ଓଡ଼ିଆ ଭାଷାରେ ନାମଫଳକ: ଶୁଣିଲେନି ବିଭାଗ, ସରକାର ନାଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାର ନିଜସ୍ୱ ଭାଷା ‘ଓଡ଼ିଆ’ ଏବେ ବିପଦରେ । ରାଜ୍ୟରେ ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ଆଂଚଳିକ ଦଳ ବିଜେଡି ସରକାରର ଆନ୍ତରିକତା ଅଭାବରୁ ସରକାରୀ ଭାଷାର ମାନ୍ୟତା ପାଇଥିଲେ ମଧ୍ୟ ଏହା ଏବେ ଅବକ୍ଷୟମୁଖୀ ହେବାରେ ଲାଗିଛି । ଭାଷାର ସୁରକ୍ଷା ପାଇଁ ପୁଳାପୁଳା ଆଇନ ଓ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ଅଣଓଡ଼ିଆ ପ୍ରଶାସକମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବାରୁ ଓଡ଼ିଆ ଭାଷା ଆଇନର ଖିଲାପକାରୀଙ୍କ […]

loka-seba-bhavan

Ordigital Desk
  • Published: Tuesday, 14 June 2022
  • , Updated: 14 June 2022, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାର ନିଜସ୍ୱ ଭାଷା ‘ଓଡ଼ିଆ’ ଏବେ ବିପଦରେ । ରାଜ୍ୟରେ ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ଆଂଚଳିକ ଦଳ ବିଜେଡି ସରକାରର ଆନ୍ତରିକତା ଅଭାବରୁ ସରକାରୀ ଭାଷାର ମାନ୍ୟତା ପାଇଥିଲେ ମଧ୍ୟ ଏହା ଏବେ ଅବକ୍ଷୟମୁଖୀ ହେବାରେ ଲାଗିଛି । ଭାଷାର ସୁରକ୍ଷା ପାଇଁ ପୁଳାପୁଳା ଆଇନ ଓ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ଅଣଓଡ଼ିଆ ପ୍ରଶାସକମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବାରୁ ଓଡ଼ିଆ ଭାଷା ଆଇନର ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ଏପରିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ନାମ ଫଳକ ଲେଖି ୩ ସପ୍ତାହ ସୁଦ୍ଧା ସରକାରଙ୍କୁ ଜଣାଇବା ପାଇଁ ଉନ୍ନୟନ କମିଶନର ପ୍ରଦୀପ ଜେନା ଗତ ଏପ୍ରିଲ ମାସରୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି । କେବଳ ସେତିକି ନୁହେଁ, ଗତ ମେ’ ୧୭ତାରିଖରେ ଶ୍ରୀ ଜେନା ଅନ୍ୟ ଏକ ଚିଠି ଲେଖି କୌଣସି ବିଭାଗ କାହିଁକି ଉପରୋକ୍ତ ନିର୍ଦ୍ଦେଶକୁ ଅନୁପାଳନ କରିନାହାନ୍ତି ସେ ନେଇ ଜବାବ ମାଗିଥିଲେ ମଧ୍ୟ ଆଜିସୁଦ୍ଧା ପ୍ରାୟ ୯୫ ପ୍ରତିଶତ ବିଭାଗ କୌଣସି ଉତ୍ତର ଦେଇନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଓଡ଼ିଆ ଭାଷା ଆଇନର କାର୍ଯ୍ୟକାରୀ କରୁନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଓଡ଼ିଆ ଭାଷା ଆଇନର କାର୍ଯ୍ୟକାରିତା ଓ ଭାଷାର ପ୍ରଚାରପ୍ରସାର ମଧ୍ୟ ସଠିକ୍ ଢଙ୍ଗରେ ହୋଇପାରୁନି । ଉନ୍ନୟନ କମିଶନର ଶ୍ରୀ ଜେନାଙ୍କ ଏପ୍ରିଲ ମାସରେ ନିର୍ଦ୍ଦେଶ ସତ୍ତ୍ୱେ ସମସ୍ତ ସରକାରୀ, ବେସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା କାର୍ଯ୍ୟ ଅଦ୍ୟାବଧି ଫଳପ୍ରଦ ହୋଇପାରିନି । ଏପରିକି ଶ୍ରୀ ଜେନା ମେ’ ମାସରେ ଏନେଇ ପୁଣିଥରେ ସବୁ ବିଭାଗକୁ କୈଫୟତ ତଲବ କରିଥିଲେ ମଧ୍ୟ ୯୫ ପ୍ରତିଶତ ବିଭାଗ ଏନେଇ ଆଜିସୁଦ୍ଧା କୌଣସି ଉତ୍ତର ସରକାରଙ୍କୁ ଦେଇନଥିବା ଜଣାପଡ଼ିଛି ।

