ଭୁବନେଶ୍ୱର: କେନ୍ଦ୍ରରେ ଓଡ଼ିଶା କ୍ୟାଡରର ୪ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ ସାର ଓ ରସାୟନ ବିଭାଗ ଯୁଗ୍ମ ସଚିବ ଭାବେ କେନ୍ଦ୍ରୀୟ ନିଯୁକ୍ତି ମିଳିଛି । ଶ୍ରୀ ପାଢ଼ୀ ଏବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀମତୀ ପାଢ଼ୀ ଏବେ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୮ ବ୍ୟାଚ୍ ଆଇଏଏସ୍ ପରାଗ ଗୁପ୍ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଗୁପ୍ତା ରାଜ୍ୟପାଳଙ୍କ ପ୍ରିନ୍ସିପାଲ ସେକ୍ରଟାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଏସ. ଶାଶ୍ୱତୀ ମୌସୁରୀ ଏକାଡେମୀ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।