ସବୁ ଆଶା ଅଙ୍ଗାର ହୋଇଗଲା ପରେ….

ବଲାଙ୍ଗୀର(ମନରଞ୍ଜନ ଯୋଶୀ): ଜୀବନର ଅନ୍ୟ ନାଁ ସଂଘର୍ଷ ।  ତେଣୁ ସବୁ ଅଭାବଅନଟନର ଭିତରେ ସୁଷମାଙ୍କ ଆଖି ଥିଲା ସ୍ୱପ୍ନ ବିଳାସୀ। ଦାରିଦ୍ର୍ୟର ନିରାଶା ଭିତରେ ଆଶା ଥିଲା ଅସୁମାରୀ। ପାଠ ପଢ଼ିବେ। ଚାକିରୀ କରିବେ। ତେଣୁ  ବାପା ମାଙ୍କୁ ଦାଦନ ଯିବାକୁ  ବାରଣ କରିଥିଲେ ସୁଷମା। ସବୁ ଝଡଝଞ୍ଜା ଭିତରେ ବି ଝିଅ ପାଠ ପଢିଲା।  ଗ୍ରାଜୁଏଟ ହେଲା । କିନ୍ତୁ ଆମ ବ୍ୟବସ୍ଥା ଭିତରେ ରୋଜଗାର ଟିଏ ପାଇପାରିଲେ ନାହିଁ। ଆଉ ତା’ ସାଙ୍ଗକୁ ମହାମାରୀ କରୋନା ସୁଷମାଙ୍କ ସ୍ୱପ୍ନର ଡେଣାକୁ ଛିଡ଼େଇ ଦେଲା। ବଦଳିଗଲା ସୁଷମାଙ୍କ ଜୀବନ। ଯେଉଁ ଝିଅ ବାପା ମାଙ୍କୁ ଦାଦନ ଯିବାକୁ ବାରଣ କରିଥିଲା ସିଏ ଏବେ ପରିସ୍ଥିତିରେ ପଡ଼ି ପେଟ ପାଇଁ ସେଇ ଦାଦନ ଖଟିବାକୁ ବାଧ୍ୟ ହୋଇଛି। ଆମେ କହୁଛୁ ବଲାଙ୍ଗୀର ଉପକଣ୍ଠ ଲଖପାଲି ଗାଁର ବାସିନ୍ଦା ସୁଷମାଙ୍କ କଥା।  ବାପା ଇନ୍ଦ୍ର ନାଗ ଓ ମା ବିଜୟା ।

ଇନ୍ଦ୍ର ଓ ବିଜୟାଙ୍କ ଚାରୋଟି ଝିଅ । ହେଲେ ଦାରିଦ୍ର୍ୟ ଯୋଗୁଁ ସ୍ୱାସ୍ଥ୍ୟ ସେବା ଯୋଗାଇ ନପାରିବାରୁ ତିନୋଟି ଛୁଆ ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଇଥିଲେ । କେମିତି କେଜାଣି ବଞ୍ଚିଯାଇଥିଲେ ସୁଷମା । ତେଣୁ ସୁଷମା ହିଁ ବାପା,ମାଙ୍କର ସାହା ଭରସା । ଝିଅ ପାଠ ପଢିଥିବାରୁ, ଆଶା ଓ ଭରସା ରଖିଥିଲେ ବାପାଅ ମା । ଏଠି ସେଠି ସଂର୍ପକୀୟଙ୍କ ଘରେ ରହି, କେବେ କେମିତି ବେଠି ଖଟି ପାଠ ପଢିଥିଲେ ସୁଷମା । ଯେତେ ଝଡଝଞ୍ଜା ଆସିଲେ ବି ହାରିନଥିଲେ । ଦୀର୍ଘ ବର୍ଷର ସଂଘର୍ଷ ପରେ ଗ୍ରାଜୁଏଟ ହୋଇଥିଲେ ଗରିବ ଆଦିବାସୀ ଝିଅ ସୁଷମା। ଖୁସିରେ ବିଭୋର ହୋଇପଡିଥିଲେ । ଭାବିଥିଲେ ଏଥର ଚାକିରିଟିଏ ଟିଏ ମିଳିବ । ବାପା,ମାଙ୍କ ପାଇଁ ଦିମୁଠା ଖାଦ୍ୟ ଯୋଗାଡ କରିପାରିଲେ ଦାଦନ ଯିବା ବନ୍ଦ କରିବେ । ତେଣୁ ଏଠି ସେଠି, ସବୁଠି ଚେଷ୍ଟା କରିଥିଲେ କାମଟିଏ ଯୋଗାଡ କରିବା ପାଇଁ । ହେଲେ ଆମ ଦୟନୀୟ ବ୍ୟବସ୍ଥା ଆଦିବାସୀ ଗ୍ରାଜୁଏଟ ଝିଅ ସୁଷମାକୁ ରୋଜଗାରଟିଏ ଦେଇପାରିନଥିଲା ।

ଚୂରମାର ହୋଇଗଲା ସ୍ୱପ୍ନ । ଆଉ ଗୋଟିଏ ପୀଢିକୁ ଆବୋରି ବସିଲା ଗରିବୀ ।  ତେଣୁ ଶେଷରେ ନିଜେ କରିଥିବା ପଣକୁ ପଛରେ ପକାଇ, ପରିସ୍ଥିତିରେ ବାଧ୍ୟ ହୋଇ ବାପା ମା ସହିତ ଏଥର ପ୍ରଥମ କରି ଦାଦନ ପାଇଁ ଆନ୍ଧ୍ରପଦେଷ ଗଲେ ସୁଷମା । ହେଲେ ଦାଉ ସାଧିଲା କରୋନା । ଅଧାରୁ ଘରକୁ ଫେରିଲେ । କିଛି ଦିନ ହେବ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରୁ ସରକାରୀ ବ୍ୟବସ୍ଥାରେ ଉଦ୍ଧାର ହୋଇ ୭ଦି ସଂଗରୋଧରେ ରହି ଗାଁକୁ ଫେରିଥିଲେ ।  କିନ୍ତୁ ସରକାରଙ୍କ ସଂଗୋରୋଧ ବ୍ୟବସ୍ଥା ଅନୁଯାୟୀ ୨୦୦୦ ଟଙ୍କା ପାଇବା କଥା, ସେତକ ବି ପାଇନାହାନ୍ତି । ଆଉ କରୋନା ପାଇଁ କାମ ବି ମିଳୁନି । ଏବେ କରିବେ କଣ ? ଜୀବନ ଜିଇଁବା ପାଇଁ ଯେତେ ସଂଘର୍ଷ କଲେ ବି ହାତରେ କାମ ନାହିଁ, କି ପେଟରେ ଦାନା ନାହିଁ । ତଥାପି ଗାଁରେ ଚାଷ କାମ ଆରମ୍ଭ ହୋଇଥିବାରୁ, ଦିନ ମଜୁରିଆ କାମ ମିଳିବାର ଆଶା ରଖିଛନ୍ତି ସୁଷମା ।