ଦୀର୍ଘଦିନର ସଂଘର୍ଷ ପରେ ୧୯୩୬ ଏପ୍ରିଲ ୧ରେ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ (ଉତ୍କଳ) ଭାବେ ଓଡ଼ିଶା ଜନ୍ମ ନେଇଥିଲା । ଓଡ଼ିଆ ଭାଷାର ପ୍ରଚାରପ୍ରସାର ଓ ଏହାକୁ ସରକାରୀ କାର୍ଯ୍ୟରେ ଉପଯୋଗ ନିମନ୍ତେ ‘ଓଡ଼ିଆ ସରକାରୀ ଭାଷା ଆଇନ-୧୯୫୪’ କାର୍ଯ୍ୟକ୍ଷମ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଆଇନରେ ସଂଶୋଧନ କରାଯାଇ ଓଡ଼ିଆ ଭାଷାର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦିଆଯାଉଥିଲା । କିନ୍ତୁ ଗତ ୨୨ବର୍ଷ ଧରି ବିଜେଡି ସରକାରରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ଦୂରର କଥା, ଓଡ଼ିଆ ଭାଷା ନିଜର ସତ୍ତା ହରାଇବାକୁ ବସିଲାଣି । ଯଦିଓ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଭିନ୍ନସ୍ତରରେ ଆନ୍ଦୋଳନ ପରେ ବିଜେଡି ସରକାର ଗତ ୫-୬ବର୍ଷ ମଧ୍ୟରେ ଭାଷା ଆଇନରେ ସଂଶୋଧନ ସହ ନୂଆ ନିୟାମବଳୀ ପ୍ରସ୍ତୁତ କରିଛନ୍ତି ।

ଓଡ଼ିଆ ସରକାରୀ ଭାଷା ସଂଶୋଧନ ଆଇନ-୨୦୧୬, ଓଡ଼ିଆ ସରକାରୀ ଭାଷା ଆଇନ ରୁଲସ-୨୦୧୬ ଓ ଓଡ଼ିଆ ସରକାରୀ ଭାଷା ଆଇନ ରୁଲସ-୨୦୧୯ ପ୍ରଣୟନ କରିଛନ୍ତି । କିନ୍ତୁ ଏହି ସବୁ ଆଇନ ଓ ରୁଲସରେ ଥିବା ପ୍ରାବଧାନକୁ ସଠିକ୍ ଢଙ୍ଗରେ ପାଳନ ହେଉନଥିବାରୁ ରାଜ୍ୟରେ ଅନ୍ୟ ଭାଷାଗୁଡ଼ିକର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ୨୦୧୬ ମସିହାରେ ଓଡ଼ିଆ ଭାଷା ଆଇନରେ ସଂଶୋଧନ ସହ ନୂଆ ରୁଲସ୍ ପ୍ରଣୟନ କରିଥିଲେ । ଓଡ଼ିଶା ସରକାରୀ ଭାଷା ଅଧିନିୟମ-୨୦୧୬ର ନିୟମ ୫ ଅନୁସାରେ ସରକାରୀ କାର୍ଯ୍ୟରେ ଓଡ଼ିଶା ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପୀକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ-୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ଓ ବିଭାଗକୁ ପୁରସ୍କୃତ ମଧ୍ୟ କରାଯିବ । ମାତ୍ର ଏହି ଆଇନ କେବଳ କାଗଜକଲମରେ ରହିଯାଇଛି ।

୨୦୧୬ ମସିହା ପରଠୁ ଓଡ଼ିଆ ଭାଷାର କାର୍ଯ୍ୟକାରୀ ଓ ପ୍ରଚାରପ୍ରସାରରେ ଅବହେଳା ନିମନ୍ତେ କୌଣସି ଜଣେ ବି ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇନଥିବା ଜଣାପଡ଼ିଛି । ତା’ଛଡ଼ା ଅଣଓଡ଼ିଆ ପ୍ରଶାସକମାନେ ଏବେ ରାଜ୍ୟ ଶାସନ କଳକୁ ନିୟନ୍ତ୍ରଣ କରୁଥିବାରୁ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଓ ନାମଫଳକ ଲେଖାଯିବା ତଥା ଭାଷା ଆଇନ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related story