ସ୍କୁଲରେ ପଶି ପିଲାଙ୍କୁ ପିଟିଲେ ଟାଟାଷ୍ଟିଲର ସିକ୍ୟୁରିଟି

ଯାଜପୁର(ଓଡ଼ିଶା ରିପୋର୍ଟର): ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ସିକ୍ୟୁରିଟି ଗାର୍ଡ। ଯାଜପୁର ଜିଲ୍ଲା କଳିଙ୍ଗନଗର ଗୋବରଘାଟି ଆବାସିକ ସ୍କୁଲରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ସ୍କୁଲରେ ପଶି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଟାଟାଷ୍ଟିଲର ସିକ୍ୟୁରିଟି ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ୩୩ଜଣ ଛାତ୍ର ଆହତ ଥିବା ବେଳେ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ଛାତ୍ରୀମାନଙ୍କୁ ସିକ୍ୟୁରିଟି ଗାର୍ଡ ମାଡ଼ ମାରି ନାହାନ୍ତି।

ସ୍କୁଲ ପିଲା ସିକ୍ୟୁରିଟି କର୍ମଚାରୀଙ୍କୁ ପଥର ଫିଙ୍ଗୁଥିବା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କ ଏପରି କାଣ୍ଡ ପ୍ରତିବାଦରେ ଲୋକେ ଗୋବରଘାଟିରେ ଏନଏଚ୍‌-୨୦୦ ଅବରୋଧ କରିଛନ୍ତି। ଏହା ସହିତ ସ୍କୁଲ ପିଲାମାନେ ମଧ୍ୟ ଟାଟାଷ୍ଟିଲ ଫାଟକ ‌ଆଗରେ ଧାରଣା ଦେଇଛନ୍ତି।  ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।