ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିରର କେଉଁ ଉପାନ୍ତ ନୁହେଁ, ଖୋଦ୍ ସହରର ଛାତି ଉପରେ ହୋଇଛି କୋଟି କୋଟି ଟଙ୍କା ମୂଲ୍ୟର ଜମି କେଳେଙ୍କାରୀ। ଯାହାର ନେତୃତ୍ୱ ଖୋଦ୍ ବଲାଙ୍ଗିର ତହସଲଦାର ନେଇଥିବା ସଙ୍ଗୀନ ଅଭିଯୋଗ ଆସିଛି। ଯାହା ପରେ ସରକାରୀ ବାବୁଙ୍କ ସ୍ୱଚ୍ଛତା ଓ ୫ଟି ନିର୍ଦ୍ଦେଶନାମା ପାଳନ ଉପରେ ପୁଣି ପ୍ରଶ୍ନ ଉଠିଛି।
ଅଭିଯୋଗ ମୁତାବକ, ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଛି ଏକ ମୂଲ୍ୟବାନ ଜମି। ଏ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ। ୨୦୦୫ରୁ ହର୍ଷଙ୍କ ମୃତ୍ୟୁ ହୋଇସାରିଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ରେ ତାଙ୍କ ନାଁରେ ୫୦ ଡେସିମିଲ ଜମି ଚଞ୍ଚକତା କରି ବିକ୍ରି ହୋଇଛି। ଯାହାର କ୍ରେତା ହେଉଛନ୍ତି, ସ୍ଥାନୀୟ ଗୋପବନ୍ଧୁ ନଗର ଲାଲଟିକ୍ରା ଗାଁର ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟି। ଖାଲି ସେତିକି ନୁହେଁ, ହର୍ଷଙ୍କ ଅବଶିଷ୍ଟ ଦେଢ଼ ଏକର ଜମିକୁ ଫର୍ଜରି ନିଜ ନାଁରେ ପଟ୍ଟା ବି କରାଇ ନେଇଛନ୍ତି ପୃଷ୍ଟି ଦମ୍ପତ୍ତି।
ତେବେ ପ୍ରାୟ ବର୍ଷେ ପରେ ଏ ଜମି ହଡ଼ପ ସମ୍ପର୍କରେ ଜାଣିବା ପରେ ହର୍ଷଙ୍କ ପରିବାର ଲୋକେ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ। ହେଲେ ନ୍ୟାୟ ନ ପାଇବାରୁ ଶେଷରେ ଥାନାର ଆଶ୍ରୟ ନେଇଥିଲେ।
ମୃତ ହର୍ଷଙ୍କ ନାତି ବିକାଶ ଷାଣ୍ଡ ଅଭିଯୋଗ କରିଛନ୍ତି, ଆଜିକାର ଡିଜିଟାଲ ଯୁଗରେ ବିନା ବିକ୍ରେତାରେ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ହେବା ଆଶ୍ଚର୍ଯ୍ୟର କଥା। ବଲାଙ୍ଗିର ତହସିଲଦାରଙ୍କ ଜ୍ଞାତସାରରେ ପ୍ରସ୍ତୁତ ହୋଇଥିଲା ଏ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଜମିର ଅସଲି ମାଲିକ ଦିନମଜୁରିଆ ହୋଇଥିବାରୁ ପରିବାର ଲୋକଙ୍କ ଅସହାୟତାର ସୁଯୋଗ ନେଇଥିଲେ ଷଡଯନ୍ତ୍ରକାରୀ। ମୃତ ବ୍ୟକ୍ତିଙ୍କ ସ୍ଥାନରେ ତହସିଲଦାରଙ୍କ ସାମ୍ନାରେ ଛଦ୍ମ ବିକ୍ରେତା ଭାବେ ଛିଡ଼ା ହୋଇଥିଲେ ଉତ୍ତମ ନାଗ ନାମକ ଜଣେ ବ୍ୟକ୍ତି। ହର୍ଷଙ୍କ ସ୍ଥାନରେ ଉତ୍ତମଙ୍କ ଫଟୋ ଲଗାଇ ତାଙ୍କ ଦସ୍ତଖତ ବଦଳରେ ଟିପ ଚିହ୍ନ ନେଇ ପ୍ରସ୍ତୁତ ହୋଇଥିଲା ଦଲିଲ। ମାମଲାରେ ବଲାଙ୍ଗିର ସଦର ଥାନା ପୁଲିସ ପାରିପାର୍ଶ୍ୱିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ସମେତ ଜମି ଦଲାଲ ସିଣ୍ଡିକେଟରେ ସାମିଲ ଥିବା ମୋଟ ୯ ଜଣଙ୍କ ବିରୋଧରେ ୪୨୦ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଛି।
ସେପଟେ ଅଭିଯୁକ୍ତ ତହସିଲଦାରଙ୍କୁ ଘଟଣା ସମ୍ପର୍କରେ ପଚାରିଲେ, ସେ ସ୍ପଷ୍ଟ ଉତ୍ତର ରଖୁନାହାନ୍ତି। ମାମଲାର ତଦନ୍ତ ଚାଲିଥିବା କହି ଜିଲ୍ଲାପାଳ କିମ୍ବା ଏସପି ମୁହଁ ଖୋଲିନାହାନ୍ତି। ଯାହାକୁ ନେଇ ପ୍ରଶାସନିକ କାର୍ଯ୍ୟକଳାପ ଓ ପ୍ରଶାସନିକ କଳ ଉପରେ ଲୋକଙ୍କ ଭରସା ତୁଟୁଥିବା ଅନୁଭୂତ ହେଲାଣି।