ବ୍ୟାଙ୍କରେ ଲାଗିଗଲା ନିଆଁ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଶ୍ୱେର ସ୍ଥିତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ଅନେକ କମ୍ପ୍ୟୁଟର ଜଳି ଯାଇଛି।

ଆଜି ଭୋର ପ୍ରାୟ ୩ଟା ବେଳେ ଏଠାରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ପରେ ବ୍ୟାଙ୍କର ସାଇରନ୍‌ ବାଜିଥିଲା। ସାଇରନ୍‌ ଶୁଣି ଘଟଣାସ୍ଥଳରେ ଲୋକମାନେ ପହଞ୍ଚିଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲିଭାଇବା ପାଇଁ ପାଖାପାଖି ୨ ଘଣ୍ଟା ଲାଗିଥିଲା।

ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।