୧୨ରୁ ଲର୍ଣ୍ଣସ୍ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ଦ ଥିବା ଲର୍ଣ୍ଣସ ଡ୍ରାଇଭିଂ ଲାଇସେନ୍ସ(ଏଲଏଲ) ସେବାକୁ ପୁଣିଥରେ ଆରମ୍ଭ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ନୂଆ ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନ କରାଯାଇ ପାରିବ ନାହିଁ ଓ ପରବର୍ତ୍ତୀ ସମୟରେ ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ପରିବହନ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, କରୋନା ମହାମାରୀ […]

driving-license

Tapas Behera
  • Published: Thursday, 05 November 2020
  • , Updated: 05 November 2020, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ଦ ଥିବା ଲର୍ଣ୍ଣସ ଡ୍ରାଇଭିଂ ଲାଇସେନ୍ସ(ଏଲଏଲ) ସେବାକୁ ପୁଣିଥରେ ଆରମ୍ଭ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ନୂଆ ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନ କରାଯାଇ ପାରିବ ନାହିଁ ଓ ପରବର୍ତ୍ତୀ ସମୟରେ ଏନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ପରିବହନ ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି।

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, କରୋନା ମହାମାରୀ ପାଇଁ ମାର୍ଚ୍ଚ ୧୮ରୁ ବନ୍ଦ ଥିବା ଲର୍ଣ୍ଣସ ଲାଇସେନ୍ସ ପରୀକ୍ଷା ନିମନ୍ତେ ସ୍ଲଟ ବୁକିଂକୁ ନଭେମ୍ବର ୧୨ତାରିଖ ଦିନ ୧୧ଟାରୁ ଆରମ୍ଭ କରାଯିବ। ଏହାସହିତ ଲର୍ଣ୍ଣସ ଲାଇସେନ୍ସ ପାଇଁ ଟେଷ୍ଟ ଦେବା କାର୍ଯ୍ୟ ନଭେମ୍ବର ୧୬ତାରିଖରୁ ଆରମ୍ଭ ହେବ। ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ୍ ପାଇଁ ଫି’ ଦେଇଥିବା ଆବେଦନକାରୀଙ୍କୁ ଆଉ ଫି’ ଦେବାକୁ ପଡ଼ିବ ନାହିଁ। ଆବେଦନକାରୀମାନେ ଚାହିଁଲେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ମଧ୍ୟରେ ନିଜ ପସନ୍ଦର ସମୟରେ ସ୍ଲଟ୍ ବୁକିଂ କରିପାରିବେ। କେବଳ ଯେଉଁମାନେ ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ହିଁ ଏହି ସ୍ଲଟ ବୁକିଂ ନିମନ୍ତେ ଅନୁମତି ମିଳିବ।

ସେହପରି ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ ଦେବାକୁ ଆସୁଥିବା ଆବେଦନକାରୀ ସେମାନଙ୍କର ସ୍ଲଟ୍ ସମୟର ସର୍ବାଧିକ ୪୫ମିନିଟ୍ ପୂର୍ବରୁ ଅଫିସକୁ ଆସିବେ। ତା’ପୂର୍ବରୁ କୌଣସି ଆବେଦନକାରୀଙ୍କୁ ଅଫିସ୍ ପରିସରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଆବେଦନକାରୀଙ୍କୁ କୋଭିଡ୍ ଗାଇଡଲାଇନ ପାଳନ କରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ପଡ଼ିବ। କୋଭିଡ୍ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ।  ଲର୍ଣ୍ଣସ ଲାଇସେନ୍ସ ଟେଷ୍ଟ ପାଇଁ ଆସୁଥିବା ଆବେଦନକାରୀଙ୍କୁ ୨୦ଟି ପ୍ରଶ୍ନ ପଚରାଯିବ ଓ ସେଥିରୁ ସେ ୧୨ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବା ଜରୁରୀ। ପ୍ରତ୍ୟେକ ସ୍ଲଟର ଅବଧି ମାତ୍ର ୧୫ମିନିଟ୍ ରହିବ,ଯେଉଁଥିରେ ଟେଷ୍ଟ ସମୟ ମାତ୍ର ୧୦ମିନିଟ୍ ବୋଲି ପରିବହନ ପ୍ରାଧିକରଣଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Related story