ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆରଡି ଅଫିସ ଜଗୁଆଳୀ ସୋମନାଥ ଦାସ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୁଲୁ ଜେନା ଓରଫ ପରମାନନ୍ଦ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ୫ଟି ମୋବାଇଲ ଆଉ ୨ଟି ବାଇକ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ୪ରୁ ୫ ଜଣ ଏବେ ବି ଫେରାର ଥିବା ପୋଲିସ କହିଛି । ଆର ଡି ଅଫିସରେ ଠିକାଦାରମାନଙ୍କ ଅସାମାଜିକ କାର୍ଯ୍ୟକୁ ସୋମନାଥ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୁକ୍ତମାନେ କହିଥିବା ଜଗତସିଂପୁର ଏସପି କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ବୁଲୁ ଜେନା ନାଁରେ ପୂର୍ବରୁ ୨୧ଟି ଓ ଗିରଫ ହୋଉଥିବା ତା ସହଯୋଗୀ ବାବୁନା ରାଏ ନାଁରେ ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି। ଗତ ମେ ୨୩ ତାରିଖରେ ଜଗତସିଂହପୁର ଆରଡି ଅଫିସ୍ ପରିସରରେ ରାତ୍ରୀ ଜଗୁଆଳୀ ଭାବେ କାମ କରୁଥିବା ସୋମନାଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।