ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ମାନଚିତ୍ରରୁ କୋଟିଆର ଚିହ୍ନ ବର୍ଣ୍ଣ ଲିଭେଇ ଦେବାକୁ ଷଡ଼ଯନ୍ତ୍ର ରଚିଥିବା ପଡୋଶୀ ଆନ୍ଧ୍ର ଆଉ ବୋଲ ମାନୁନି। ଓଡ଼ିଆ ହଟାଇ ତେଲୁଗୁ ଫଳକ ମାରିବାକୁ ଯୋଜନା କରୁଥିବା ଜଗନ୍ ସରକାର ଆଉ ଏକ ଚାଲ୍ ଖେଳିଛନ୍ତି। କୋଟିଆରେ ଥିବା ଓଡ଼ିଆଙ୍କ ମନ ଜିଣିବା ପାଇଁ ଚାଉଳ, କମ୍ବଳ, ବାର୍ଦ୍ଧକ୍ୟ ଭତ୍ତା, ମାଗଣା ସ୍ୱାସ୍ଥ୍ୟସେବା, ଶିକ୍ଷାଦାନ ଆଦିର ଯୋଗାଇ ଆନ୍ଧ୍ର ସରକାର ଏବେ କୃଷିଋଣ ଦେବାକୁ ଏହି ମାଷ୍ଟରପ୍ଲାନ୍ ତିଆରି କରିଛି। ତା’ପୁଣି ପୂର୍ବରୁ ନିଜେ ଦେଇଥିବା ଜଙ୍ଗଲ ଜମି ପଟ୍ଟା ଆଧାରରେ। ଆଉ ଏହି ଋଣର ଲୋଭରେ ଆନ୍ଧ୍ର ଧାଉଁଛନ୍ତି କୋଟିଆ ଆଦିବାସୀ।
ଜମି ପଟ୍ଟା ଉପରେ କୃଷିଋ଼ଣ ଦିଆଯିବ ବୋଲି ଡକରା ପାଇବା ପରେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲ୍ସା, ତାଡ଼ିବାଲ୍ସା ଏବଂ ଉପରସେମ୍ବି ବାସିନ୍ଦାର ୩୦ ଜଣ ପଡୋଶୀ ଆନ୍ଧ୍ରର ସାଲୁର ମଣ୍ଡଳ ଅନ୍ତର୍ଗତ ଦଣ୍ଡିଗାମକୁ ଯାଇଥିଲେ। ଆଉ ସେଠାକାର ପଞ୍ଚାୟତ ଅଫିସରେ ଦାଖଲ କରିଛନ୍ତି ଜମି ପଟ୍ଟା। ଏହାର ଯାଞ୍ଚ ପରେ ହିତାଧିକାରୀ ଚୟନ କରି ଆନ୍ଧ୍ର ପକ୍ଷରୁ କୃଷିଋ଼ଣ ଦିଆଯିବ ବୋଲି କୁହାଯାଉଛି।
ଅଣସର୍ଭେ ଇଲାକା କୁହାଯାଉଥିବା କୋଟିଆ ଗ୍ରାମପୁଞ୍ଜରେ ୨୦୦୮ରେ ଜଙ୍ଗଲ ଜମି ଆଇନ ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଘର ଏବଂ ଚାଷ ଜମି ପାଇଁ ପଟ୍ଟା ଦିଆଯାଇଥିଲା। ତାମଧ୍ୟରେ ଥିଲେ ଦୀର୍ଘ ବର୍ଷ ଧରି ଏଠି ବସବାସ କରୁଥିବା ଆନ୍ଧ୍ରର ଦୋରା ସଂପ୍ରଦାୟର ଆଦିବାସୀ। ତେବେ ତାଡ଼ିବାଲ୍ସାରେ ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡ଼ା, କୌଣସି ପଟ୍ଟା ଖଣ୍ଡେ ଦେଇପାରିନାହାନ୍ତି ଓଡ଼ିଶା ସରକାର। କେବଳ ତାଡ଼ିବାଲ୍ସା ନୁହେଁ, ଏକାଧିକ ଗାଁର ଆଦିବାସୀ ସଂପ୍ରଦାୟ ପକ୍ଷରୁ ପଟ୍ଟା ପାଇଁ ଦାବି ବି କରାଯାଇଛି। କିନ୍ତୁ ଓଡ଼ିଶା ସରକାର ନଶୁଣିବାରୁ ଗତ ଜୁଲାଇରେ ଆନ୍ଧ୍ର ପଶିଆସି ୨୫୬ ଜଣଙ୍କୁ ବାଣ୍ଟିଛି ଜଙ୍ଗଲ ଜମି ପଟ୍ଟା। ଆଉ ସେହି ପଟ୍ଟା ଆଧାରରେ ଏବେ କୃଷିଋଣ ଦେବାକୁ ବଛାଯାଉଛି ହିତାଧିକାରୀ।
କୋଟିଆ ବାସୀଙ୍କ ମନ ଜିଣିବାକୁ ଆନ୍ଧ୍ରର ଏହି କୃଷିଋଣ ଚାଲ୍ ପାଇଁ ଓଡ଼ିଶା ସରକାରଙ୍କୁ ବିଜେପି ଦାୟୀ କରିଛି। ତେଣେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି କହିଛି।