳ ଉପକୃତ ହେବେ। ଅଧ୍ୟାଦେଶ ଆଣିବା ପରେ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା କରାଯାଇପାରେ। କିନ୍ତୁ, ବିନା ଅଧ୍ୟାଦେଶରେ ଆଲୋଚନାର ନାଟକ କରିବା କେବଳ ସମୟ ଅପଚୟ ବ୍ୟତୀୟ ଆଉ କିଛି ନୁହେଁ ।

ବାରମ୍ବାର କହିବା ସତ୍ତୱେ ମଧ୍ୟ ଏ ପର୍ଯ୍ୟନ୍ତ ଆପଣ ନିର୍ଣ୍ଣୟ ନ ନେଉଥିବାରୁ ବାଧ୍ୟ ହୋଇ ଆସନ୍ତାକାଲି ଡିସେମ୍ବର, ୨ ତାରିଖରୁ ଆମରଣ ଉପବାସର ରାସ୍ତା ବାଛି ନେଉଛି। ଜାଣିଛି, ମୋ ଭଳି ଜଣେ ଫକୀର ଲୋକ ଆପଣଙ୍କ ଅମାପ କ୍ଷମତା ଆଗରେ କିଛି ନୁହେଁ, କିନ୍ତୁ ଧର୍ମ, ନ୍ୟାୟ ଓ ସତ୍ୟର ରାସ୍ତାରେ ନିଜକୁ ବଳି ଛଢେଇ ଦେବା ବ୍ୟତୀତ ଅନ୍ୟ କିଛି ରାସ୍ତା ନାହିଁ। ରହୁଛି।

ଆପଣଙ୍କର

ଅକ୍ଷୟ କୁମାର

ପ୍ରତିଷ୍ଠାତା/ ରାଷ୍ଟ୍ରୀୟ ସଂଯୋଜକ

ନବନିର୍ମାଣ କୃଷକ ସଂଗଠନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos