କଟକ(ଓଡ଼ିଶା ରିପୋର୍ଟର): ବସ୍ରେ ଅବକାରୀ ବିଭାଗ ଗଞ୍ଜେଇ ଖୋଜୁଥିବା ବେଳେ ମିଳିଲା ୪ ପେଟି ଟଙ୍କା। ଯାହାକୁ ନେଇ ଅବକାରୀ କର୍ମଚାରୀ ତାଜୁବ। କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏକ ବସ୍ରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ କରିଛି ଅବକାରୀ ବିଭାଗ । ପେଟିରେ ନଗଦ ୮୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ । ଅଟକ ବ୍ୟକ୍ତିଙ୍କ ଜଣଙ୍କ ହେଲେ ସୁକୁମାର ସାଓ। ସୁକୁମାରଙ୍କ ଭିଣୋଇ ସୁନା ବ୍ୟବସାୟୀ ବୋଲି ଜଣାପଡ଼ିଛି। ତାଙ୍କ ଭିଣୋଇଙ୍କ କଟକ ବାଲୁ ବଜାରରେ ଏକ ଗହଣା ଦୋକାନ ଅଛି ବୋଲି ସୂଚନା ମିଳିଛି।
କଟକରୁ କୋଲକାତା ଯାଉଥିବା ଏକ ବସ୍ରେ ଗଂଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଅବକାରୀ କର୍ମଚାରୀ ଟୋଲଗେଟ୍ ନିକଟରେ ଜଗି ରହିଥିଲା। ବସ୍ଟିକୁ ଟୋଲଗେଟ୍ ନିକଟରେ ଅଟକାଇ ଖୋଜାଖୋଜି କରିଥିଲା। ହେଲେ ବସ୍ରୁ ଗଞ୍ଜେଇ ବଦଳରେ ୪ଟି ପେଟି ଟଙ୍କା ଅବକାରୀ ବିଭାଗ ଜବତ କରିଥିଲା। ଅଟକ ଥିବା ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ, କେଉଁ କାମ ପାଇଁ ବସ୍ରେ ଏତେ ଟଙ୍କା ନେଉଥିଲେ ତାହାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।