ବିଜେଡି ଧରିଛି ’କାଳିଆ’ ଭାଲୁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜୁ ଜନତା ଦଳ ପାଇଁ କାଳିଆ ଯୋଜନା ଏବେ ଏକ ଭାଲୁରେ ପରିଣତ ହୋଇଛି। ଏହି ଭାଲୁକୁ ଧରି ଦଳ ଅଡ଼ୁଆରେ ପଡ଼ିଯାଇଛି। ତେଣୁ ଗାଲୁ ମାରି ଖସିବାକୁ ଚେଷ୍ଟା ଚଳେଇଛି। ଏହି କ୍ରମରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି  ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି […]

bjd.jpg,,,,

Tapaswini Nayak
  • Published: Wednesday, 18 September 2019
  • , Updated: 18 September 2019, 03:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜୁ ଜନତା ଦଳ ପାଇଁ କାଳିଆ ଯୋଜନା ଏବେ ଏକ ଭାଲୁରେ ପରିଣତ ହୋଇଛି। ଏହି ଭାଲୁକୁ ଧରି ଦଳ ଅଡ଼ୁଆରେ ପଡ଼ିଯାଇଛି। ତେଣୁ ଗାଲୁ ମାରି ଖସିବାକୁ ଚେଷ୍ଟା ଚଳେଇଛି। ଏହି କ୍ରମରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି  ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ଗତକାଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କାଳିଆ ଯୋଜାନରେ ୩.୪୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ମନ୍ତ୍ରୀଙ୍କ କଥା ମୁଖପାତ୍ର କେମିତି ଓ କାହା ନିର୍ଦ୍ଦେଶରେ କହିଲେ ତାହା ଏକ ପ୍ରଶ୍ନବାଚୀ।

ବିଜେଡି ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ ହିଛନ୍ତି, “କାଳିଆ ଟଙ୍କା ପାଇଥିବା କେବଳ ୧୨ ହଜାର ବଡ଼ ଚାଷୀ ଓ ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ।”

ସେ ଆହୁରି କହିଛନ୍ତି, “ଯେଉଁ ପରିବାରରୁ ଏକାଧିକ ଲୋକ କାଳିଆ ଟଙ୍କା ପାଇଛନ୍ତି, ସେମାନେ ଅଯୋଗ୍ୟ ନୁହନ୍ତି। ଯଦି ପରିବାରର ଏକାଧିକ ଲୋକେ କାଳିଆ ଟଙ୍କା ପାଇଥିବେ, ପରବର୍ତ୍ତୀ କିସ୍ତିରେ ଟଙ୍କା ପାଇବେନି। ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ।”

ଦିଲ୍ଲୀରେ  କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି।”

ସୂଚନାଯୋଗ୍ୟ, ଗତକାଲି କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ।

Related story