ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲିରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ନେଇ କ୍ରାଇମେ୍ବ୍ରାଞ୍ଚ NHRCରେ ଦାଖଲ କରିଥିବା ତଦନ୍ତ ରିପୋର୍ଟ ପୂରା ଘଟଣାକୁ ନୂଆ ମୋଡ ଦେଇଛି। ପୀଡିତାଙ୍କ ସହ ଆଦୌ ଦୁଷ୍କର୍ମ ହୋଇ ନଥିବା କ୍ରାଇମବ୍ରାଞ୍ଚ ଡିସେମ୍ବର ୧୪ ତାରିଖରେ ରିପୋର୍ଟରେ ଦର୍ଶାଇଥିଲା। ନିଜ ପ୍ରେମ ବ୍ୟାପାର ଲୁଚାଇବାକୁ ଯାଇ ପୀଡିତା ଓ ସେ ଭଲ ପାଉଥିବା ନାବାଳକ ମିଥ୍ୟା ଅଭିଯୋଗ ଆଣିଥିବା ଏଥିରେ କୁହାଯାଇଛି। ଓଟିଭି ହାତରେ ଏହି ରିପୋର୍ଟ ଲାଗିଥିବା ବେଳେ ଏହାର ସତ୍ୟତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

କୁନ୍ଦୁଲି ମାମଲାରେ ଗତ ଡିସେମ୍ବର ୧୪ ତାରିଖରେ NHRCଙ୍କ ନିକଟରେ କ୍ରାଇମବ୍ରାଞ୍ଚର ଆକ୍ସନ ଟେକନ୍ ରିପୋର୍ଟ ଦାଖଲ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଗଣଦୁଷ୍କର୍ମ ଅଭିଯୋଗ ଆସିଥିବା ଦିନ ଅର୍ଥାତ ୧୦ ଅକ୍ଟୋବର, ୨୦୧୭ରେ ପୀଡ଼ିତାଙ୍କୁ କୁନ୍ଦୁଲି ସିଏଚସିରେ ଡାକ୍ତରୀ ମାଇନା କରାଯାଇଥିଲା। ପରେ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ୍ ଓ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଅକ୍ଟୋବର ୧୧ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜ ଏଫ୍‌ଏମ୍‌ଟି ବିଭାଗର ଏକ ବିଶେଷଜ୍ଞ ଟିମ୍ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଥିଲେ। ଏହି ଟିମ୍‌ ରିପୋର୍ଟ ଅନୁଯାୟୀ, ପୀଡ଼ିତାଙ୍କ ସହ ନିକଟରେ କୌଣସି ଯୌନକ୍ରିୟା ଲକ୍ଷଣ ଦେଖିବାକୁ ମିଳିନଥିଲା। ଏହାସହ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ କୌଣସି କ୍ଷତ ନଥିଲା। ଡାକ୍ତରୀ ମାଇନା ବେଳେ ଫ୍ରେସ୍ ବ୍ଲିଡିଂର ମଧ୍ୟ କୌଣସି ପ୍ରମାଣ ମିଳିନଥିଲା।

ସେହିପରି ପୀଡ଼ିତାଙ୍କ ଅନ୍ତବସ୍ତ୍ର ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନସିକ୍ ଲାବ୍ରୋଟାରୀକୁ ପଠାଯାଇଥିଲା। ଏଥିରୁ ପୀଡ଼ିତାଙ୍କ ବ୍ୟତୀତ ଅନ୍ୟ କୌଣସି ବାହ୍ୟବସ୍ତୁ ମିଳି ନଥିଲା।

