ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ସତ୍ୟ ନଗର ଶ୍ମଶାନ ପ୍ରସଙ୍ଗ। ଦିନକୁ ୩୦ରୁ ୪୦ କୋଭିଡ୍ ମୃତକଙ୍କ ଦାହ ସଂସ୍କାର ହେଉଥିବା ଅଭିଯୋଗ ସହ ଧୂଆଁ ଓ ପାଉଁଶରେ ସ୍ଥାନୀୟ ଲୋକେ ଅତିଷ୍ଠ ହେଲେଣି ବୋଲି ଅଭିଯୋଗ ହୋଇଛି । ଏଠାରେ ବିଦ୍ୟୁତ ଚୁଲା ଦୀର୍ଘଦିନ ହେବ ଅଚଳ ଥିବାରୁ ବାହାରେ ଶବ ଦାହ କରାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ଅଭିଯୋଗ ନେଇ ମାନବାଧିକାର କମିଶନଙ୍କୁ ଭେଟିଛି ସାମାଜିକ ସଂଗଠନ ସତ୍ୟନଗର ଲେଡିଜ୍ ଫୋରମ୍ ।
ପୂର୍ବରୁ କଂଗ୍ରେସ ନେତା ମାନସ ଚୌଧୁରୀ ସତ୍ୟନଗର ଶ୍ମଶାନର ଦୃଶ୍ୟକୁ ଟ୍ୱିଟ୍ କରି ଦିନକୁ କେତେ କୋଭିଡ୍ ମୃତକଙ୍କ ସଂସ୍କାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ତେବେ ସତ୍ୟନଗର ସାମାଜିକ ସଂଗଠନର ଅଭିଯୋଗ ଉପରେ ବିଏମ୍ସି କମିଶନର କହିଛନ୍ତି ମୃତଦେହ ଦାହ ସଂଖ୍ୟା ବଢିଛି । ପୁରୀ ସ୍ୱର୍ଗଦ୍ୱାର ଓ ଅନ୍ୟ ଜିଲ୍ଲାର ମୃତଦେହ ଆସୁଥିବାରୁ ସମସ୍ୟା ଦେଖା ଦେଇଛି । ତେବେ ରାଜଧାନୀରେ ଆଉ ଦୁଇଟି ସ୍ଥାନ ପଟିଆ ଏବଂ ଖଣ୍ଡଗିରିରେ ମୃତଦେହ ସଂସ୍କାର ବ୍ୟବସ୍ଥା କରାଯାଉଛି। ଏହାଛଡ଼ା ସତ୍ୟନଗରେ ବିଦ୍ୟୁତ୍ ଚୁଲା କାର୍ଯ୍ୟକ୍ଷମ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।