କୋଇଲି ବୈକୁଣ୍ଠରେ ବଳଭଦ୍ରଙ୍କ ଦାରୁ

ଭୁବନେଶ୍ୱର: ଶ୍ରୀମନ୍ଦିରର କୋଇଲି ବୈକଣ୍ଠରେ ମଙ୍ଗଳବାର ସକାଳେ ପହଞ୍ଚି ଯାଇଛନ୍ତି ବଡ଼ଠାକୁର ବଳଭଦ୍ରଙ୍କ ଦାରୁ। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ଦାରୁ ଶଗଡ଼ିଙ୍କୁ ପ୍ରବେଶ କରାଯାଇଥିଲା। ସେଠାରେ କିଛି ପୂଜାର୍ଚ୍ଚନା କରାଯିବା ପରେ ଦାରୁ ଘରେ ଏହି ଦିବ୍ୟଦାରୁଙ୍କୁ ରଖାଯିବ । ଦିବ୍ୟଦାରୁ ଦର୍ଶନ କରିବା ପାଇଁ ଲୋକରଣ୍ୟ ହୋଇଯାଇଥିଲା ଶ୍ରୀମନ୍ଦିର । ଶ୍ରୀମନ୍ଦିର ପରିସରରେ ଗହଳିକୁ ଦେଖି ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା। ମା’ ଶାରଳାଙ୍କ ପୀଠରୁ ପ୍ରାୟ ୧୫୦ କିଲୋମିଟର ବାଟ ଅତିକ୍ରମ କରି […]

shree mandir

Rakesh Mallick
  • Published: Tuesday, 05 May 2015
  • , Updated: 05 May 2015, 04:47 AM IST

ଭୁବନେଶ୍ୱର: ଶ୍ରୀମନ୍ଦିରର କୋଇଲି ବୈକଣ୍ଠରେ ମଙ୍ଗଳବାର ସକାଳେ ପହଞ୍ଚି ଯାଇଛନ୍ତି ବଡ଼ଠାକୁର ବଳଭଦ୍ରଙ୍କ ଦାରୁ। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ଦାରୁ ଶଗଡ଼ିଙ୍କୁ ପ୍ରବେଶ କରାଯାଇଥିଲା। ସେଠାରେ କିଛି ପୂଜାର୍ଚ୍ଚନା କରାଯିବା ପରେ ଦାରୁ ଘରେ ଏହି ଦିବ୍ୟଦାରୁଙ୍କୁ ରଖାଯିବ । ଦିବ୍ୟଦାରୁ ଦର୍ଶନ କରିବା ପାଇଁ ଲୋକରଣ୍ୟ ହୋଇଯାଇଥିଲା ଶ୍ରୀମନ୍ଦିର । ଶ୍ରୀମନ୍ଦିର ପରିସରରେ ଗହଳିକୁ ଦେଖି ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଥିଲା।

ମା’ ଶାରଳାଙ୍କ ପୀଠରୁ ପ୍ରାୟ ୧୫୦ କିଲୋମିଟର ବାଟ ଅତିକ୍ରମ କରି ଗତକାଲି ରାତିରେ ଦାରୁ ଶଗଡ଼ି ଅଠରନଳା ପାଖ ଅଲାମଚଣ୍ଡୀ ମନ୍ଦିରରେ ପହଞ୍ଚିଥିଲେ। ଆଜି ସକାଳେ ବିଭିନ୍ନ ନୀତି ସଂପନ୍ନ ହେବା ପରେ ଦାରୁଶଗଡ଼ି ଯାତ୍ରା ଆରମ୍ଭ ହୋଇଥିଲା । ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ ଏହି ଦିବ୍ୟଦାରୁଙ୍କ ଶଗଡ଼ି। ଏହି ସମୟରେ ଦାରୁ ଶଗଡ଼ିକୁ ଟାଣି ନେବା ପାଇଁ ଓ ଦାରୁ ଦର୍ଶନ ପାଇଁ ପୂରା ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପରିସରରେ ଜମି ଥିଲା ଭକ୍ତଙ୍କ ଗହଳି । ଆଉ ଏହା ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା।

ଗତକାଲି ସକାଳେ ତେଇଶିପୁରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଥିଲେ ବଡ଼ଠାକୁର ବଳଭଦ୍ରଙ୍କ ଦାରୁ ଶଗଡି । ବାଟରେ ବୀରଗୋବିନ୍ଦପୁରଠାରେ ଶଗଡ଼ିଙ୍କ ଏକ ଚକ ପରିବର୍ତ୍ତନ କରାଯାଇଥିଲା। ପରେ ପୁଣି ଦାରୁ ଶଗଡ଼ି ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଥିଲେ । ରାତି ପ୍ରାୟ ସାଢ଼େ ୧୦ଟାରେ ଅଠରନଳା ଡେଇଁ ଦାରୁ ପହଞ୍ଚିଥିଲେ ଅଲାମଚଣ୍ଡୀ ମନ୍ଦିର ପରିସରରେ।

ଗତ ଏପ୍ରିଲ ୧୭ ତାରିଖରେ ଜଗତସିଂହପୁର ଝଙ୍କଡ଼ସ୍ଥିତ ମା’ଶାରଳାଙ୍କ ପୀଠରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ ହୋଇଥିବା ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ରୀତିନୀତି ଅନୁସାରେ ବନଯୋଗ, ଦାରୁ ଛେଦନ, ଚଉପଟି ଓ ଶଗଡ଼ି ନିର୍ମାଣ ପରେ ଏପ୍ରିଲ ୨୮ ତାରିଖ ସଂଧ୍ୟାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ବଳଭଦ୍ରଙ୍କ ଦାରୁ ଶଗଡ଼ି।

Related story