ଯାଜପୁର/ସାଲେପୁର (ଗୁଲାମ/ମନୋଜ): ‘ଫୋନି’ ସହାୟତା ପାଇଁ ସ୍ୱାମୀଠାରୁ ଅଲଗା ହୋଇଛନ୍ତି ସ୍ତ୍ରୀ। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଏପରି ପୁଳାପୁଳା ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁରରୁ। ସେହିପରି ଯାଜପୁର ଜିଲ୍ଲା ଧର୍ମାଶାଳା ବ୍ଲକରେ ଗୋଟିଏ ପରିବାର ୪ଟି ଘର ହାତେଇବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ନେବା ପାଇଁ ଯୋଗ୍ୟ ହେବାର ତଥ୍ୟ ପଦାକୁ ଆସିବା ପରେ ଲୋକାୟୁକ୍ତ ସ୍ଥାନୀୟ ବିଡିଓ ଓ ସଂପୃକ୍ତ ପରିବାର ଲୋକଙ୍କୁ ନୋଟିସ୍ କରିଛନ୍ତି। ଏଥିରୁ ସରକାରଙ୍କ ହିତାଧିକାରୀ ଚୟନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାଲେପୁର କଟରପା ପଞ୍ଚାୟତର ସୁବାସ ଓଝା ଓ ସଂଯୁକ୍ତା ଓଝା। ଉଭୟ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ରହୁଛନ୍ତି ଗୋଟିଏ ଘରେ। ହେଲେ ଉଭୟଙ୍କ ନାଁରେ ଆସିଛି ଅଲଗା ‘ଫୋନି’ ସହୟାତା। ସେମିତି ଉକ୍ତ ପଞ୍ଚାୟତର କାଳନ୍ଦୀ-ମଞ୍ଜୁଲତା, ସୁରେନ୍ଦ୍ର-ସ୍ୱର୍ଣ୍ଣଲତା ସ୍ୱାମୀ ସ୍ତ୍ରୀ ହୋଇ ସହାୟତା ପାଇବା ପାଇଁ ଅଲଗା ଅଲଗା ଦର୍ଶାଇ ଟଙ୍କା ନେଇଛନ୍ତି।
ବଡ଼କଥା ହେଉଛି, ଏମତି ସ୍ୱାମୀ-ସ୍ତ୍ରୀ ଦୁଇଜଣ ପାଇଥିବା ତାଲିକା ମଧ୍ୟ ବେଶ୍ ଲମ୍ବା। ସେମିତି ୧୦ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ଜାଗୁଳେଇପଡାର ଅୟଜ କୁମାର ଲେଙ୍କାଙ୍କ ନାଁରେ ମଧ୍ୟ ଆସିଛି ‘ଫୋନି’ ସହୟାତା। ମୃତ୍ୟୁପରେ ମଧ୍ୟ ସହାୟତା ଆସିଥିବା ଆଉଜଣେ ହେଲେ ସୁଶୀଲ ନନ୍ଦ। କଟରପା ପଞ୍ଚାୟତରେ ଏପରି ବ୍ୟାପକ ଗଡ଼ବଡ଼ ନେଇ ସୂଚନା ଅଧିକାରରେ ତଥ୍ୟ ମିଳିବା ପରେ ହିତାଧିକାରୀ ଚୟନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ଉଠିଛି।
ହିତାଧିକାରୀ ସୁବାସ ଓଝା କହିଛନ୍ତି-“ଆମେ ସ୍ୱାମୀ ଓ ସ୍ତ୍ରୀ ସାଙ୍ଗରେ ରହୁଛୁ। ଆମକୁ କୌଣସି ସହାୟତା ମିଳିନି। ଯାହା ପ୍ରକାଶ ପାଇଛି, ତାହା ସମ୍ପୂର୍ଣ୍ଣ ମିଛ।”
‘ଫୋନି’ ପରେ ସହୟାତା ରାଶି ହେଉ କି ଆବାସ ପାଇଁ ହିତାଧିକାରୀ ଚୟନ, ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଆସୁଛି ପୂଳାପୂଳା ଅନିୟମିତତାର ଅଭିଯୋଗ। ପ୍ରକୃତ ହିତାଧିକାରୀ ସହାୟତା ଓ ଆବାସ ପାଉନଥିବା ବେଳେ ଥିଲାବାଲା ଓ ଜନପ୍ରତିନିଧି ଟଙ୍କା ହଡପ୍ କରିବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।