‘ମେଡିକାଲ୍‌ କଲେଜ କର, ନହେଲେ ଆଦିବାସୀଙ୍କୁ ଜମି ଫେରାଅ’

ରାଉରକେଲା(ପୱନ ତିୱାରୀ): “ମେଡିକାଲ୍‌ କଲେଜ ପ୍ରତିଷ୍ଠା କର। ନହେଲେ ଆଦିବାସୀଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯାଉ। କୌଣସି ପରିସ୍ଥିତିରେ ସ୍ପଞ୍ଜ ଆଇରନ୍‌ କାରଖାନା ପ୍ରତିଷ୍ଠା କରାଇ ଦେବୁନାହିଁ।” ଏପରି ଚେତାବନୀ ଦେଇ ପାଚେରୀ ନିର୍ମାଣ କରୁଥିବା ମହାବୀର କମ୍ପାନୀର କର୍ମଚାରୀଙ୍କୁ ଗତକାଲି ରାତିରେ ଘଉଡାଇ ଦେଇଛନ୍ତି ସ୍ଥାନୀୟ ଲୋକ। ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଡାଇରୀ ଫାର୍ମ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନକୁ କୁଆଁରମୁଣ୍ଡା ନାଗରିକ କମିଟି ଓ ଆଖ ପାଖ ଗାଁର ଶତାଧିକ […]

kuarmunda-nagarika-committee-opposed-mahavir-company

Manoranjan Sial
  • Published: Sunday, 02 February 2020
  • , Updated: 02 February 2020, 04:54 PM IST

ରାଉରକେଲା(ପୱନ ତିୱାରୀ): “ମେଡିକାଲ୍‌ କଲେଜ ପ୍ରତିଷ୍ଠା କର। ନହେଲେ ଆଦିବାସୀଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯାଉ। କୌଣସି ପରିସ୍ଥିତିରେ ସ୍ପଞ୍ଜ ଆଇରନ୍‌ କାରଖାନା ପ୍ରତିଷ୍ଠା କରାଇ ଦେବୁନାହିଁ।” ଏପରି ଚେତାବନୀ ଦେଇ ପାଚେରୀ ନିର୍ମାଣ କରୁଥିବା ମହାବୀର କମ୍ପାନୀର କର୍ମଚାରୀଙ୍କୁ ଗତକାଲି ରାତିରେ ଘଉଡାଇ ଦେଇଛନ୍ତି ସ୍ଥାନୀୟ ଲୋକ। ଏହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଡାଇରୀ ଫାର୍ମ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନକୁ କୁଆଁରମୁଣ୍ଡା ନାଗରିକ କମିଟି ଓ ଆଖ ପାଖ ଗାଁର ଶତାଧିକ ଲୋକ ସମର୍ଥନ ଜଣାଇଛନ୍ତି। ରାଷ୍ଟ୍ରୀୟ ଗୋକୁଲ ମିଶନରେ ସାମିଲ ଥିବା କୁଆଁରମୁଣ୍ଡା ଡାଇରୀ ଫାର୍ମର ଜମି କେମିତି ଘୋରାଇ କମ୍ପାନୀକୁ ବିକିଦିଆଯାଉଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ।

ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ କୁଆଁରମୁଣ୍ଡାରେ ଡାଇରୀ ଫାର୍ମ ପ୍ରତିଷ୍ଠା କରାଯାଇଥିଲା। ଆଦିବାସୀମାନେ ନିଜ ବାପ ଅଜାଙ୍କ ଅମଳର ଜମିକୁ ଡାଇରୀ ଫାର୍ମକୁ ଦେଇଥିଲେ। ଏବେ ସେଠାରେ ଡାଇରୀ ଫାର୍ମ ଚାଲିଛି। ତେବେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତରେ ଯାଇ କୁଆଁରମୁଣ୍ଡା ଡାଇରୀ ଫାର୍ମ ପରିସରରେ ପ୍ରାୟ ୨୦ ଏକର ଜମିରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ସଦୃଶ ହୋଇଛି। ଆଜି ପର୍ଯ୍ୟନ୍ତ ସେଠାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ହୋଇପାରି ନାହିଁ।

ଡାଏରୀ ଫାର୍ମର ଜମିକୁ ଇଡ୍‌କୋ ମହାବୀ କମ୍ପାନୀକୁ ସ୍ପଞ୍ଜ ଆଇରନ୍‌ କାରଖାନା କରିବାକୁ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ମହାବୀର କମ୍ପାନୀ ପକ୍ଷରୁ ଉକ୍ତ ଜମିରେ ପାଚେରୀ ନିର୍ମାଣ କରାଯାଉଥିଲା। ପାଖାପାଖି ଏକ କିଲୋମିଟର ପାଚେରୀ ନିର୍ମାଣ କରାଯାଇ ଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ପାଚେରୀ କାମରେ ନୟୋଜିତ କର୍ମଚାରୀଙ୍କ ଘଉଡାଇ ଦେଇଥିଲେ। ପାଖାପାଖି ୪୦ରୁ ଅଧିକ ଟ୍ରକ, ଜେସିବି, ପୋକଲିନ ଜବତ କରି କୁଆଁରମୁଣ୍ଡା ଫାଣ୍ଡିକୁ ହସ୍ତାନ୍ତର କରିଥିଲେ। ଏବେ ମଧ୍ୟ ଘଟଣା ସ୍ଥଳରେ ଜେନେରେଟର, ସିମେଣ୍ଟ ବସ୍ତା, ଇଟା, ଛଡ଼, ପିଲର୍, ଆଦି ପଡ଼ି ରହିଛି। ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଆସିନାହାନ୍ତି। ତେବେ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି।

ଜଣେ ଆନ୍ଦୋଳନକାରୀ କହିଛନ୍ତି-“ମେଡିକାଲ୍‌ କଲେଜ କରିବେ ବୋଲି କହିଥିଲେ। ଏବେ ସେହି ଜମିକୁ ଏକ ସ୍ପଞ୍ଜ ଆଇରନ୍‌ କାରଖାନା ମାଲିକକୁ ହସ୍ତାନ୍ତର କରାଯାଉଛି। ଏପରିକି ରାତିରେ କମ୍ପାନୀ କର୍ତ୍ତୃପକ୍ଷ ପାଚେରୀ ନିର୍ମାଣ କରୁଥିଲେ। ଯାହାକୁ ଆମେ ବିରୋଧ କରୁଛୁ। କୌଣସି ପରିସ୍ଥିତିରେ ଏଠାରେ ସ୍ପଞ୍ଜ ଆଇରନ୍‌ କାରଖାନା ପ୍ରତିଷ୍ଠା କରିବାକୁ ଦେବୁ ନାହିଁ। ମେଡିକାଲ କଲେଜ ନହେଲେ, ଆଦିବାସୀଙ୍କ ଜମିକୁ ଆଦିବାସୀଙ୍କୁ ଫେରାଇ ଦିଆଯାଉ।”

Related story