ଗଜଭିୟେ ନିଲମ୍ବନକୁ ନେଇ ଭିନ୍ନ ଭିନ୍ନ ମତ

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ଓ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଘଂନ ଅଭିଯୋଗରେ କେନ୍ଦ୍ରାଞ୍ଚଳ ଆଇଜି ଆର.ପି. କୋଚେଙ୍କ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଗଜଭିୟଙ୍କୁ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି । ବିଜେଡି ଦଳର ନେତାମାନେ ଏହାକୁ ଉଚିତ […]

gajviye

gajviye

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 06:20 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି। ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ଓ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଘଂନ ଅଭିଯୋଗରେ କେନ୍ଦ୍ରାଞ୍ଚଳ ଆଇଜି ଆର.ପି. କୋଚେଙ୍କ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଗଜଭିୟଙ୍କୁ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି । ବିଜେଡି ଦଳର ନେତାମାନେ ଏହାକୁ ଉଚିତ ସମୟରେ ଉଚିତ ଉଚିତ ବଦକ୍ଷେପ ବୋଲି କହିଥିବା ବେଳେ ବିଜେପି ଓ କଂଗ୍ରେସ ଏଥିରେ କିଛି ଖୁସି ହେବାର ନାହିଁ । ଲୋକଙ୍କ ଚାପରେ ସରକାର ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲେ । ହେଲେ ଏହା ନାମକୁ ମାତ୍ର ବୋଲି ଉଭୟ ଦଳର ନେତାମାନେ ଅଭିଯୋଗ କରିବା ସହ ତାଙ୍କ ଗିରଫ ଦାବି କରିଛନ୍ତି । ହାଇକୋର୍ଟ ବାର ଆସୋସିଏଶନ ସହ ବିଭିନ୍ନ ସଂଗଠନ ପକ୍ଷରୁ ଗଜଭିୟେଙ୍କ ନିଲମ୍ବନକୁ ସ୍ୱାଗତ କରାଯାଇଛି ।

ଗଜଭିୟେଙ୍କ ନିଲମ୍ୱନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଛନ୍ତି ସତୀଶଙ୍କ ବିରୋଧରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ଯେଉଁ ଅଭିଯୋଗ ଆସିଛି ତାହା ଗୁରୁତର । ଏହାର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସେ କହିଛନ୍ତି। ସାଂସଦ କଳିକେଶ ସିଂହଦେଓ ନିଜ ପ୍ରତିକ୍ରିୟାରେ କହିଛନ୍ତି ଠିକ ସମୟରେ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଆଇଛନ୍ତି । ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ, ଗଜଭିୟେ କେନ୍ଦ୍ରୀୟ ସଂସ୍ଥାର ଜଣେ ଅଧିକାରୀ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହେଲେ ତଥ୍ୟ ସଂଗ୍ରହ କରିବାକୁ ପଡିବ । ଏକଥା ବିରୋଧୀ ଦଳ ବି ଜାଣିଛନ୍ତି । ତାଙ୍କ ବିରୋଧରେ ପ୍ରାଥମିକ ତଥ୍ୟ ମିଳିବା ପରେ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଛନ୍ତି । ବିଜେପି ସରକାରଙ୍କୁ ଦୋଷ ଦେଉଛି । ଗୁଜୁରାଟ ଦଙ୍ଗା ପରେ ପୋଲିସ ଉପରେ ନରେନ୍ଦ୍ର ମୋଦି ସରକାର କି ପଦକ୍ଷେପ ନେଇଥିଲା ତାହା ବିଜେପି ନାତାମାନେ ଦେଖନ୍ତୁ ବୋଲି ସେ କହିଛନ୍ତି । ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇନାହିଁ । ସବୁ ତଥ୍ୟକୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ, ଗଜଭିୟେଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ନିଲମ୍ବିନ କରବା ସ୍ୱାଗତଯୋଗ୍ୟ। ବହୁ ବିଚାର ବିମର୍ଷ ପରେ ତାଙ୍କୁ ନିଲମ୍ବନ କରାଯାଇଛି। ସତୀଶଙ୍କଠାରୁ ପରବର୍ତ୍ତୀ ସମୟରେ ଉତ୍ତର ମଗାଯିବ। ଏହାକୁ ଭିତ୍ତି କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ‍‍ବୋଲି ସେ କହିଛନ୍ତି।

ବିଜେପିର ବରିଷ୍ଠ ନେତା ବିଶ୍ୱ ଭୂଷଣ ହରିଚନ୍ଦନ କହିଛନ୍ତି, ଏହା ଜନ ଅସନ୍ତୋଷର ପ୍ରଭାବ । ଏହା ଜନତାଙ୍କ ବିଜୟ । ସରକାର ତାଙ୍କୁ ତୁରନ୍ତ ନିଲମ୍ବନ କରିବାର ଥିଲା। ନିଲମ୍ବନ ଦଣ୍ଡ ନୁହେଁ, ଆସନ୍ତାକାଲି ଡିଜି ଅଫିସ ଘେରାଉ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବନାହିଁ । ତାଙ୍କୁ ନିଲମ୍ବନ ନୁହେଁ ବହିଷ୍କାର କରାଯାଉ ବୋଲି ବିଶ୍ୱଭୂଷଣ ଦାବି କରିଛନ୍ତି । ବିଜେପି ବରିଷ୍ଠ ନେତା ସୁରେଶ ପୂଜାରୀ କହିଛନ୍ତି ଏହା କିଛି ବଡ କଥା ନୁହେଁ । ସରକାର ନିଲମ୍ବନ କରିଛନ୍ତି, ଏବେ ଗଜଭିୟେ ବସି ବସି ଅଧା ଦରମା ପାଇବେ । ସରକାର ଯେବେ ଚାହିଁବେ ତାଙ୍କୁ ପୁଣି ନିଯୁକ୍ତି ଦେଇଦେବେ ଓ ସେତେବେଳେ ଗଜଭିୟ ବକେୟା ଦରମା ମଧ୍ୟ ପାଇଯିବେ । ସେ ଅଭିଯୋଗ କରିଛନ୍ତି ଯେ, ମାଜିଷ୍ଟ୍ରେଟ ଲାଠିଚାର୍ଜ ଲାଗି ଅନୁମତି ଦେଇ ନ ଥିଲେ । ହେଲେ ଗଜଭିୟେ ଲାଠିଚାର୍ଜ କରି ଗୁଣ୍ଡାଗିରି କରିଛନ୍ତି । ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯାଉ । ସେହିପରି ବିଜୟ ମହାପାତ୍ର କହିଛନ୍ତି ଯେ, ସରକାର ନିଜ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଗଜଭିୟେ କେନ୍ଦ୍ରାପଡାରେ ଯାହା କଲେ ଓ ଏବେ ତାଙ୍କୁ ନେଇ ଯେଉଁ ଜମି ବିବାଦ ଉଠିଛି ଏଥିରେ ତାଙ୍କୁ ନିଲମ୍ବନ ନୁହେଁ ଗିରଫ କରାଯାଉଛି ।

ସେହିପରି ନିଲମ୍ବନକୁ ନେଇ କଂଗ୍ରେସ ଦଳର ନେତାମାନେ ମଧ୍ୟ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଚାପରେ ପଡି କେବଳ ନିଲମ୍ବନ କରିଛନ୍ତି । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଗିରଫ କରାଯିବା, ଫୌଜଦାରୀ ମାମଲା ରୁଜୁ କରିବା ସହ ସିବିଆଇ ତଦନ୍ତ କରାଯିବାକୁ ଦାବି କରାଯାଇଥିଲା । ଏବେ ବି ଦଳ ଏହି ଦାବି କରୁଛି । ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି ନିଲମ୍ବନ ଠିକ ନୁହେଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା କଥା । ସେ କେନ୍ଦ୍ରାପଡା ଯେଉଁ ଗୁଣ୍ଡାରାଜ କଲେ ଓ ଏବେ ଜମି ହଡପରେ ସମ୍ପୃକ୍ତ ଅଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉଛି । କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ସରକାର ଗଜଭିୟେଙ୍କ ଭୁଲ ବୁଝି ପଦକ୍ଷେପ ନେଇଛନ୍ତି ।  ହେଲେ ପଦକ୍ଷେପ ନେବାରେ ବିଳମ୍ବ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, ଜନସାଧାରଣଙ୍କ ଚାପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯଦି ଗଜଭିୟେଙ୍କୁ ନିଲମ୍ବନ କରିବାର ଥିଲା ତେବେ ଆଗରୁ କରିଥାନ୍ତେ । ପୁରା ଘଟଣାର ସିବିଆଇ ତଦନ୍ତ କରାଯିବା ସହ ଗଜଭିୟେଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।

ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ମାନସ ରାୟ କହିଛନ୍ତି ଯେ, ଠିକ ସମୟରେ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ହାଇକୋର୍ଟ ବାର ଆସୋସିଏଶନ ସଭାପତି ଅଶୋକ ମହାପାତ୍ର କହିଛନ୍ତି, ସରକାର ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହାକୁ ଆଇନଜୀବୀ ମହଲରେ ସ୍ୱାଗତ କରାଯାଉଛି। ଆସନ୍ତାକାଲିଠାରୁ ଆମେ ପୂର୍ବପରି କାର୍ଯ୍ୟରେ ଯୋଗଦେବୁ ବୋଲି ସେ କହିଛନ୍ତି । ଆଇନଜୀବୀ ବିଭୁ ତ୍ରିପାଠୀ କହିଛନ୍ତି, ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ଏକ ଟିମ କେନ୍ଦ୍ରାପଡା ଯାଇ ସ୍ଥିତି ଯାଞ୍ଚ କରିବା ସହ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । ବାର କାଉନସିଲର ବନ୍ଦ ଡାକରା ଯୋଗୁ ଲୋକେ ହଇରାଣ ହେଉଥିଲେ, ହାଇକୋର୍ଟ ବାର ଆସୋସିଏଶନ ତା’ର ନିଷ୍ପତ୍ତିରେ ପରିବର୍ତ୍ତନ କଲେ ଲୋକେ ଉପକୃତ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos