ଜାନକୀବଲ୍ଲଭଙ୍କ ଶେଷଦର୍ଶନ କଲେ ବହୁ ବିଶିଷ୍ଟ ବ୍ୟକ୍ତି; ଆସନ୍ତାକାଲି ଶେଷକୃତ୍ୟ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମରଶରୀର ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଫରେଷ୍ଟ ପାର୍କସ୍ଥିତ ତାଙ୍କ ବାସଭବନକୁ ସାଧାରଣ ଲୋକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଥିଲା। ଓଡ଼ିଶା ରାଜ୍ୟପାଳ ଏସି.ସି ଜମୀର ଏହି ବିଶିଷ୍ଟ ରାଜନେତା, ସାମ୍ବାଦିକ, ଲେଖକ ଓ ସଂଗଠକଙ୍କ ଅନ୍ତିମ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ଫୁଲତୋଡ଼ା ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। […]

Capture 34

Rakesh Mallick
  • Published: Tuesday, 21 April 2015
  • , Updated: 21 April 2015, 12:47 PM IST

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମରଶରୀର ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଫରେଷ୍ଟ ପାର୍କସ୍ଥିତ ତାଙ୍କ ବାସଭବନକୁ ସାଧାରଣ ଲୋକଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଥିଲା। ଓଡ଼ିଶା ରାଜ୍ୟପାଳ ଏସି.ସି ଜମୀର ଏହି ବିଶିଷ୍ଟ ରାଜନେତା, ସାମ୍ବାଦିକ, ଲେଖକ ଓ ସଂଗଠକଙ୍କ ଅନ୍ତିମ ଦର୍ଶନ କରିବା ସହିତ ତାଙ୍କ ମରଶରୀରରେ ଫୁଲତୋଡ଼ା ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଶେଷ ଦର୍ଶନ କରିବା ପାଇଁ ଆସିଥିଲେ । ସେ ସ୍ୱର୍ଗତ ଜାନକୀବଲ୍ଲଭଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ଅରୁଣ ସାହୁ, ଅତନୁ ସବ୍ୟସାଚୀ, ବିଧାୟକ ପ୍ରତାପ ଜେନା, ବିଜୟ ମହାନ୍ତି ଓ ମେୟର ଅନନ୍ତନାରାୟଣ ଜେନା ପ୍ରମୁଖ ଆସିଥିଲେ ଓ ଜାନକୀବଲ୍ଲଭଙ୍କ ଶେଷ ଦର୍ଶନ କରିଥିଲେ। ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଜାନକୀବଲ୍ଲଭଙ୍କ ବିୟୋଗରେ ସେ ଦୁଃଖିତ। ସେ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ସଫଳ ପ୍ରଶାସକ ଥିଲେ। ତା’ସହିତ ସେ ଥିଲେ ଜଣେ ସୁସାହିତି୍ୟକ। ତାଙ୍କ ବିୟୋଗ, ରାଜ୍ୟ ପାଇଁ ଅପୂରଣୀୟ କ୍ଷତି।

ସେହିପରି ଏଆଇସିସି ସଦସ୍ୟ ଶୁଭଙ୍କର ସରକାର, ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ, ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ, ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନ, ଭାଜପା ଉପ-ସଭାପତି ପୃଥ୍ୱୀରାଜ ହରିଚନ୍ଦନ, ସମୀର ମହାନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇ, ପ୍ରଶାନ୍ତ ନନ୍ଦ, ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ, ସମୀର ଦେ, ମନମୋହନ ସାମଲ, କଂଗ୍ରେସ ନେତା ଚନ୍ଦ୍ର ଶେଖର ସାହୁ, ବଟକୃଷ୍ଣ ତ୍ରିପାଠୀ ଓ ସିପିଆଇଏମ ନେତା ଜନାର୍ଦ୍ଧନ ପତି ପ୍ରମୁଖ ଜାନକୀବଲ୍ଲଭଙ୍କ ଶେଷଦର୍ଶନ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ ମଧ୍ୟ ତାଙ୍କର ଶେଷଦର୍ଶନ କରିଥିଲେ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପିସିସି ସଭାପତି ପ୍ରସାଦହରିଚନ୍ଦନ ଓ ସୁରେଶ ରାଉତରାୟ ପ୍ରମୁଖ ସେଠାରେ ଉପସ୍ଥିତ ରହିଥିଲେ।
ରାଜନୀତି ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରର ବହୁ ବିଶିଷ୍ଟବ୍ୟକ୍ତି ମଧ୍ୟ ଜାନକୀବଲ୍ଲଭଙ୍କର ଶେଷଦର୍ଶନ କରିଥିଲେ।

ଆସନ୍ତାକାଲି ଜାନକୀବଲ୍ଲଭଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତେବେ ତା’ପୂର୍ବରୁ ତାଙ୍କ ମରଶରୀରକୁ ତାଙ୍କ ଜନ୍ମଭୂମି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱରକୁ ଯିବ । ସକାଳ ୧୧ଟାରେ ତାଙ୍କ ମରଶରୀରକୁ ପ୍ରଥମେ କଂଗ୍ରେସ ଭବନ ନିଆଯିବ । ସେଠାରୁ ବିଧାନସଭା ଓ ରାମେଶ୍ୱରକୁ ନିଆଯିବ । ସେହିପରି ତାଙ୍କ ନିର୍ବାଚନ ମଣ୍ଡଳୀ ବେଗୁନିଆକୁ ବି ତାଙ୍କ ମୃତୁ୍ୟ ଶରୀରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ତାଙ୍କ ମରଶରୀର ଯାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବ ବୋଲି କହିଛନ୍ତି ତାଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ।

Related story