ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବସ ଷ୍ଟାଣ୍ଡରେ ଶିଶୁ କନ୍ୟା ଜନ୍ମ ଦେଲେ ପ୍ରସୂତି । ଫେରାଇଦେଲେ ମେଡିକାଲ କର୍ତ୍ତୃପକ୍ଷ । ବସ ଷ୍ଟାଣ୍ଡରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଦୀର୍ଘ 4 ଘଣ୍ଟା ପ୍ରସୂତୀ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ମାନବିକତା ଦେଖାଇଲେ ଓଟିଭି ପ୍ରତିନିଧି । ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାଜ ସୁନାଖଳା ବସ ଷ୍ଟାଣ୍ଡର ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।
ପ୍ରସୂତୀ ଜଣକ ହେଉଛନ୍ତି ରଣପୁର ବ୍ଲକ ଗୁଣ୍ଡୁରିଆ ଗାଁର ହାଇଦର ଖାଁ ଙ୍କ ପତ୍ନୀ ମୟୁରୁମ ବିବି । ଗତକାଲି ଯନ୍ତ୍ରଣା ହେବାରୁ ନିଜେ ଫୋନ କରି ୧୦୨ ଆମ୍ବୁଲାନ୍ସକୁ ଡାକି ନିଜ ୧୦ ବର୍ଷ ର ଝିଅ ସହ ରାଜ ସୁନାଖଳା ମାତୃ ଶିଶୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିଲେ। ମାତ୍ର କରୋନା ହୋଇଥିବ କହି ତାଙ୍କୁ ଗତ କାଲି ରାତିରେ ମେଡିକାଲରୁ ତଡି ଦେଲେ ଷ୍ଟାଫ ନର୍ସ । ଡାକ୍ତର ବି ନ ଥିଲେ । ତେଣୁ ପ୍ରସବ ବେଦନାରେ ନିଜେ ଚାଲି ଚାଲି ବସ ଷ୍ଟାଣ୍ଡକୁ ଯାଇଥିଲେ ଏହି ପ୍ରସୂତୀ। ଆଉ ସକାଳେ ସେ ଜନ୍ମ ଦେଇଥିଲେ ଏକ ଶିଶୁ କନ୍ୟା ।
ହେଲେ ଏହି ସମୟରେ ବିକଳ ହୋଇ ସହାୟତା ମାଗୁଥିଲେ। ମାତ୍ର ଶୁଣିବାକୁ କାହା ପାଖରେ ସମୟ ନଥିଲା । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓଟିଭିର ନୟାଗଡ଼ ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନ । କାଳ ବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସ କୁ ଡାକି ଥିଲେ । ଆମ୍ବୁଲାନ୍ସ କର୍ମଚାରୀ କିଛି ସହାୟତା କରିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଆମ ପ୍ରତିନିଧି ଗ୍ଲୋବସ୍ ଲଗାଇ ଶିଶୁ କନ୍ୟାକୁ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।