Advertisment

ଦିଗପହଣ୍ଡି ଦୁର୍ଘଟଣା: ଘରୋଇ ବସ୍‌କୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ବସ୍‌ର ଫିଟନେସ ଥିଲା। ଘରୋଇ ବସ୍‌ଟିର ଫିଟନେସ ଥିଲା, କିନ୍ତୁ ତାକୁ ରାତିରେ ଚଲାଇବାକୁ ଅନୁମତି ଦିଆଯାଇ ନଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ବସ୍‌ ଦୁର୍ଘଟଣାକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍‌ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇନଥିଲା। ସେହିପରି ବସ୍‌ଟିର ବୀମା ମଧ୍ୟ ନଥିଲା।

Advertisment

ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ବସ୍‌ର ଫିଟନେସ ଥିଲା। ଘରୋଇ ବସ୍‌ଟିର ଫିଟନେସ ଥିଲା, କିନ୍ତୁ ତାକୁ ରାତିରେ ଚଲାଇବାକୁ ଅନୁମତି ଦିଆଯାଇ ନଥିଲା। ଦିନ ବେଳେ କେବଳ ଅଳ୍ପ ଦୂରତା ମଧ୍ୟରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା। ସେହିପରି ଏହି ବସ୍‌ଟିର ଇନ୍ସ୍ୟୁରାନ୍ସ ନଥିଲା।

ସେ କହିଛନ୍ତି, ଏହି ଘରୋଇ ବସ୍‌ର ମାଲିକ ନିୟମ ଭାଙ୍ଗିଛନ୍ତି। ରାତିରେ ଗାଡ଼ି ଚଲାଇବାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ସେ ଚଲାଇଛନ୍ତି। ତାଙ୍କର ଖାମଖିଆଲି ମନୋଭାବ ଯୋଗୁ ଏଭଳି ଏକ ଦୁର୍ଘଟଣା ଘଟିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ଯେଉଁ ଟେକ୍ନିକାଲ୍ ଓ ଅନ୍ୟାନ୍ୟ ତ୍ରୁଟି ରହିଛି, ତା’ର ତଦନ୍ତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଓ ବିଭିନ୍ନ ଦିଗକୁ ଯାଞ୍ଚ କରିବା ପରେ ସରକାରଙ୍କୁ ରିପୋର୍ଟ ଦେବେ।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌କୁ ଫିଟନେସ ସାର୍ଟିଫିକେଟ ମିଳିବା ନେଇ ପ୍ରଶ୍ନ ଉଠିଛି। କାରଣ ବସ୍‌ଟିର ରେଜିଷ୍ଟ୍ରେସନ ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୮ ମସିହା ମାର୍ଚ୍ଚ ୨୬ ତାରିଖରେ ହୋଇଥିଲା। ଏହାର ଫିଟନେସ ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ରହିଛି। ରାଜ୍ୟରେ ସ୍କ୍ରାପିଂ ପଲିସି ଲାଗୁ ହୋଇଥିବା ବେଳେ ୧୫ ବର୍ଷର ପୁରୁଣା ଗାଡିକୁ ନଷ୍ଟ କରିବାକୁ ଆଇନ୍ ଅଣାଯାଇଛି। ଏଭଳି ସ୍ଥିତିରେ ୨୫ ବର୍ଷର
ପୁରୁଣା ଘରୋଇ ଗାଡିକୁ ଫିଟନେସ ସାର୍ଟିଫିକେଟ୍ ମିଳିଲା କେମିତି, ସେନେଇ ପ୍ରଶ୍ନ ଉଠିଛି।

ବସ୍‌ର ଡ୍ରାଇଭର କେଦାର ପ୍ରଧାନ କହିଛନ୍ତି ଯେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଅଛି। ସେ ମଦ କି ଅନ୍ୟ କୌଣସି ନିଶା ସେବନ କରି ନଥିଲେ। ବସ୍‌ର ଫିଟନେସ ଠିକ୍ ଥିଲା। ରାତିରେ ଚଲାଇବାକୁ ପରମିଟ୍ ନଥିବା ନେଇ ତାଙ୍କୁ କିଛି ଜଣାନାହିଁ। ସେହିପରି ଇନ୍ସ୍ୟୁରାନ୍ସ ନଥିଲା ବୋଲି ବି ସେ ଜାଣନ୍ତି ନାହିଁ। କାରଣ ଗାଡ଼ି ମାଲିକ ସବୁ କାଗଜପତ୍ର ଠିକ୍ ଅଛି ବୋଲି କହନ୍ତି। ଓଏସ୍‌ଆର୍‌ଟିସି ବସ୍‌ଟି ଆସି ତାଙ୍କ ବସ୍‌କୁ ଧକ୍କା ଦେଲା ବୋଲି ସେ କହିଛନ୍ତି।

ରବିବାର ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଗୋଟିଏ ବସ୍‌ରେ ପ୍ରାୟ ୨୫ ଜଣ ଲୋକ ଖଣ୍ଡଦେଉଳିକୁ ଫେରୁଥିଲେ। ଆଉ ମାତ୍ର ୭ କିମି ପରେ ସେମାନେ ନିଜ ଘରେ ପହଞ୍ଚି ଯାଇଥାନ୍ତେ। କିନ୍ତୁ ଦିଗପହଣ୍ଡି ବ୍ଳକ ଖେମୁଣ୍ଡି କଲେଜ ନିକଟରେ ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ୍‌ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୧୨ ଜଣ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି। ଏହି ସମସ୍ତ ମୃତକ ଘରୋଇ ବସ୍‌ରେ ବସିଥିଲେ।

Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe