ଦୈନିକ କେତେ ଜୀବନ ନେଉଛି କୋଭିଡ୍? ତଥ୍ୟ ନଦେଇ ଗୋଳାଉଛନ୍ତି ସରକାର!

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର) : ଓଡ଼ିଶାରେ ପ୍ରତିଦିନ ମହାମାରୀ କରୋନା କେତେ ଜୀବନ ନେଉଛି? ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରୁନଥିବା ବେଳେ ସାଧାରଣ ଲୋକଙ୍କ ମନରେ ନାନା ସନ୍ଦେହ ପ୍ରକାଶ ପାଉଛି। ରାଜ୍ୟ ସରକାର ପ୍ରକାଶ କରୁଥିବା ମୃତ୍ୟୁ ତଥ୍ୟ ବି ଏବେ ସନ୍ଦେହ ଜନକ। କାରଣ ପ୍ରତିଦିନ ପ୍ରକାଶ ପାଉଥିବା ରିପୋର୍ଟରେ ପିଛିଲା ଦିନ (ଗତ କାଲି)ର ମୃତ୍ୟୁ ତଥ୍ୟ ରହିବା କଥା। କିନ୍ତୁ ରାଜ୍ୟ ସରକାର ତାହା ନକରି ଗୋଳମାଳିଆ ପରିସ୍ଥିତି […]

covid-care-centre

Subhransu Sekhar
  • Published: Monday, 26 July 2021
  • , Updated: 26 July 2021, 03:43 PM IST

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର) : ଓଡ଼ିଶାରେ ପ୍ରତିଦିନ ମହାମାରୀ କରୋନା କେତେ ଜୀବନ ନେଉଛି? ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରୁନଥିବା ବେଳେ ସାଧାରଣ ଲୋକଙ୍କ ମନରେ ନାନା ସନ୍ଦେହ ପ୍ରକାଶ ପାଉଛି। ରାଜ୍ୟ ସରକାର ପ୍ରକାଶ କରୁଥିବା ମୃତ୍ୟୁ ତଥ୍ୟ ବି ଏବେ ସନ୍ଦେହ ଜନକ। କାରଣ ପ୍ରତିଦିନ ପ୍ରକାଶ ପାଉଥିବା ରିପୋର୍ଟରେ ପିଛିଲା ଦିନ (ଗତ କାଲି)ର ମୃତ୍ୟୁ ତଥ୍ୟ ରହିବା କଥା। କିନ୍ତୁ ରାଜ୍ୟ ସରକାର ତାହା ନକରି ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଅଡିଟର ବାହାନା ବା ଅନ୍ୟ କିଛି କାରଣ ଦର୍ଶାଇ ଦୈନିକ ବଦଳରେ ପିଛିଲା ରିପୋର୍ଟ ଦେଉଛନ୍ତି ସରକାର। ଯେଉଁଥିପାଇଁ ଏବେ ଦୈନିକ ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣ ଲୋକଙ୍କ ମନରେ ଏକ ଆଜି ଦ୍ୱନ୍ଦ୍ୱ ଉପୁଜିଛି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ରାଜ୍ୟରେ ପ୍ରତିଦିନ କରୋନାରେ କେତେ ଲୋକ ଆଖି ବୁଜୁଛନ୍ତି? ଏହାର ସ୍ପଷ୍ଟୀକରଣ ଦେବେ କି ସରକାର?

ରାଜ୍ୟରେ କରୋନା ସଂକ୍ରମଣ ଏବେ ଦୁର୍ବଳ ହୋଇଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଏପ୍ରିଲ-ମେ ତୁଳନାରେ ସଂକ୍ରମିତ ସଂଖ୍ୟା ଏବେ ବହୁତ କମିଛି। ଅଗଷ୍ଟ ୧ ପର୍ଯ୍ୟନ୍ତ କରୋନା କଟକଣା କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ବି’ରେ ମୁଖ୍ୟତଃ ସଂକ୍ରମିତ ହାର ଅଧିକ ରହିଥିବାରୁ ଏଠାରେ କରୋନା କଟକଣା ଅଧିକ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଏବେ ପୂର୍ବଭଳି ଗୁରୁତର ରୋଗୀ ହସ୍ପିଟାଲରେ ନାହାନ୍ତି। ସେହିପରି ପୂର୍ବ ଭଳି ମୃତ୍ୟୁ ସଂଖ୍ୟା ନାହିଁ କି ସଂକ୍ରମିତଙ୍କ ସଂଖ୍ୟା ନାହିଁ। ତେଣୁ ଅନେକ ସ୍ଥାନରେ ସରକାରୀ କୋଭିଡ ସେଣ୍ଟର ବନ୍ଦ କରିବେ ବୋଲି ସରକାର ଘୋଷଣା କରିସାରିଛନ୍ତି।

