ଭୁବନେଶ୍ୱର(ଓଡିଶା ରିପୋର୍ଟର):ନବୀନ ସରକାରଙ୍କ ଦୁଇଟି ଅବୁଝା ଯୋଜନା ଲୋକଙ୍କ ଆଖିରୁ ଲୁହ ନିଗାଡୁଚି। ସରକାର କହିବୁଲୁଛନ୍ତି "କାଳିଆ" ଆଉ "ପିଠା" ଯୋଜନା କାଳେ ଲୋକଙ୍କ ପାଇଁ। କିନ୍ତୁ ବାସ୍ତବରେ ଆଜି ରାଜରାସ୍ତାରେ ଛିଡା ହୋଇ ଭୋ ଭୋ କାନ୍ଦୁଛନ୍ତି ଲୋକେ। ତେଲିଆ ମୁଣ୍ଡରେ ତେଲ ଭଳି ଏଠି ଥିଲା ବାଲା ଆଉ ମୁଁହ ଟାଣୁଆ ଲୋକେ ନିଜ ନାଁରେ ସରକାରୀ ଟଙ୍କା ହାତଉ ଥିବା ବେଳେ ଗରିବ ଖଟିଖିଆ ମାନେ ରାଜରାସ୍ତାରେ ଯାଯାବର ଜୀବନ ବିତାଉଛନ୍ତି।
ବିଧାନସଭା ଚାଲିଥିବା ବେଳେ ନିଜ ଗୁହାରୀ ଜଣାଇବାକୁ ଆସି ପଞ୍ଚାୟତ କାର୍ଯାଳୟରେ କାମ କରୁଥିବା ଝାଡ଼ୁଦାର, ପିଅନ ଓ ରାତ୍ର ଜଗୁଆଳମାନେ ନବୀନ ସରକାରକୁ ଠକ, ଚୋର, ଧପାବାଜ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ସେମାନଙ୍କୁ କାଳେ ସ୍ଥାନୀୟ କୁଜିନେତା ମାନେ ରାତିଅଧିଆ "କାଳିଆ" ଓ "ପିଠା" ପୋଷ୍ଟର ମାରିବାକୁ ବାଧ୍ୟ କରାଯାଉଛି ବୋଲି କହିଛନ୍ତି।
ବର୍ଷ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାମ କରୁଥିବା ଜଣେ କର୍ମଚାରୀ କାନ୍ଦି କାନ୍ଦି କହିଛନ୍ତି ହେ, 'ନବୀନ ବାବୁ ତତେ ନେହୁରା ହେଉଛି। ଆମ ଦୁଃଖ ବୁଝେ। ନହେଲେ ଆତ୍ମହତ୍ୟା କରିଦେବୁ। ମୋ ପିଲାଛୁଆ ବାପାମାଆଙ୍କୁ ମୁଠେ ଖାଇବାକୁ ଦେଇପାରୁନି'।
ସେହିପରି ଆଉଜଣେ କର୍ମଚାରୀ କହିଛନ୍ତି, ଆମକୁ କୋଉ ମାସରେ ୨୦୦ ତ ଆଉ କେବେ ୪୦୦ ଟଙ୍କା ସରପଞ୍ଚମାନେ ଭିକ ଦେଲାପରି ଦେଉଛନ୍ତି। ତାଙ୍କ ନିଜ ଘର କାମରେ ଲଗାଉଛନ୍ତି। ବହୁତ ଅନ୍ୟାୟ ହେଇଗଲା। ଯଦି ସରକାର ଆମକୁ ସ୍ଥାୟୀ ନିଯୁକ୍ତି ନ ଦିଅନ୍ତି, ଉଚିତ ଦରମା ନ ଦିଅନ୍ତି ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ଚେତାବନୀ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।