ବିଧାୟକଙ୍କୁ ଘରୋଇ ହସ୍ପିଟାଲରେ ଦୁର୍ବ୍ୟବହାର: ତଦନ୍ତ କରିବ ୪ ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏହି ଘଟଣାର ତଦନ୍ତ ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗୀୟ ସଚିବ ପିକେ ମେହେର୍ଦ୍ଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର […]

kalinga-hospital

Manoranjan Sial
  • Published: Saturday, 29 June 2019
  • , Updated: 29 June 2019, 11:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏହି ଘଟଣାର ତଦନ୍ତ ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗୀୟ ସଚିବ ପିକେ ମେହେର୍ଦ୍ଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ବିଭାଗର ଯୁଗ୍ମ ସଚିବ ଶୁଭାନନ୍ଦ ମହାପାତ୍ର, ଉପସଚିବ ରାଜେଶ ଅଗ୍ରୱାଲ ଓ ଯସ୍ମିନ ପଟ୍ଟନାୟକ ସଦସ୍ୟ ଅଛନ୍ତି। କମିଟି ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅ ସଚିନ କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ଭୋର ସମୟରେ ପ୍ରାଣ ହରାଇଥିଲେ। ଚିକିତ୍ସା ବାବଦ ଅର୍ଥ ପୈଠ ହୋଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ଅର୍ଥ ଦାବି କରି ମୃତଦେହ ଛାଡ଼ିନଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ମୋହନ ମାଝୀଙ୍କୁ ମୃତ ସଚିନଙ୍କ ପିତା ବାସୁଦେବ ବାରିକ ଅବଗତ କରିବା ସହ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ଏହାପରେ ଶ୍ରୀ ମାଝୀ କଳିଙ୍ଗ ହସ୍ପିଟାଲର ଡିଜିଏମଙ୍କ ସହ ଆଲୋଚନା କରି ମୃତଦେହ ସମ୍ପୃକ୍ତ ପରିବାରକୁ ଦେବା ପାଇଁ ନିବେଦନ କରିଥିଲେ। ମାତ୍ର ବକେୟା ଅର୍ଥ ପୈଠ ନହେଲେ ମୃତଦେହକୁ ଛଡ଼ାଯିବ ନାହିଁ ବୋଲି ଡିଜିଏମ୍ ଓ ଆକାଉଣ୍ଟସ୍ କର୍ମଚାରୀମାନେ ରୋକଠୋକ୍ କହିବା ସହ ବିଧାୟକ ଶ୍ରୀ ମାଝୀଙ୍କୁ ଦୁର୍ବବ୍ୟହାର କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠୁ ଅପମାନିତ ହେବାପରେ ଶ୍ରୀ ମାଝୀ ଆଜି ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଅବଗତ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମାମଲାର ତଦନ୍ତ ପାଇଁ ସରକାର ୪ଜଣିଆ କମିଟି ଗଠନ କରିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅନୁରୂପ ଭାବେ ନିଜ ପୁଅର ଶବ ନେବା ପୂର୍ବରୁ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସାଢ଼େ ୩ଲକ୍ଷ ଟଙ୍କା ଦାବି କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କଠୁ ଅର୍ଥ ଦାବି କରାଯାଇଥିଲା। ମାତ୍ର ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ସମ୍ପୃକ୍ତ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ଘଟଣାରେ ତଦନ୍ତ କରିବାକୁ ଏପର୍ଯ୍ୟନ୍ତ ଉଚିତ୍ ମଣିନାହାନ୍ତି।

Related story