ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷା ଜଳ ମାଟିକୁ ନ ଗଲେ, ବନ୍ୟା ହେବ। ଯଦି ଆମେ ମାଟିର ସୁରକ୍ଷା କରିବା, ଯତ୍ନନେବା ବନ୍ୟା, ମରୁଡ଼ି ହେବନି। ପ୍ରକୃତିର ଏପରି ନିୟମ ସମ୍ପର୍କରେ ଓଟିଭି ଫୋରସାଇଟ୍-୨୦୨୨ରେ ସବିଶେଷ ଭାବେ ବଖାଣିଛନ୍ତି ଆଧ୍ୟାତ୍ମିକ ଗୁରୁ ସଦଗୁରୁ। ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା ବେଳେ Save the soil ସଂପର୍କରେ ଆଲୋକପାତ କରିବାକୁ ଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସଦଗୁରୁ। ଏପରିକି ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଥିବର ବେଳେ ପର ପିଢ଼ି ସାଂଘାତିକ ଅସୁବିଧା ଭୋଗିବେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।
ନବେ ଦଶକରେ ଜାତିସଂଘର ଏକ ଏଜେନ୍ସି ଚିନ୍ତାଜନକ ତଥ୍ୟ ଦେଇ ୨୦୨୫ରେ ତାମିଲନାଡୁ ସଂପୂର୍ଣ୍ଣ ମରୁଡ଼ିଗ୍ରସ୍ତ ହୋଇଯିବ ବୋଲି କହିଥିଲା। ଏହାପରେ ଏହି ଘଟଣାର ସତ୍ୟାସତ୍ୟ ପରଖିବାକୁ ମୁଁ ସାରା ତାମିଲନାଡୁ ବୁଲି ଦେଖିଲି। ସେଠାରେ ମୋତେ ଅନୁଭୂତ ହେଲା, ୨୦୨୫ ନୁହେଁ, ତା ପୂର୍ବରୁ ଏସବୁ କଥା ସତ ହୋଇଯିବ। କାରଣ ତାମିଲନାଡ଼ୁର ୩ ନଦୀ ଶୁଖି ସାରିଥିଲା। ବୋରୱେଲ ଖୋଳିଲେ ୧୫୦- ୨୦୦ ଫୁଟ ତଳେ ପାଣି ଆସୁଥିଲା ବୋଲି କହିଛନ୍ତି ସଦଗୁରୁ ।
ଏପରି ସ୍ଥିତିରୁ ମୁକୁଳିବାକୁ ସାରା ତାମିଲନାଡୁରେ ଆମେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଲୁ। ଆମର ସ୍ୱେଚ୍ଛାସେବୀମାନେ ତାମିଲନାଡୁରେ ଲକ୍ଷ ଲକ୍ଷ ଗଛ ଲଗାଇଲେ। ସେଥିରେ ଅନେକ ମୂଲ୍ୟବାନ ଗଛ ମଧ୍ୟ ସାମିଲ ଥିଲା। ଆଉ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଗଛ ଚାଷ ଜମିରେ ଲଗାଯାଇଥିଲା। ଯାହା ଫଳରେ ଚାଷୀଙ୍କୁ ଅନେକ ଫାଇଦା ହେଲା। ଏହାପରେ ତାମିଲନାଡୁରେ ଗ୍ରୀନଲ୍ୟାଣ୍ଡରୁ ୧୦%ରୁ ଅଧିକ ବଢ଼ାଯାଇପାରିଲା।
ସଦଗୁରୁ କହିଛନ୍ତି, ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା ନ କଲେ ଆମ ପର ପିଢ଼ି ସାଂଘାତିକ ଅସୁବିଧା ଭୋଗିବେ। ଏବେଠୁ ପରିବେଶର ଯତ୍ନ ନେବାକୁ ମିଳିତ ଉଦ୍ୟମ ଆରମ୍ଭ କଲେ ୧୫/୨୦ ବର୍ଷରେ ପରିବର୍ତ୍ତନ ହେବ। ଏଥିସହ ମାଟିର ସୁରକ୍ଷା ତଥା ଇକୋଲୋଜିକୁ ରାଜନୈତିକ ଦଳ ଇସ୍ତାହାରରେ ରଖନ୍ତୁ। ମୃତ୍ତିକା ସଂରକ୍ଷଣ ନେଇ ପଲିସି ଆସିବା ଦରକାର।
ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଇ ସଦଗୁରୁ କହିଛନ୍ତି, ଭାରତରେ ସଂରକ୍ଷିତ ହୋଇଥିବା ଜଳରାଶିର ମାତ୍ର ୪% ପାଣି ବରଫ ତରଳି ହୋଇଥାଏ। ଅବଶିଷ୍ଟ ୯୬% ପାଣି ମୌସୁମୀଜନିତ ବର୍ଷାରୁ ଆସିଥାଏ। ମୌସୁମୀଜନିତ ବର୍ଷା ପ୍ରତି ବର୍ଷ ୭୦-୧୧୦ ଦିନ ପର୍ଯ୍ୟନ୍ତ ହୋଇଥାଏ। ତେଣୁ ଏହି ପାଣିକୁ ସଂରକ୍ଷିତ କରି ରଖି ନ ପାରିଲେ ମାଟି ଉପରେ ତାହା ବୋହି ଯିବ। ଯାହାକି ବନ୍ୟାର ରୂପ ନେବ। ତେଣୁ ମାଟିର ସୁରକ୍ଷା ନେଇ ନୀତି ତିଆରି ହେବା ଦରକାର ବୋଲି କହିଛନ୍ତି ସଦ୍ଗୁରୁ। ଏନେଇ ସେ ବିଶ୍ୱର ୭୩୦ ରାଜନୈତିକ ଦଳକୁ ଚିଠି ମଧ୍ୟ ଲେଖିଛନ୍ତି ବୋଲି କହିଛନ୍ତି।