ଭୁବନେଶ୍ୱର/ବଣାଇଁ: ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଖଣିଜ ପରିବହନ ଭଡ଼ାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ଟ୍ରକ୍ ଏବଂ ଟିପର୍ ଆସୋସିଏସନ୍। ଏହାର ପୁନର୍ବିଚାର କରି ଭଡ଼ା ବୃଦ୍ଧି ନ କଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଆସୋସିଏସନ୍ କହିଛି। ଖଣିଜ ପରିବହନ ନେଇ ୫ଟି ଜିଲ୍ଲାରେ ଲାଗୁ ହୋଇଥିବା ସିଲିଂ ପ୍ରାଇସ୍ ବା ସର୍ବାଧିକ ଭଡ଼ାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କେନ୍ଦୁଝର ଜିଲ୍ଲା ଟ୍ରକ୍ ଓନର୍ ଆସୋସିଏସନ୍ ଏବଂ ସୁନ୍ଦରଗଡ଼ ଟିପର୍ ଆସୋସିଏସନ୍। ସଂଘର ଯୁକ୍ତି ହେଲା, ସରକାର ଧାର୍ଯ୍ୟ କରିଥିବା ଭଡ଼ା ଠିକ୍ ନୁହେଁ। ଜିଲ୍ଲାର ପାରିପାଶ୍ୱିକ ସ୍ଥିତି, ପରିବହନ ବ୍ୟବସ୍ଥା ଓ ରାସ୍ତାଘାଟର ଅବସ୍ଥା ଦେଖିଲେ ଧାର୍ଯ୍ୟ ହୋଇଥିବା ସିଲିଂ ପ୍ରାଇସ୍ ଅନୁସାରେ କ୍ଷତି ସହିବାକୁ ପଡିବ। ତା’ଛଡ଼ା ଜିଲ୍ଲା ବୈଷୟିକ କମିଟି ସୁପାରିସ ଅନୁସାରେ ଭଡା ଧାର୍ଯ୍ୟ ହୋଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସିଲିଂ ପ୍ରାଇସରେ ସଂଶୋଧନ କରା ନ ଗଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚିନ୍ତା କରୁଛି ବୋଲି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ପ୍ରଦୀପ ବାରିକ ଓ ଲହୁଣିପଡ଼ା ଟିପର୍ ମାଲିକ ସଂଘ ସମ୍ପାଦକ ସଞ୍ଜୀବ କୁମାର ଖଟୁଆ କହିଛନ୍ତି। ଏପଟେ ଧାର୍ଯ୍ୟ ହୋଇଥିବା ଭଡ଼ାକୁ ସ୍ୱାଗତ କରିଛି ପୂର୍ବାଞ୍ଚଳ ଖଣି ମାଲିକ ସଂଘ। ପୂର୍ବରୁ ଟନ୍ ପ୍ରତି କିଲୋମିଟର ପିଛା ପରିବହନ ଖର୍ଚ୍ଚ ଅତିକମରେ ୧୫ ଟଙ୍କା ପଡୁଥିଲା। ତେବେ ନୂଆ ଭଡ଼ା କାର୍ଯ୍ୟକାରୀ ହେଲେ ଶିଳ୍ପ ସଂସ୍ଥା ଉପକୃତ ହେବେ ଓ ଉତ୍ପାଦନ ବୃଦ୍ଧିରେ ଏହା ସହାୟକ ହେବ ବୋଲି ପୂର୍ବାଞ୍ଚଳ ଖଣି ମାଲିକ ସଂଘ ସମ୍ପାଦକ ପ୍ରବୋଧ ମହାନ୍ତି କହିଛନ୍ତି।ସୂଚନାଯୋଗ୍ୟ ଯେ, ଅନୁଗୁଳ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲା ପାଇଁ ରାଜ୍ୟ ସରକାର ଖଣିଜ ପରିବହନ ଭଡ଼ା ନିର୍ଦ୍ଧାରଣ କରିଛନ୍ତି। ୧୦୦ କିଲୋମିଟର ବାହାରେ ଖଣିଜ ପରିବହନ ଭଡ଼ା କିଲୋମିଟର ପିଛା ଟନ୍ ପ୍ରତି ଅତିକମରେ ୪ ଟଙ୍କା ୧୦ ପଇସା ଏବଂ ସର୍ବାଧିକ ୬ ଟଙ୍କା ୪୦ ପଇସା ଧାର୍ଯ୍ୟ ହୋଇଛି। ୧୦୦ କିଲୋମିଟର ଭିତରେ ଦିନକୁ ୩୫୦୦ ଟଙ୍କା କିମ୍ୱା ଦିନକୁ ୨୦୦୦ ଟଙ୍କା ସମେତ ରନିଂ କଷ୍ଟର ଦୁଇଗଣା ଟଙ୍କା ଯାହା ସର୍ବାଧିକ ତାହା ଲାଗୁହେବ ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।