୧୩ ଜିଲ୍ଲାରେ ବନ୍ୟା: ୬.୪୦ଲକ୍ଷ ଲୋକ ଏବେବି ଜଳବନ୍ଦୀ, ବାଲେଶ୍ୱରରେ ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ କୌଣସି ଘାଇ ହୋଇନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି । ଏପଟେ ଆଜି ସୁଦ୍ଧା ରାଜ୍ୟର ମୋଟ ୧୩ଟି ଜିଲ୍ଲାର ୭୮ଟି ବ୍ଲକ ଅନ୍ତର୍ଗତ ୬୪୫ଟି ପଂଚାୟତର ୨୪୮୯ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ । ଏଥିରୁ ୯୦୨ଟି ଗାଁର ୬ଲକ୍ଷ ୪୦ହଜାର ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି […]

Nilagiri1

  • Published: Monday, 22 August 2022
  • , Updated: 22 August 2022, 09:35 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖା ନଦୀରେ କୌଣସି ଘାଇ ହୋଇନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି । ଏପଟେ ଆଜି ସୁଦ୍ଧା ରାଜ୍ୟର ମୋଟ ୧୩ଟି ଜିଲ୍ଲାର ୭୮ଟି ବ୍ଲକ ଅନ୍ତର୍ଗତ ୬୪୫ଟି ପଂଚାୟତର ୨୪୮୯ଟି ଗାଁ ବନ୍ୟାରେ କ୍ଷତିଗ୍ରସ୍ତ । ଏଥିରୁ ୯୦୨ଟି ଗାଁର ୬ଲକ୍ଷ ୪୦ହଜାର ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁବର୍ଣ୍ଣରେଖା ନଦୀରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ । ଘାଇ ହେଲେ ବାଲି ବସ୍ତା ପ୍ରସ୍ତୁତ ରହିଛି । ୮ଘଂଟା ଧରି ସୁବର୍ଣ୍ଣରେଖା ନଦୀର ଜଳସ୍ତର ସ୍ଥିର ରହିଛି । ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି । ଅନ୍ୟ ନଦୀଗୁଡ଼ିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଯେହେତୁ ସୁବର୍ଣ୍ଣରେଖା ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ପାଇଁ ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ, ତେଣୁ ସମସ୍ତେ ସଜାଗ ରହିଛନ୍ତି । ରାତ୍ରିକାଳୀନ ପାଟ୍ରୋଲିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୁବର୍ଣ୍ଣରେଖାର ଜାମଶୋଳ ଘାଟଠାରେ ଜଳସ୍ତର ୫୦.୪ ଓ ରାଜଘାଟଠାରେ ୧୧.୯୦ ରହିଛି । ଉଭୟ ସ୍ଥାନରେ ଜଳସ୍ତର ହ୍ରାସ ପାଉଛି । ବାଲେଶ୍ୱରର ତଳିଆ ଅଂଚଳରୁ ଆଜି ପ୍ରାୟ ୪୦ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
ଏବେସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲା(ବାଲେଶ୍ୱର ସମେତ)ର ୭୮ଟି ବ୍ଲକର ୬୪୫ଟି ପଂଚାୟତର ୨୪୮୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ରାଜ୍ୟର ୯୦୨ଟି ଗାଁର ୬ଲକ୍ଷ ୪୦ହଜାର ଲୋକ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟାରେ ପ୍ରାୟ ୯ଲକ୍ଷ ୭୬ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଂଚଳରେ ୪୪୦ଟି ରିଲିଫ କେନ୍ଦ୍ରରେ ୧.୭୧ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ବନ୍ୟାଂଚଳରେ ୧୧ଟି ଜିଲ୍ଲାରେ ୧୬ଟି ଏନଡିଆରଏଫ, ୧୭ଟି ଓଡ୍ରାଫ, ୫୫ଟି ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି ।
ବନ୍ୟା ପ୍ରଭାବରେ ୫ଲକ୍ଷ ୬୧ହଜାର ୪୧୮ଜଣ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥିରୁ ୫ଲକ୍ଷ ୨୧ହଜାର ୫୬୦ଜଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ।
ବନ୍ୟାଂଚଳରେ ୨.୯୩ଲକ୍ଷ ପାଣି ବୋତଲ, ୧୨.୨୯ଲକ୍ଷ ପାଣି ପାଉଚ୍ ବଂଟନ କରାଯାଇଛି । ଏହାସହି ୨୦୩ଟି ଭ୍ରାମ୍ୟମାଣ ପାଣି ଟ୍ୟାଙ୍କର ମଧ୍ୟ ରହିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୧୦ଟି ମେଡିକାଲ ରିଲିଫ କେନ୍ଦ୍ର ଖୋଲାଯାଇଥିବାବେଳେ ୧୨୫ଟି ମୋବାଇଲ ହେଲଥ ଟିମ୍ ମୁତୟନ ହୋଇଛନ୍ତି । ୧.୨୨ଲକ୍ଷ ଓଆରଏସ୍ ପ୍ୟାକେଟ, ୫.୩୮ଲକ୍ଷ ହାଲୋଜିନ୍ ବଟିକା ବଂଟନ ହୋଇଛି । ଏହି ସମୟରେ ୨୩୩୬୭ଜଣ ଲୋକଙ୍କୁ ଚିକିତ୍ସା ସହାୟତା ଦିଆଯାଇଛି । ସାପ କାମୁଡ଼ିବାର ଶିକାର ହୋଇଥିବା ୩୨ଜଣଙ୍କୁ ଚିକିତ୍ସା କରାଯାଇଛି ।
ସେହିପରି ବନ୍ୟାଂଚଳରେ ୧୯୩ଟି ଭେଟେନାରୀ ଟିମ୍ ମୁତୟନ ଅଛନ୍ତି । ୪୦୭ଟି କ୍ୟାମ୍ପ ଆୟୋଜନ କରାଯାଇ ୧୮ହଜାରୁ ଅଧିକ ପଶୁଜନ୍ତୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ୧୦ଟି ଜିଲ୍ଲାକୁ ୯୧୩.୯୨ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ।

Related story