ସ୍ଥିତି ବିଗିଡ଼ିବା ପରେ ନେତାଙ୍କୁ ଖୋଜିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମୁକାବିଲା କାର୍ଯ୍ୟରୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ଦୂରେଇ ରଖିଥିବା ରାଜ୍ୟ ସରକାର ଏବେ ପରିସ୍ଥିତି ଅଣାୟତ୍ତ ହେବାପରେ ନେତାମାନଙ୍କ ସହଯୋଗ ନେଇଛନ୍ତି। ଆଉ ସେମାନଙ୍କ ମତାମତ ବି ଲୋଡ଼ୁଛନ୍ତି। ସବୁବେଳେ ଅଫିସରମାନଙ୍କୁ ଧରି କରୋନା ପରିସ୍ଥିତିର ସମୀକ୍ଷା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଞ୍ଜାମ ଏବଂ ଆଜି ଖୋର୍ଦ୍ଧା ଓ କଟକ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧି(ବିଧାୟକ ଓ ମନ୍ତ୍ରୀ)ମାନଙ୍କୁ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଛନ୍ତି। କରୋନା ମହାମାରୀରେ ଦୁର୍ନୀତିରେ ଅଫିସରମାନଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା, ନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ଓ ବିଶେଷକରି କରୋନା ସ୍ଥିତି ବିିଗିଡ଼ିବା ପରେ ରାଜ୍ୟ ସରକାର ନିଜର ଅଫିସରକେନ୍ଦ୍ରିକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମରେ କରୋନା ପରିସ୍ଥିତିର ସମୀକ୍ଷା କରିଥିଲେ। ଗଞ୍ଜାମ ପାଇଁ ଅତିରିକ୍ତ ୨୫କୋଟି ଟଙ୍କା ବ୍ୟବସ୍ଥା କରିବା ସହ ବାଚସ୍ପତି ଶ୍ରୀ ପାତ୍ର ଓ ମନ୍ତ୍ରୀ ଶ୍ରୀ ଆରୁଖ ଦେଇଥିବା ପରାମର୍ଶ ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଞ୍ଜାମରେ କରୋନା ସ୍ଥିତି ଏବେ ଅଣାୟତ୍ତ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ସମୀକ୍ଷା ଆଳରେ ରାଜ୍ୟ ପ୍ରଶାସନ ଏବେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୁରୁତ୍ୱ ଦେବାକୁ ପ୍ରୟାସ କରିଛି।
ଠିକ୍ ସେହିଭଳି ଆଜି କଟକ ଓ ଖୋର୍ଦ୍ଧ(ଭୁବନେଶ୍ୱର)ରେ କରୋନା ସ୍ଥିତିର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଉଭୟ କଟକ ଓ ଭୁବନେଶ୍ୱର ପାଇଁ ୧୫କୋଟି ଟଙ୍କା ଲେଖାଏଁ ଘୋଷଣା କରିବା ସହ ଭୁବନେଶ୍ୱରର ତିନି ବିଧାୟକ ଅଶୋକ ପଣ୍ଡା(ମନ୍ତ୍ରୀ), ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ଏବଂ କଟକ ସ୍ଥିତି ବାବଦରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବସାଇ ଏହି ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରେ କରୋନା ପରିଚାଳନାରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିବା ବିଧାୟକମାନଙ୍କର ସହଯୋଗରେ ୧୩୮୫ଟି କୋଭିଡ୍ କେୟାର ହୋମ୍ ଖୁବଶୀଘ୍ର ସ୍ଥାପନ ହେବାକୁ ଯାଉଛି ବୋଲି କହିବା ସହ ସେମାନଙ୍କର ସହଯୋଗରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜରୁ ଏହା ଜଣାପଡ଼ିଛି । ଭୁବନେଶ୍ୱରର ତିନି ବିଧାୟକ ସ୍ଥାନୀୟ ଧାର୍ମିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ଏନଜିଓ ଓ ଅନ୍ୟ ସଂସ୍ଥା ସହାୟତାରେ ଏହି କୋଭିଡ୍ କେୟାର ହୋମ୍ ସ୍ଥାପନ କରିବାକୁ ଯାଉଛନ୍ତି।

ସେହିପରି କଟକରେ ପୂଜାକମିଟି ଓ ସାହି କମିଟି ସହ ସାହିବସ୍ତିର ଗୁରୁତ୍ୱ ଅଧିକ ଥିବାରୁ ଗୁରୁତ୍ୱ ସେସବୁ ଉପରେ ଧ୍ୟାନ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜିର ସମୀକ୍ଷାବେଳେ ମନ୍ତ୍ରୀ ଶ୍ରୀସ ୍‌ବାଇଁ ସର୍ଭେଲାନ୍ସ, ହୋମ୍ ଆଇସୋଲେସନ୍ ଓ ଗୁଟଖା ବ୍ୟବହାର କଡ଼ାକଡ଼ି ଭାବେ ନିଷିଦ୍ଧ କରିବାକୁ ପରାମର୍ଶ ଦେଇଥିବାବେଳେ ମନ୍ତ୍ରୀ ଶ୍ରୀ ଜେନା ଅଧିକ ପରିମାଣର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ବେଡ୍ ଓ ଆଇସିୟୁ ପାଇଁ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା କୋଭିଡ୍ ସଚେତନତା ଅଭିଯାନରେ ସାମିଲ ବ୍ୟକ୍ତିମାନଙ୍କର ବୀମା କରିବାକୁ ପ୍ରସ୍ତାବ ଦେଇଥିଲେ।

ଆଜିର ସମୀକ୍ଷା ବୈଠକବେଳେ କଟକସ୍ଥିତ ଏସସିବି ମେଡିକାଲ କଳେଜରେ ଆଉଟଡୋର ରୋଗୀଙ୍କ ସୁବିଧା ନିମନ୍ତେ ଅଧିକ ଅସ୍ଥାୟୀ ଓପିଡି ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଭୁବନେଶ୍ୱରରେ ଆଦିତ୍ୟ-ଅଶ୍ୱିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ଆଇସିୟୁ ସମେତ ୧୫୦ଟି ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ନୀଳାଚଳ ଡାକ୍ତରଖାନାରେ ୧୫ଟି ଆଇସିୟୁ ସମେତ ୧୨୬ଟି ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଚଳିତ ସପ୍ତାହରୁ କାର୍ଯ୍ୟକ୍ଷମ ହେବ।
ତେବେ ପ୍ରଶ୍ନ ଉଠୁଛି, ନିର୍ବାଚିତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଏବେ ସମୀକ୍ଷା ବୈଠକରେ ବସାଇ ମତାମତ ନେଉଥିବା ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚ ମାସଠୁ କାହିଁକି ଏହି ନେତାମାନଙ୍କୁ କରୋନା ମୁକାବିଲା କାର୍ଯ୍ୟ ଓ ସମସ୍ତ ପ୍ରକାରର ନିଷ୍ପତ୍ତିରୁ ଦୂରେଇ ରଖିଥିଲେ। ଏବେ ସ୍ଥିତି ଅଣାୟତ୍ତ ହେବାପରେ ଅଫିସରମାନଙ୍କର ଦୁର୍ବଳତା ଓ ବିଫଳତାକୁ ଲୁଚାଇବା ନିମନ୍ତେ ନେତାମାନଙ୍କ ଉପରେ ଦୋଷ ଲଦିବାକୁ ରଣନୀତି ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି।