୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ: କିଛି ନୂଆ ନାହିଁ, ସାମାଜିକ କ୍ଷେତ୍ରକୁ ଧକ୍କା, ପୁଞ୍ଜିବ୍ୟୟ ବି ହ୍ରାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଉପସ୍ଥାପିତ କରିଛନ୍ତି । ୨୦୨୨ ମାର୍ଚ୍ଚ ୩୦ରେ ଯେଉଁ କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଉପସ୍ଥାପିତ କରିଥିଲେ, ଆଜି ଆଗତ ପୂର୍ଣ୍ଣାଙ୍ଗ ବଜେଟ ପ୍ରାୟତଃ ସବୁକିଛି ସମାନ ରହିଛି । କେବଳ ପୁଞ୍ଜି ବ୍ୟୟ ପରିମାଣରେ ପ୍ରାୟ ୧୩୦୦କୋଟି ଟଙ୍କା ହ୍ରାସ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ବଜେଟର […]

Niranjan Pujari

Ordigital Desk
  • Published: Saturday, 02 July 2022
  • , Updated: 02 July 2022, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଉପସ୍ଥାପିତ କରିଛନ୍ତି । ୨୦୨୨ ମାର୍ଚ୍ଚ ୩୦ରେ ଯେଉଁ କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଉପସ୍ଥାପିତ କରିଥିଲେ, ଆଜି ଆଗତ ପୂର୍ଣ୍ଣାଙ୍ଗ ବଜେଟ ପ୍ରାୟତଃ ସବୁକିଛି ସମାନ ରହିଛି । କେବଳ ପୁଞ୍ଜି ବ୍ୟୟ ପରିମାଣରେ ପ୍ରାୟ ୧୩୦୦କୋଟି ଟଙ୍କା ହ୍ରାସ ହୋଇଛି ।

୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାର ୧୭.୬% ବୃଦ୍ଧି ପାଇଥିଲେ ମଧ୍ୟ ସାମାଜିକ କ୍ଷେତ୍ରକୁ ସବୁଠୁ ବେଶୀ ଧକ୍କା ଲାଗିଛି । ସରକାର ଏହି ଗତ ଆର୍ଥିକ ବର୍ଷରେ ସାମାଜିକ କ୍ଷେତ୍ର ପାଇଁ ୩୬.୬% ବ୍ୟୟବରାଦ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ୩୪%କୁ ହ୍ରାସ କରିଛନ୍ତି । ୨୦୨୧-୨୨ ତୁଳନାରେ ଆର୍ଥିକ କ୍ଷେତ୍ରରେ ୪.୧% ଅଧିକ ଓ ସାଧାରଣ ସେବା କ୍ଷେତ୍ରରେ ୪% ବୃଦ୍ଧି କରିଛନ୍ତି, ଯାହାକି ଚଳିତବର୍ଷର ମୋଟ ବଜେଟର ଯଥାକ୍ରମେ ୩୨.୧% ଓ ୨୫.୩ % ରହିଛି । ୨୦୨୨-୨୩ ବଜେଟରେ ରାଜ୍ୟର ମୋଟ ଘରୋଇ ଉତ୍ପାଦର ପରିମାଣ ୭ଲକ୍ଷ ୧୯ହଜାର ୪୮୧ କୋଟି ଟଙ୍କା ଆକଳନ କରାଯାଇଥିବାବେଳେ ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି ଦର୍ଶାଯାଇଛି ।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ଆଗତ କରିଥିବା ୨ ଲକ୍ଷ କୋଟି ଟଙ୍କାର ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧ଲକ୍ଷ କୋଟି ଟଙ୍କା(୫୦%), ପ୍ରଶାସନିକ ବ୍ୟୟରେ ୮୯୫୯୦କୋଟି ଟଙ୍କା(୪୪.୭୯%) ଓ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ୩୨୧୦ କୋଟି(୧.୬୧%) ଓ ରାଜ୍ୟ ସରକାରଙ୍କ ଦ୍ୱାରା ପାଣ୍ଠି ହସ୍ତାନ୍ତର ୭୨୦୦କୋଟି (୩.୬୦୫) ବ୍ୟୟବରାଦ ଧାର୍ଯ୍ୟ କରାଯାଇଛି । ଏହି ୨ଲକ୍ଷ କୋଟି ଟଙ୍କାରେ ରାଜସ୍ୱ ବ୍ୟୟ ବାବଦରେ ୧ଲକ୍ଷ ୪୫ହଜାର ୭୨୭କୋଟି ଟଙ୍କା ଓ ପୁଞ୍ଜିଗତ ବ୍ୟୟରେ ୫୪,୨୭୨କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

