ରାଜ୍ୟରେ ସରକାରୀ ଜମି ପରିମାଣ ସୀମିତ ହୋଇଗଲାଣି। ବିଭିନ୍ନ ସଂସ୍ଥାକୁ ଜମି ଲିଜ୍ ଓ ସ୍ଥାନାନ୍ତର ଯୋଗୁ ସରକାରୀ ଜମି ପରିମାଣ ବି ହ୍ରାସ ପାଇଲାଣି। ଏପରିକି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ପାଇଁ ମଧ୍ୟ ସରକାରୀ ଜମି ମିଳିବା କଷ୍ଟକର ହେଲାଣି। ତେଣୁ ଆଉ ମନଇଚ୍ଛା ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ନଦେଇ ବାସ୍ତବରେ ଆବଶ୍ୟକ ହେଉଥିବା ଜମିର ବିବେକାନୁମୋଦିତ ସଠିକ୍ ଆକଳନ କରାଯାଉ। ଏଭଳି ଢଙ୍ଗରେ ରାଜ୍ୟର ସମସ୍ତ ବିଭାଗର ସଚିବ,ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଚେତାଇଛି ରାଜସ୍ୱ ବିଭାଗ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗକୁ ସରକାରୀ ଜମି ହ୍ରାସ ପାଉଥିବା ନେଇ ଚେତାଇବା ସହ ବିଭିନ୍ନ ଉଦ୍ଦେଶ୍ୟରେ ସରକାରୀ ବିଭାଗଗୁଡ଼ିକୁ ସରକାରୀ ଜମି ଆବଂଟନବେଳେ ତା’ର ବାସ୍ତବ ଆବଶ୍ୟକତା ଓ ଆକଳନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ ସଂସ୍ଥାକୁ ସରକାରୀ ଜମି ଲିଜ୍ ଓ ହସ୍ତାନ୍ତର କରିବା ଯୋଗୁ ଏବେ ସରକାରୀ ଜମି ପରିମାଣ ହ୍ରାସ ପାଇଲାଣି ଓ ଏହା ସୀମିତ ମଧ୍ୟ ହେଲାଣି।
ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପାଇଁ ସରକାରୀ ଜମି ପାଇବା ମଧ୍ୟ ଏବେ କଷ୍ଟକର ହେଲାଣି। ଯେଉଁଥିପାଇଁ ଲୋକଙ୍କ ଉପଯୋଗ ନିମନ୍ତେ ବିଭିନ୍ନ ସମୟରେ ସରକାରୀ ଜମିଜମାର ରେକର୍ଡ(ଆରଓଆର)ରେ ସଂରକ୍ଷିତ ଥିବା ଜମିର କିସମ ପରିବର୍ତ୍ତନ କରିବାକୁ ମଧ୍ୟ ପଡ଼ୁଛି। ତେଣୁ ସରକାରୀ ଜମିର ବିବେକାନୁମୋଦିତ ଉପଯୋଗ କରିବା ଏବେ ଅନିବାର୍ଯ୍ୟ ହୋଇପଡ଼ିଛି।
ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ନିୟମାବଳୀ-୧୯୮୩(ଓଜିଏଲଏସ ରୁଲସ)ରେ ସେଭଳି କିଛି ବାଧ୍ୟତାମୂଳକ ପ୍ରାବଧାନ ନଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ନାନାଦି ଉଦ୍ଦେଶ୍ୟରେ ଆବଶ୍ୟକ ଜମିର ଉପଯୁକ୍ତ ଆକଳନ ନକରି ସରକାରୀ ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ପଠାଉଛନ୍ତି।
ତେଣୁ ପ୍ରଶାସନିକ ବିଭାଗଗୁଡ଼ିକ ଏଣିକି ସରକାରୀ ଜମି ହସ୍ତାନ୍ତର ପାଇଁ ପ୍ରସ୍ତାବ ପଠାଇବା ପୂର୍ବରୁ ଯେଉଁ ଉଦ୍ଦେଶ୍ୟରେ ଜମି ଆବଶ୍ୟକ ତା’ର ଉପଯୁକ୍ତ ଆକଳନ କରିବା ସହ ଜମିର ବିବେକାନୁମୋଦିତ ଓ ଆର୍ଥିକ ଉପଯୋଗ ଏବଂ ନିର୍ମାଣ ଢାଂଚା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ୨୪ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ଅମଳରେ ବିଭିନ୍ନ ସଂସ୍ଥାକୁ ମନଇଚ୍ଛା ସରକାରୀ ଜମିକୁ ବଂଟନ କରାଯାଇଛି। କ୍ୟାବିନେଟ୍ ଅନୁମୋଦନ ନାଁରେ ବିଜେଡି ସରକାର ସରକାରୀ ଜମି ଲିଜ୍ ଓ ହସ୍ତାନ୍ତର କରିଥିବାରୁ ଏବେ ରାଜ୍ୟରେ ସରକାରୀ ଜମିର ଅଭାବ ପରିଲକ୍ଷିତ ହେଲାଣି। ବିଶେଷକରି ଲୋକଙ୍କ ସ୍ୱାର୍ଥଜଡ଼ିତ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ସରକାରୀ ଜମିର ଅଭାବ ଅନୁଭୂତ ହେଉଥିବା ଜଣାପଡ଼ିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।