ବୁଧବାର ବିଧାନସଭାରେ ମହାଲେଖାନିୟନ୍ତ୍ରକ ବା ସିଏଜି ଦୁଇଟି ରିପୋର୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟରେ 2015ରୁ 2022 ଭିତରେ ଲଘୁ ଖଣିଜ ପଦାର୍ଥର ପରିଚାଳନା ଉପରେ ଗୋଟିଏ ରିପୋର୍ଟ ରହିଥିବାବେଳେ ଅନ୍ୟଟି 2014ରୁ ଖଣି ଅଂଚଳର ବିକାଶ ପାଇଁ ବ୍ୟବହାର ହେଉଥିବା ଓମବାଡସି ପାଣ୍ଠିର ସମୀକ୍ଷା ଥିଲା। ଅଳ୍ପ କିଛି ସ୍ଥଳକୁ ତଥ୍ୟ ସହ ଟେଷ୍ଟ ଚେକ୍ କଲା ପରେ ସିଏଜି କିଛି ମୁଖ୍ୟ ତ୍ରୁଟି ଧରିଛନ୍ତି।
- 2015ରୁ 2022 ଭିତରେ ରାଜ୍ୟ ସରକାର ଲଘୁ ଖଣିଜ ପଦାର୍ଥରୁ ମାତ୍ର 2968.75 କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି।
- ସିଏଜି ଟିମ୍ ନମୁନା ସ୍ୱରୂପ 22ଟି ତହସିଲର 520ଟି ଖାଦାନ ଯାଞ୍ଚ କଲାବେଳେ 147ଟି ଖାଦାନ ଚାଲୁଥିଲା ଅର୍ଥାତ୍ ମାତ୍ର 28.27 ପ୍ରତିଶତ ଖାଦାନ ସଚଳ ଥିଲା। 373ଟି ଚାଲୁନଥିଲା, ଅର୍ଥାତ୍ 71.73% ଖାଦାନ ଅଚଳ ଥିବା ଦେଖିଥିଲେ।
- ଜଳେଶ୍ୱର, ଗୁରୁଣ୍ଡିଆ ଓ ଜଗତସିଂହପୁରର ତହସିଲଦାର ଲିଜ୍ ପାଇଥିବା ଲୋକଙ୍କୁ ମାଇନିଂ ପ୍ଲାନ୍ ଦେଇଥିଲେ ବି ପରିବେଶ ଅନୁମତି ବା ଇସି ପାଇଁ ଆବେଦନ କରିନଥିଲେ। ଫଳରେ ଧାର୍ଯ୍ୟ ସମୟରେ ଖାଦାନ ନିଲାମ ନହେବାରୁ ରାଜ୍ୟର 20.10 କୋଟି ଟଙ୍କା କ୍ଷତି ହୋଇଥିଲା।
- ଲିଜଧାରୀମାନେ ଲିଜ୍ ନ କରି ଖାଦାନରୁ ଲଘୁ ଖଣିଜ ପଦାର୍ଥ ଖୋଳି ଚାଲିବାରୁ ବେଆଇନ ଭାବେ 4.38 କୋଟି ଟଙ୍କା ନେଇଯାଇଥିଲେ।
- ଲିଜଧାରୀମାନେ ମାଇନିଂ ପ୍ଲାନ୍ ବାହାରେ 33.50 କୋଟି ଟଙ୍କାର ଖଣିଜ ପଦାର୍ଥ ଖୋଳିନେଇଥିଲେ।
- ତହସିଲଦାରମାନଙ୍କ ଅବହେଳାରୁ ଧର୍ମଶାଳା ଡଙ୍କାରୀ କଳାପଥର ଖଣିରୁ ଅନୁମତି ବାହାରେ 58.66 କୋଟି ଟଙ୍କାର ପଥର ଖୋଳି ନିଆଗଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାରଣରୁ ଏପର୍ଯ୍ୟନ୍ତ ଏହି ବକେୟା ଦେୟ ଆଦାୟ ହୋଇପାରିଲା ନାହିଁ।
- ସାଟେଲାଇଟ୍ ଓ ଟେକନୋଲୋଜିର ଉଯଯୁକ୍ତ ବ୍ୟବହାର ନହେବାରୁ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଲୁଟ ହେଲା।
- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ OMBDAC ବା ଖଣି ଅଂଚଳ ଉନ୍ନୟନ ବିକାଶ ପାଣ୍ଠି ଗଢ଼ାଯାଇଥିଲା। ଏହି ପାଣ୍ଠିରେ 2015 ଜାନୁଆରୀ 10 ସୁଦ୍ଧା 8,669.42 କୋଟି ଟଙ୍କା ଥିଲା।
- ସୁପ୍ରିମକୋର୍ଟଙ୍କ 2017 ମସିହାର ନିର୍ଦ୍ଦେଶକ୍ରମେ ବେଆଇନ ଖଣି ଉତ୍ତୋଳନ ପାଇଁ 2000 ମସିହାରୁ ବେକୟା ହିସାବ କରିଥିଲା ଖଣି ବିଭାଗ। ଏହିକ୍ରମରେ ଲିଜଧାରୀମାନେ 2022 ସୁଦ୍ଧା 16,833.54 କୋଟି ଟଙ୍କା କ୍ଷତିପୂରଣ ଦେଇଥିଲେ। ଛଅ ବର୍ଷ ପରେ ବି ଖଣି ବିଭାଗ ପରିବେଶ ଆଇନ ଉଲ୍ଲଂଘନ କରିଥିବା ଲିଜଧାରୀଙ୍କଠାରୁ 3966.34 କୋଟି ଟଙ୍କା ଆଦାୟ କରିପାରିନଥିଲା କି ଆଦାୟ କରିବା ପାଇଁ ବିଶେଷ ପଦକ୍ଷେପ ନେଇନଥିଲା।
- ଓମବାଡସି ପାଣ୍ଠିରେ ତିଆରି ଅନେକ ପାନୀୟ ଜଳ ପ୍ରକଳ୍ପ, ଘର ଠିକ୍ ସମୟରେ ତିଆରି ହୋଇନପାରି କୋଟି କୋଟି ଟଙ୍କାର କ୍ଷତି ଘଟିଥିଲା।
- ଟଙ୍କା ଥିଲେ ବି ଖଣି ପ୍ରଭାବିତ ଆଦିବାସୀ ଅଂଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଓ ପୁଷ୍ଟି ଦିଗରେ ଯଥେଷ୍ଟ କାମ ପଛେଇ ଯାଇଥିଲା