ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ରୋଷେଇ କଲେ, ରାତିସାରା ଧାରଣା ଦେଲେ କିଡ୍‌ନୀ ରୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ଆଗରେ ରୋଷେଇ ବାସ କରି ଖାଇ ଅହୋରାତ୍ର ଧାରଣା ଦେଲେ। ଏହି ଧାରଣା ଦେଇଛନ୍ତି କିଡ୍‌ନୀ ରୋଗୀ। କିଡ୍‌ନୀ ରୋଗ ପାଇଁ ମାଗଣାରେ ଔଷଧ ମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସେମାନେ ଜିଦ୍ ଧରିଛନ୍ତି। ସେମାନଙ୍କ କହିବା କଥା, ଗତଥର ଭଳି ଚଳିତ ଥର ମଧ୍ୟ ସ୍ୱାସ୍ଥ୍ୟ ସଚିବ ଏକା କଥା କହିଛନ୍ତି। କୌଣସି ସକରାତ୍ମକ ସମାଧାନ ନିମନ୍ତେ ସଚିବ ଉଦ୍ୟମ କରି ନ […]

kidny

  • Published: Wednesday, 09 November 2022
  • , Updated: 09 November 2022, 04:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘର ଆଗରେ ରୋଷେଇ ବାସ କରି ଖାଇ ଅହୋରାତ୍ର ଧାରଣା ଦେଲେ। ଏହି ଧାରଣା ଦେଇଛନ୍ତି କିଡ୍‌ନୀ ରୋଗୀ। କିଡ୍‌ନୀ ରୋଗ ପାଇଁ ମାଗଣାରେ ଔଷଧ ମିଳିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସେମାନେ ଜିଦ୍ ଧରିଛନ୍ତି।

ସେମାନଙ୍କ କହିବା କଥା, ଗତଥର ଭଳି ଚଳିତ ଥର ମଧ୍ୟ ସ୍ୱାସ୍ଥ୍ୟ ସଚିବ ଏକା କଥା କହିଛନ୍ତି। କୌଣସି ସକରାତ୍ମକ ସମାଧାନ ନିମନ୍ତେ ସଚିବ ଉଦ୍ୟମ କରି ନ ଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ଔଷଧ ଜୋରଜବରଦସ୍ତ ଖାଇବାକୁ କହିଥିଲେ। ଏହାର କୁପ୍ରଭାବ ପଡ଼ିଲେ, ରୋଗୀମାନେ ଖାଉଥିବା ଔଷଧ ଦିଆଯିବ ବୋଲି ମତ ରଖିଥିଲେ।

ଗତଥର ମଧ୍ୟ ସମାନ କଥା କୁହାଯାଇଥିଲା। ତେବେ ଏହାକୁ କିଡ୍‌ନୀ ରୋଗୀମାନେ ବିରୋଧ କରିଥିଲେ। ବ୍ଲାକ୍ ଲିଷ୍ଟେଡ୍ ଔଷଧ ଦିଆଯାଉଥିବାରୁ ୨୫ ଜଣ କିଡ୍‌ନୀ ରୋଗୀଙ୍କ ମୃତ୍ୟୁ ହୋଇଛି ଓ ୧୮ ଜଣଙ୍କ କିଡ୍‌ନୀ ରିଜେକ୍ସନ ହେଲା ବୋଲି ସ୍ୱାସ୍ଥ୍ୟ ସଚିବକଙ୍କୁ କୁହାଯାଇଥିଲା। ୨୦୨୧ରୁ ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ କାହିଁକି ହୋଇନାହିଁ ବୋଲି ପଚାରିବାରୁ, ଉତ୍ତର ଆସିଥିଲା ଆସନ୍ତା ୭ ଦିନ ଭିତରେ ଏହାର ତଦନ୍ତ ହେବ।

ତାଙ୍କ କହିବା କଥା ସ୍ୱାସ୍ଥ୍ୟ ବିଭାଗ ଯେଉଁ ଔଷଧ ଦେଉଛି, ସବୁ ପରିକ୍ଷୀତ। ହେଲେ କିଡ୍‌ନୀ ରୋଗୀମାନେ ଔଷଧ ବଦଳାଇବାକୁ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପରେ ବିଶ୍ୱାସ କରିବାକୁ ଅରାଜି। କାରଣ ତାଙ୍କ କଥାକୁ ବିଶ୍ୱାସ କରି ବହୁତ ଲୋକ ମରିଗଲେ। ତେଣୁ କିଡ୍‌ନୀ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଜଣେ ବିଶେଷଜ୍ଞ ଡାକ୍ତର ଯୋଗାଇ ଦେବା ଓ ରୋଗୀମାନେ ଯିଏ ଯେଉଁ ଔଷଧ ଖାଇ ସୁସ୍ଥ ଅଛି ସେହି ଔଷଧ ଦେବାକୁ ଦାବି ରଖାଯାଇଛି।

ସରକାରୀ ଅଧିକାରୀ ତାଙ୍କ ଜିଦ୍‌ରେ ରୁହନ୍ତୁ, କିନ୍ତୁ ଦାବି ନ ମାନିଲେ କିଡ୍‌ନୀ ରୋଗୀ ପୋକମାଛି ହୋଇ ମାରିବେ ପଛେ ସେମାନଙ୍କ ଜିଦ୍‌ରୁ ମଧ୍ୟ ହଟିବେନି।

ଅନ୍ୟଜଣେ କିଡ୍‌ନୀ ରୋଗୀ କହିଛନ୍ତି, କମ୍ ଦାମ୍‌ରେ ମିଳୁଥିବା ଔଷଧ ରୋଗୀଙ୍କୁ ଦିଆଯାଉଛି। କାରଣ ଏଠାରେ ବଡ ଘୋଟାଲା ଚାଲିଛି। ଡାକ୍ତରଙ୍କ ପରାମର୍ଶ ମୁତାବକ ରୋଗୀମାନେ ଜେନେରିକ୍ ମେଡିସିନ୍ ମାଗୁଛନ୍ତି, ହେଲେ ସ୍ୱାସ୍ଥ୍ୟ ବିଭାଗ ନିଜ ମନମାନି କରୁଛି। ଏହାର ତଦନ୍ତ କରାଯାଉ।

ସୂଚନା ଥାଉକି, ଦିନକ ତଳେ ରାତି ତମାମ ନବ ଦାସଙ୍କ ଘର ଆଗରେ ସେମାନେ ଧାରଣା ଦେଇଥିଲେ। ପରେ ରାସ୍ତାକୁ ଓହ୍ଲାଇଥିଲେ। ଅବରୋଧ କରିଥିଲେ ଭୁବନେଶ୍ୱରର ରାଜଭବନ-ଏଜି ରାସ୍ତା। ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇନାହିଁ। ରୋଗୀଙ୍କୁ ବିନା ମୂଲ୍ୟରେ ଔଷଧ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କିଡ୍‌ନୀ ରୋଗୀମାନେ।

ତେବେ ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା ମିଳିପାରିନି।

Related story