କୋରାପୁଟ ପୋଲିସ୍‌ର ତଦନ୍ତ ଅନୁଯାୟୀ, ଘଟଣା ଦିନ BSF, COBRA, DVF, SOG ଯବାନଙ୍କ ଗତିବିଧି ବି ନୀରିକ୍ଷଣ କରାଯାଇଥିଲା। ସେଦିନ ସେହି ଅଞ୍ଚଳରେ ଯବାନଙ୍କ କୌଣସି ମୁଭମେଣ୍ଟ ନଥିଲା। ଘଟଣାସ୍ଥଳଠାରୁ ସବୁ ସୁରକ୍ଷା କର୍ମୀଙ୍କ କ୍ୟାମ୍ପ ୩୦ କିମି କିମ୍ବା ତା’ଠାରୁ ଅଧିକ ଦୂରରେ ଥିଲା। ମାଓ ଗତିବିଧି ଦୃଷ୍ଟିରୁ ଘଟଣାସ୍ଥଳ ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ସେଠାକୁ ୪୦ରୁ କମ୍ ଫୋର୍ସ ଥାଇ କୌଣସି ଟିମ୍ ଯାଇ ନଥାଏ।

ତଦନ୍ତ ଅନୁଯାୟୀ, ଗାଁର ଜଣେ ନାବାଳକ ସହ ପୀଡ଼ିତାଙ୍କୁ ଘଟଣା ସ୍ଥଳରେ ଶେଷଥର ପାଇଁ ଦେଖାଯାଇଥିଲା। ତଦନ୍ତ ବେଳେ ନାବାଳକ ଜଣକ ମାନିଥିଲା ଯେ, ଘଟଣା ସ୍ଥଳରେ ତାର ଜଣେ ସଂପର୍କୀୟ ଭଉଣୀଙ୍କ ଉପସ୍ଥିତିରେ ପୀଡ଼ିତା ଜଣକ ତାଙ୍କୁ ବାହା ହେବା ପାଇଁ ଜିଦ୍ କରିଥିଲେ। ସେ ଏଥିରେ ରାଜି ନହୋଇ ପୀଡ଼ିତାଙ୍କୁ ଧକ୍କା ଦେବାରୁ ସେ ପଡ଼ି ଯାଇଥିଲେ। ପରେ ସେ ଉଠିପଡ଼ି ନିଜ ସ୍କୁଲ ୟୁନିଫର୍ମ ଚିରି ଦେଇଥିଲେ। ଯଦି ନାବାଳକ ଜଣକ ତାକୁ ବାହା ନହୁଏ, ତାହାଲେ ସେ ଦୁଷ୍କର୍ମ କରିଛି ବୋଲି ଗାଁରେ କହିଦେବ ବୋଲି ଧମକ ଦେଇଥିଲେ। ନାବାଳକ ଜଣକ ଡରିଯାଇ ବାହାହେବା ପାଇଁ ରାଜି ହୋଇଥିଲେ ଓ ଏକଥା ଗାଁରେ ନକହିବାକୁ ଅନୁରୋଧ କରିଥିଲା। ନିଜ ଫଟା କପଡ଼ା ବିଷୟରେ ଲୁଚାଇବାକୁ ଯାଇ ନାବାଳିକା ଜଣକ ପରିବାର ଲୋକଙ୍କୁ କହିଥିଲା ଯେ, ୪ ଜଣ କୋବ୍ରା ପୋଲିସ୍ ତା’ସହ ଦୁଷ୍କର୍ମ କରିଥିଲେ। ନାବାଳକର ବୟାନ୍‌ର ମଧ୍ୟ ଭିଡିଓ ରେକର୍ଡ କରାଯାଇଥିଲା। ଏପରିକି ଅକ୍ଟୋବର ୧୬ ପଲିଗ୍ରାଫ୍ ଟେଷ୍ଟରେ ମଧ୍ୟ ନାବାଳକ ସମାନ ଉତ୍ତର ଦୋହରାଇଥିଲା।

ଏଚ୍‌ଆରପିସି ଏଡିଜି ମଧ୍ୟ ଏହି ଘଟଣାର ତଦନ୍ତ କରିଥିଲେ। ୟୁନିଫର୍ମ ପିନ୍ଧା କୌଣସି ବ୍ୟକ୍ତି ପୀଡ଼ିତା ସହ ଦୁଷ୍କର୍ମ କରିଥିବା ନେଇ କୌଣସି ତଥ୍ୟ ପ୍ରମାଣ ମିଳି ନଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।