ହେଲେ ସରକାର ଯେଉଁ ମୃତ୍ୟୁ ରିପୋର୍ଟ ପ୍ରତିଦିନ ଜାରି କରୁଛନ୍ତି ତାହା ଏବେ ଚିନ୍ତା ଜନକ। ସୋମବାର ସରକାରଙ୍କ ଦ୍ୱାରା ଦିଆଯାଇଥିବା କରୋନାରେ ପ୍ରାଣ ହରାଇଥିବା ସଂଖ୍ୟା ୬୨ ଦିଆଯାଇଛି। ରବିବାର ଏହି ସଂଖ୍ୟା ୬୭ ଥିଲା ଏବଂ ଶନିବାର ୬୮ ଥିଲା। ତିନି ଦିନର ତଥ୍ୟ କହୁଛି ପ୍ରାୟତଃ ୬୦ ଉପରେ ଦୈନିକ କୋଭିଡ ମୃତ୍ୟୁ ରିପୋର୍ଟ ଅଡିଟ୍ କରି ସରକାର ଜାରି କରୁଛନ୍ତି। ପୂର୍ବରୁ ହୋଇଥିବା ମୃତ୍ୟୁର ଅଡିଟ୍ କରାଯାଇ ପାରିନଥିଲା। କାରଣ ସେତେବେଳେ ହସ୍ପିଟାଲରେ ଗହଳି ଅଧିକ ଥିଲା। ଏବେ ପିଛିଲା ମୃତ୍ୟୁ ରିପୋର୍ଟକୁ ଅଡିଟ୍ କରାଯାଇ ଜାରି କରାଯାଉଛି।

ରାଜ୍ୟରେ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଙ୍କ କହିବା କଥା ଏବେ ହସ୍ପିଟାଲରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଦି କମିଛି ତା’ହେଲେ ପ୍ରତିଦିନ କୋଭିଡରେ କେତେ ପ୍ରାଣ ହରାଉଛନ୍ତି ରିପୋର୍ଟ ଜାରି କରିବାରେ ଅସୁବିଧା କେଉଁଠି? ମହାରାଷ୍ଟ୍ର ଭଳି ବଡ଼ ରାଜ୍ୟ ଯଦି ବିଗତ ୨୪ ଘଣ୍ଟାରେ ମୃତ୍ୟୁ ରିପୋର୍ଟ ଜାରି କରିପାରୁଛି ତାହେଲେ ଓଡ଼ିଶା ଭଳି ରାଜ୍ୟରେ ଅସୁବିଧା କେଉଁଠି?

ରାଜ୍ୟରେ ଏବେ ସହର ଗୁଡ଼ିକରେ ଅଧିକ ଲୋକ ଟିକା ନେଇ ସାରିଲେଣି। କିନ୍ତୁ ଏହା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି। ଯଦି ସରକାର ଯେଉଁ କୋଭିଡ ମୃତ୍ୟୁ ରିପୋର୍ଟ ଜାରି କରୁଛନ୍ତି ସେଥିରେ କେଉଁ ଦିନ କେତେ ଆଖି ବୁଜିଛନ୍ତି ଉଲ୍ଲେଖ କରନ୍ତେ ତାହେଲେ କୋଭିଡରେ ଦୈନିକ ମୃତ୍ୟୁ ସଂଖ୍ୟା ଜଣାପଡ଼ିଥାନ୍ତା।

ଏବେ କୋଭିଡରେ ସଂକ୍ରମିତ ହେବା ଯେତିକି ଗୁରୁତ୍ୱ ନୁହେଁ କେତେ ଜଣ ମୃତ୍ୟୁ ବରଣ କରୁଛନ୍ତି ତାହା ଗୁରୁତ୍ୱ। ସରକାର ଯଦି ସଂକ୍ରମିତ ଏବଂ ଆରୋଗ୍ୟ ସଂଖ୍ୟା ବିଗତ ୨୪ ଘଣ୍ଟା ଜାରି କରିପାରୁଛନ୍ତି ତାହେଲେ ମୃତ୍ୟୁ ସଂଖ୍ୟା ଜାରି କରିବାରେ ଅସୁବିଧା କେଉଁଠି?

ସୂଚନାଯୋଗ୍ୟ, ନିକଟରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ କୋଭିଡ୍ ମୃତ୍ୟୁ ରିପୋର୍ଟ ଜାରି କରିବାକୁ କହିଛନ୍ତି। କୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟ ଥରେ ଦୁଇ ଥରରେ ପିଛିଲା କୋଭିଡ୍ ମୃତ୍ୟୁ ରିପୋର୍ଟ ଜାରି କରିଛନ୍ତି। ତେଣୁ ଏବେ ଏହି ସବୁ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ପୂର୍ବ ତୁଳନାରେ କମ୍ ରହିଛି। ଜୁଲାଇ ୨୫ରେ ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଥବା ଜଣାପଡ଼ିଥିବା ବେଳେ ଦିଲ୍ଲୀରେ ଦୁଇ ଜଣଙ୍କର ବିଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ଏନଡିଟିଭି ରିପୋର୍ଟରେ ଉଲ୍ଲେଖ ରହିଛି। ହେଲେ ଓଡ଼ିଶା ସରକାର ଯେଉଁ କୋଭିଡ ମୃତ୍ୟୁ ରିପୋର୍ଟ ଜାରି କରୁଛନ୍ତି ସେଥିରେ ଦୈନିକ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇପାରୁନି।

କରୋନା ପରିଚାଳନାରେ ଓଡ଼ିଶାକୁ ଦେଶରେ ସର୍ବାଗ୍ରେ ରଖିବାକୁ ଯାଇ ମୃତ୍ୟୁ ସଂଖ୍ୟାକୁ ଗୋଳଉଛନ୍ତି କି ସରକାର?

Related story