ପୁରୀ (ଓଡ଼ିଶା ରିପୋର୍ଟର): କୋଟି କୋଟି ସମ୍ପତ୍ତିର ମାଲିକ ତଥା କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭାଙ୍ଗି ଯାଇଥିବା ଗଜଦନ୍ତ ପଲଙ୍କରେ ଶୋଇବାକୁ ଦିଆଯାଉଛି। ଏହାକୁ ନେଇ ପରିଚାଳନା କମିଟି ସଦସ୍ୟ ଓ ସେବାୟତମାନେ ଆଜି ଉଦ୍ବେଗ ପ୍ରକାଶ କରିଛନ୍ତି। ଗଜଦନ୍ତ ପଲଙ୍କର ପ୍ରଯତ୍ନ କିମ୍ୱା ମରାମତି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଉଚିତ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।
ମାନବଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପ୍ରତିଦିନ ରାତିରେ ଶୟନ ଯାଇଥାନ୍ତି। ଶ୍ରୀମନ୍ଦିର ଭିତର କାଠ ଡାହାଣପାର୍ଶ୍ୱ ଭଣ୍ଡାର ଘର ସମ୍ମୁଖରେ ଶ୍ରୀଜୀଉଙ୍କ ଶୟନ କକ୍ଷ ରହିଛି। ଏହିଠାରେ ଶ୍ରୀଜିଉଙ୍କ ଗଜଦାନ୍ତ ପଲଙ୍କ ପଡ଼ିଛି। ଏହା ଉପରେ ଶେଯ, ତକିଆ, ମଖମଲ ବେଡସିଟ୍ ପ୍ରଭୃତି ଶୟନ ପାଇଁ ରହିଛି।
ମହାପ୍ରଭୁ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ସରିବା ପରେ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଭଣ୍ଡାର ଘରଠାରେ ନିଦ୍ରା ଦେବୀ ଥାନ୍ତି। ବଡ଼ ଆଡ଼ର ପାଳିଆ ପୁଷ୍ପାଳକ ନିଦ୍ରା ଦେବୀଙ୍କୁ ରତ୍ନ ସିଂହାସନକୁ ବିଜେ କରାଇଥାନ୍ତି। ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଆଳତି ହୁଏ। ତିନିବାଡ଼ରେ ତିନୋଟି ଆଳତି କରାଯାଇଥାଏ। ଆଳତି ସରିବା ପରେ ନିଦ୍ରାଦେବୀ ଜୟ-ବିଜୟ ଦ୍ୱାର ଉପରେ ବିଜେ କରିଥାନ୍ତି। ଜୟ-ବିଜୟ ଦ୍ୱାର ପାଖରେ ଆଳତି, ବନ୍ଦାପନା ପରେ ନିଦ୍ରାଦେବୀ ଏକମୁହାଁ ହୋଇ ମହାପ୍ରଭୁଙ୍କ ପାଖକୁ ଯାଇଥାନ୍ତି। ମହାପ୍ରଭୁଙ୍କ ପଲଙ୍କରେ ବିଜେ କରିଥାନ୍ତି। ପରେ ମହାପ୍ରଭୁଙ୍କ ଶୟନ ନୀତି ହୋଇଥାଏ। ଶୟନ ନୀତି ପରେ ପହୁଡ଼ ସହ ଦ୍ୱାର ପଡ଼େ। ଶ୍ରୀଜିଉଙ୍କ ପାଇଁ ତିନୋଟି ପଲଙ୍କ ରହିଛି। ବଡ଼ଠାକୁର ବଳଭଦ୍ରଙ୍କର ଗୋଟିଏ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଇଁ ଗୋଟିଏ ଓ ଦେବୀ ସୁଭଦ୍ରାଙ୍କର ଗୋଟିଏ ପଲଙ୍କ ରହିଛି। ରତ୍ନ ପଲଙ୍କ ତଦାରଖ ଦାୟିତ୍ୱ ଖଟଶେଯ ସେବାୟତଙ୍କର। ହେଲେ ରତ୍ନ ପଲଙ୍କ ସ୍ଥିତି ଦେଖି ସେବାୟତମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଓ ମାଧମ ଚନ୍ଦ୍ର ପୂଜାପଣ୍ଡା କହିଛନ୍ତି, ପ୍ରତିଦିନ ବ୍ୟବହାର ହେଉଥିବାରୁ ମହାପ୍ରଭୁଙ୍କ ଗଜଦନ୍ତ ପଲଙ୍କର ଗୋଡ଼ ଗୁଡ଼ିକ ହୁଗୁଳା ହୋଇ ହଲୁଛି। ଏହା କେତେବେଳେ ବି ଭାଙ୍ଗି ପଡ଼ିବା ଆଶଙ୍କା ରହିଛି। ରଥଯାତ୍ରା ସମୟରେ ଏହାକୁ ମରାମତି କରିବା କିମ୍ବା ଆଉ ଗୋଟିଏ ସେଟ୍ ଗଜଦନ୍ତ ପଲଙ୍କ ତିଆରି କରିବାକୁ ପ୍ରଶାସନ ନିକଟରେ ନିବେଦନ ରଖାଯାଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଉନି। ତେଣୁ ମହାପ୍ରଭୁଙ୍କ ନୀତିକୁ ଆଗକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ସରକାର ପଦକ୍ଷେପ ନେବା ଜରୁରୀ। ହାତୀ ଦାନ୍ତ ସଂଗ୍ରହକୁ ନେଇ ଅନେକ କଟକଣା ଥିଲେ ହେଁ ବନ ବିଭାଗ ପକ୍ଷରୁ ଜବତ କରାଯାଉଥିବା ହାତୀ ଦାନ୍ତକୁ ବ୍ୟବହାର କରି ମହାପ୍ରଭୁଙ୍କ ନିମନ୍ତେ ଗଜଦନ୍ତ ପଲଙ୍କ ପ୍ରସ୍ତୁତ କରାଯାଇପାରିବ। ସରକାର ଏହା ଉପରେ ବିଚାର କରିବା ଉଚିତ୍।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମହାପ୍ରଭୁ ଶୋଉଥିବା ଖଟ, ଶେଯ, ମାଣ୍ଡି ପୁରୁଣା ହୋଇ ଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ମୁଁ ନିଜେ ସ୍ଥିତି ଅନୁଧ୍ୟାନ କରିଛି। ପଲଙ୍କ ପାଇଁ ନୂଆ ଶେଯ, ମାଣ୍ଡି ଆଦି କିଣାଯାଇଛି। ନିୟମିତ ବ୍ୟବଧାନରେ ଶେଯ, ମାଣ୍ଡି ବଦଳାଯାଉଛି। ବାକି ନୂଆ ଖଟ ତିଆରି କରିବାକୁ ଯୋଜନା ପ୍ରସ୍ତୁତ ସରିଛି। ଖୁବଶୀଘ୍ର ଏହି କାମ ଆରମ୍ଭ ହେବ।
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏହି ସମସ୍ୟା ନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ଉଚିତ୍ ପଦକ୍ଷେପ ନିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।