ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନରୁ ମଣିଷପଣିଆ ମାରି ଦେଉଛି କି ‘କରୋନା’ ଭୟ? ସାମାଜିକ ଦୂରତା ବଦଳରେ ମଣିଷ-ମଣିଷ ଭିତରେ ହୃଦୟଗତ ଦୂରତାକୁ ବଢ଼ାଇଦେଉଛି କି? କାରଣ କିଛି ଦିନ ତଳେ ରାଜଧାନୀରେ ଘଟିଯାଇଛି ଏଭଳି ଏକ ଘଟଣା, ଯାହାକୁ କେବଳ ଅଭାବନୀୟ ନୁହେଁ, ଅମାନବୀୟ ବି କୁହାଯାଇପାରେ।
ଅଭିଯୋଗ ଅନୁସାରେ, ଗତ ସୋମବାର ରାତିରେ ଭୁବନେଶ୍ୱର ରସୁଲଗଡ଼ ନିକଟସ୍ଥ ବାସୁଦେବନଗରରେ ଡାଇବେଟିସ୍ ପୀଡ଼ିତ ବୃଦ୍ଧ ରବୀନ୍ଦ୍ର ନାୟକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ପୁଅ ପାରଳାଖେମୁଣ୍ଡିରେ ରହୁଥିବା ବେଳେ ଘରେ ବୃଦ୍ଧଙ୍କ ପତ୍ନୀ ଓ ଝିଅ ଥିଲେ। ହଠାତ୍ ରାତିରେ ରବୀନ୍ଦ୍ରଙ୍କ ଛାତି ଯନ୍ତ୍ରଣା ହେଲା। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ସେଠାରୁ କୌଣସି ଉତ୍ତର ମିଳିନଥିଲା। ପରେ ୧୦୦ ଓ ୧୦୪କୁ ଫୋନ କରିବାରୁ ସେମାନେ ସାହାଯ୍ୟ କରିପାରିବେନି ବୋଲି ଶୁଣିବାକୁ ମିଳିଥିଲା।
ଏପରି ଦୁଃଖ ସମୟରେ ଭଡ଼ାଘର ମାଲିକ ମଧ୍ୟ ନିଜ ଗାଡ଼ି ଦେବାକୁ ମନା କରିଦେଲେ। ଏହା ପରେ ଓଲା କାର୍ରେ ପରିବାର ଲୋକ ରବୀନ୍ଦ୍ରଙ୍କୁ ଭୁବନେଶ୍ୱର ସନ୍ସାଇନ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ଭର୍ତ୍ତି କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଏହାପରେ ସ୍ପର୍ଶ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ କୌଣସି ଡାକ୍ତର ଦେଖିନଥିବା ଅଭିଯୋଗ ହୋଇଛି। ତାଙ୍କୁ ନର୍ସ ପେନ୍କିଲର୍ ଦେଇଥିବା ରବୀନ୍ଦ୍ରଙ୍କ ଝିଅ ଅଭିଯୋଗ କରିଛନ୍ତି। ସେଠାରୁ ଅସନ୍ତୁଷ୍ଟ ହୋଇ ରବୀନ୍ଦ୍ରଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ବେଳେ ଆଖି ବୁଜି ଦେଇଥିଲେ।
କଥା ଏତିକିରେ ସରିଲାନି। ବିଳମ୍ବିତ ରାତିରେ ଭଡ଼ାଘରକୁ ଫେରିବା ପରେ, ରବୀନ୍ଦ୍ରଙ୍କ ମୃତ ଦେହକୁ ଘରକୁ ପୂରାଇବାକୁ ମନା କରିଦେଇଥିଲେ ଘର ମାଲିକ। ରବୀନ୍ଦ୍ରଙ୍କ ଝିଅ ବାରମ୍ବାର ଅନୁରୋଧ ପରେ, ଘରକୁ ଛାଡ଼ିବାତ ଦୂରର କଥା, ଗ୍ୟାରେଜରେ ବି ତାଙ୍କୁ ଘର ମାଲିକ ରହିବାକୁ ଦେଇନଥିଲେ। ଶେଷରେ ରାତି ତମାମ୍ ବାହାରେ ରହିବା ପରେ, ସକାଳୁ ସତ୍ୟନଗର ଶ୍ମଶାନରେ ରବୀନ୍ଦ୍ରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ରବୀନ୍ଦ୍ରଙ୍କ ଝିଅ ମୁଖାଗ୍ନି ଦେଇଥିବା ବେଳେ, ଶେଷକୃତ୍ୟର କିଛି ସମୟ ପରେ ତାଙ୍କ ପୁଅ ପାରଳାଖେମୁଣ୍ଡିରୁ ପହଞ୍ଚିଥିଲେ।