ଏହି ରାଜସ୍ୱ ବ୍ୟୟ ମଧ୍ୟରେ ଦରମା, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟରେ ମୋଟ ୧,୨୬,୮୫୦କୋଟି (୬୩.୪୩%) ଓ ସୁଧ ଦେୟରେ ୮୪୬୭କୋଟି(୪.୨୩%) ଆଦି ବ୍ୟୟ ସାମିଲ ଥିବା ବେଳେ ମୋଟ ପୁଞ୍ଜିଗତ ବ୍ୟୟରେ ଋଣ ପରିଶୋଧ ବାବଦରେ ୧୪୦୦୧(୭%) ଟଙ୍କାକୁ ମିଶାଇ ପୁଞ୍ଜି ବ୍ୟୟ ୩୮୭୩୨କୋଟି (୧୯.୩୭%) ଟଙ୍କା ରହିଛି । ତେବେ ୨୦୨୨-୨୩ କାମଚଳା ବଜେଟରେ ପୁଞ୍ଜିଗତ ବ୍ୟୟ ପାଇଁ ମୋଟ ୪୦୦୧୦.୬୪କୋଟି ଟଙ୍କା ସରକାର ବ୍ୟୟ ଅଟକଳ କରିଥିଲେ, ଯାହାକୁ ପୂର୍ଣ୍ଣାଙ୍ଗ ବଜେଟରେ ହ୍ରାସ କରିଛନ୍ତି ।

୨୦୨୨-୨୩ ଆର୍ଥିକ ବର୍ଷର ମୋଟ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୬୩ହଜାର ୯୬୭କୋଟି ଟଙ୍କା ଓ ରାଜସ୍ୱ ବ୍ୟୟ ୧ଲକ୍ଷ ୪୫୭୨୭କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି । ଏହି ଦୃଷ୍ଟିରୁ ରାଜସ୍ୱ ବଳକା ୧୮୨୩୯କୋଟି ଟଙ୍କା ରହିବ ଯାହାକି ରାଜ୍ୟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ ୨.୬% । ସେହିପରି ବିତ୍ତିୟ ନିଅଂଟ ୨୧୫୮୮କୋଟି ଟଙ୍କା ଆକଳନ ହୋଇଛି, ଯାହାକି ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ ।

ସେହିପରି ରାଜ୍ୟ ସରକାର ନିଜସ୍ୱ ଟିକସ ବାବଦରେ ମୋଟ ୯୪୨୦୦କୋଟି ଟଙ୍କା, କେନ୍ଦ୍ରରୁ ଅନୁଦାନ ଆକାରରେ ୩୨୭୮୮କୋଟି, କେନ୍ଦ୍ରଠୁ ଟିକସ ବାବଦରେ ୩୬୯୭୭କୋଟି ଟଙ୍କା ଓ ଋଣ ବାବଦରେ ୨୪୫୮୯କୋଟି ଟଙ୍କା ସହ ବିଭିନ୍ନ ପାଣ୍ଠିରୁ ୧୧ହଜାର କୋଟି ଟଙ୍କା ମିଳିବ ବୋଲି ବଜେଟରେ ଆକଳନ କରିଛନ୍ତି । ଯଦିଓ ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୧ଲକ୍ଷ ୮୧୩କୋଟି ଟଙ୍କା ଥିଲା ଓ ୨୦୨୨-୨୩ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୋଟ୍ ଋଣବୋଝ ୧ଲକ୍ଷ ୧୨ହଜାର ୪୦୧କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧ହଜାର ଟଙ୍କାର ରାଜ୍ୟ ପ୍ରୋଭିଡେଣ୍ଟ ଫଣ୍ଡକୁ ମିଶାଇ ମୋଟ ୨୫୫୮୯କୋଟି ଟଙ୍କା ଋଣ କରିବେ । ଯେଉଁଥିରେ ନେଟ୍ ୧୧୫୮୭କୋଟି ଟଙ୍କା ଋଣ ହେବ ଓ ବାକି ୧୪ହଜାର କୋଟି ଟଙ୍କା ଋଣ ପରିଶୋଧ ନିମନ୍ତେ ଉଦ୍ଦିଷ୍ଟ ରହିବ । ଏହି ଋଣକୁ ସରକାର ୧୦ହଜାର କୋଟି ଟଙ୍କା କାମ୍ପା ଓ ଓମ୍ବାଡ୍ ପାଣ୍ଠିରୁ, ୭ହଜାରକୋଟି ନାବାର୍ଡରୁ , ୨୨୫୯କୋଟି ଟଙ୍କା ଖୋଲା ବଜାରରୁ ଓ ଆରଇସିଠୁ ୫୦କୋଟି ଟଙ୍କା ଆଣିବେ ବୋଲି ବଜେଟରେ ଦର୍ଶାଇଛନ୍ତି ।

ଚଳିତ ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ପର୍ଯ୍ୟଟନ, ଜଳସେଚନ, ସଡ଼କ, ଗ୍ରାମୀଣ ସଂଯୋଗକୁ ବିଶ୍ୱସ୍ତରୀୟ ଭିତ୍ତିଭୂମିରେ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସୁନେଲୀ ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ସେପଟେ ପୁଞ୍ଜିବାବଦ ବ୍ୟୟରେ ପ୍ରାୟ ୧୩୦୦କୋଟି ଟଙ୍କା(କାମଚଳା ବଜେଟଠୁ) ହ୍ରାସ କରିଛନ୍ତି । ସେହିପରି କାମଚଳା ବଜେଟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବାବଦରେ ୧୮୬୪କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ପୂର୍ଣ୍ଣାଙ୍ଗ ବଜେଟରେ ଏହାକୁ ୨୬୬୪କୋଟିକୁ ବୃଦ୍ଧି କରିଛନ୍ତି ।

ସେହିପରି ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନା ବାବଦରେ କାମଚଳା ବଜେଟରେ ୨୨୫୫କୋଟି ଟଙ୍କା ଥିବାବେଳେ ପୂର୍ଣ୍ଣାଙ୍ଗ ବଜେଟରେ ୨୩୮୯କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ନୂଆ କରି ଗଠନ ହୋଇଥିବା ମିଶନ ଶକ୍ତି ବିଭାଗ ପାଇଁ ୨ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରଥମଥର ପାଇଁ ହୋଇଛି ।

ସେହିପରି ଅପ୍ରତ୍ୟାଶିତ ଅର୍ଥ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପ୍ରଥମଥର ପାଇଁ ‘ସ୍ଥିରୀକୃତ ବଜେଟ ପାଣ୍ଠି’ ନାଁରେ କର୍ପସ ଫଣ୍ଡ ସୃଷ୍ଟି କରାଯାଇଛି । ଯେଉଁଥିରେ ୧୦ହଜାର କୋଟି ଟଙ୍କା ରଖାଯାଇଛି । ମନରେଗା ଶ୍ରମିକଙ୍କୁ ଠିକ୍ ସମୟରେ ମଜୁରୀ ଦେବା ପାଇଁ ଥିବା କର୍ପସ ପାଣ୍ଠିର ପରିମାଣକୁ ୫୦୦ରୁ ୧ହଜାର କୋଟି ଟଙ୍କାକୁ ବୃଦ୍ଧି ଓ ସଙ୍କଟକାଳୀନ ଶ୍ରମିକଙ୍କ ପ୍ରବାସ ରୋକିବାକୁ ରାଜ୍ୟ ସହାୟତା ବାବଦରେ ୫୦୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେହିପରି ମନ୍ଦିର ପୁନଃବିକାଶ ବାବଦରେ ସ୍ୱତନ୍ତ୍ର ଭାବେ ୧୦୮୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

Related story