ରତ୍ନଭଣ୍ଡାର ଯାଞ୍ଚ ଦାବି ବେଳେ କାନାଡ଼ାରେ ଛୁଟି ବିତାଇବାକୁ ଯିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଯାଂଚ ଓ ମରାମତି ପାଇଁ ବିଭିନ୍ନ ମହଲରୁ ହେଉଥିବା ଦାବି ଭିତରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) କର୍ତ୍ତୃପକ୍ଷ ଚିଠି ଲେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଛୁଟି କଟାଇବାକୁ କାନାଡ଼ା ଯିବା ପାଇଁ ସଜବାଜ ହେଉଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଂଚ ଓ ମରାମତି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବଙ୍କୁ ବିଦେଶରେ ଛୁଟିରେ ବିତାଇବା […]

Puri

Ordigital Desk
  • Published: Saturday, 13 August 2022
  • , Updated: 13 August 2022, 09:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଯାଂଚ ଓ ମରାମତି ପାଇଁ ବିଭିନ୍ନ ମହଲରୁ ହେଉଥିବା ଦାବି ଭିତରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) କର୍ତ୍ତୃପକ୍ଷ ଚିଠି ଲେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଛୁଟି କଟାଇବାକୁ କାନାଡ଼ା ଯିବା ପାଇଁ ସଜବାଜ ହେଉଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଂଚ ଓ ମରାମତି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବଙ୍କୁ ବିଦେଶରେ ଛୁଟିରେ ବିତାଇବା ନିମନ୍ତେ ଯିବାକୁ ରାଜ୍ୟ ସରକାର କିଭଳି ଅନୁମତି ଦେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆଭ୍ୟନ୍ତରୀଣ ଭାଗ କିଭଳି ରହିଛି ତା’ର ଯାଂଚ ଓ ମରାମତି ନିମନ୍ତେ ଏଏସଆଇ ଦାବି କରୁଥିଲେ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ଏଦିଗରେ ନିରବ ରହିବା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଦେଶ ଯିବା ଆଦି ଘଟଣା ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହଘେରକୁ ଟାଣିଛି ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ଆସନ୍ତା ୨୧ତାରିଖରୁ ସେପ୍ଟେମ୍ବର ୧୧ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଚଳିତ ସପ୍ତାହରେ ଅଧିକାଂଶ ଦିନ ଛୁଟି ରହୁଥିବାରୁ ଶ୍ରୀ ଯାଦବ ମଧ୍ୟ ଚଳିତ ସପ୍ତାହରେ ଓଡ଼ିଶାରେ ରହିବେ ନାହିଁ ବୋଲି ଜଣାପଡ଼ିଛି । ଏପରିକି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟିର ଆଶଙ୍କା ଥିବାବେଳେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ଶ୍ରୀ ଯାଦବଙ୍କୁ ବିଦେଶ ଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିଭଳି ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀ ଯାଦବ ଏବେ ଏକକାଳୀନ ୩ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାବେଳେ ତାଙ୍କ ଅନୁପସ୍ଥିତିରେ ସରକାର କେବଳ ପୂର୍ତ୍ତ ବିଭାଗ ଓ ଖାଦ୍ୟଯୋଗାଣ ବିଭାଗର ଦାୟିତ୍ୱ ଅନ୍ୟ ଅଫିସରଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ କାହାକୁ ଦେଇନାହାନ୍ତି । ଅର୍ଥ ସଚିବ ବିଶାଳ କୁମାର ଦେବଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଥିବାବେଳେ ପଂଚାୟତିରାଜ ସଚିବ ଅଶୋକ କୁମାର ମୀନାଙ୍କୁ ଖାଦ୍ୟଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀ ମୀନାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିସାରିଥିବାରୁ ସେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଛାଡ଼ିବାକୁ ସଜବାଜ ହେଉଥିବାବେଳେ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ତେବେ ପ୍ରଶ୍ନ ଉଠୁଛି, କୋଟିକୋଟି ଶ୍ରଦ୍ଧାଳୁଙ୍କ ଭାବନା ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ଯାଂଚ ପାଇଁ ଦାବି ଜୋର ଧରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ଶ୍ରୀ ଯାଦବଙ୍କୁ ଛୁଟିରେ ଯିବାକୁ କିଭଳି ଅନୁମତି ମିଳିଲା । ଯଦି ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଗଲା, ସରକାର କାହିଁକି ଏହି ଦାୟିତ୍ୱ ଅନ୍ୟ କୌଣସି ଅଫିସରଙ୍କୁ ଦେଇନାହାନ୍ତି । ଏଏସଆଇ କର୍ତ୍ତୃପକ୍ଷ ରତ୍ନଭଣ୍ଡାରର ଯାଂଚ ଓ ମରାମତି ଚାହୁଁଥିବାବେଳେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ନିରବ ରହିଛନ୍ତି?

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ଏପ୍ରିଲ ୪ ତାରିଖରେ ୧୭ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ଯାଇଥିଲେ । କିନ୍ତୁ ରତ୍ନଭଣ୍ଡାର ଚାବି ମିଳୁନି ବୋଲି ମନ୍ଦିର ପ୍ରଶାସନ କହିବା ପରେ ରତ୍ନଭଣ୍ଡାରର ଆଭ୍ୟନ୍ତରୀଣ ଯାଂଚ କାର୍ଯ୍ୟ ସମ୍ପନ୍ନ ହୋଇପାରିନଥିଲା । ଏହି କାରଣରୁ ରତ୍ନଭଣ୍ଡାରର ଆଭ୍ୟନ୍ତରୀଣ ଭାଗ ସୁରକ୍ଷିତ ରହିଛି କି ନାହିଁ ତାକୁ ନେଇ କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଆଉ ସରକାର ମଧ୍ୟ ଏହି ସନ୍ଦେହକୁ ଦୂର କରିବା ଦିଗରେ ସକରାତ୍ମକ ପଦକ୍ଷେପ ନେବା ପରିବର୍ତ୍ତେ ଦାୟିତ୍ୱରେ ଥିବା ଅଫିସରଙ୍କୁ ବିଦେଶରେ ଛୁଟି ବିତାଇବାକୁ ଅନୁମତି ଦେଇ ପରୋକ୍ଷରେ ନିଜର ଦାୟିତ୍ୱହୀନତା ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।

Related story