ମନ୍ତ୍ରୀଙ୍କୁ ବଂଚାଇବାକୁ ଶାସକ ଦଳର ମୁଖପାତ୍ର ସାଜିଛନ୍ତି ପୁଲିସ ଡିଜି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ବିଜେପି ଆଜି ରାଜ୍ୟ ପୁଲିସ ଡିଜିଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ସହ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସେ ଶାସକ ଦଳର ମୁଖପାତ୍ର ସାଜିଛନ୍ତି ବୋଲି ଅଭିଯୋଗ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜିଙ୍କ ଦ୍ୱାରା ପରୀ ମାମଲାରେ ଜାରି ପ୍ରେସ ରିଲିଜକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଗତକାଲି ପୁଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା […]

lekhashree

Tapas Behera
  • Published: Saturday, 19 December 2020
  • , Updated: 19 December 2020, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ବିଜେପି ଆଜି ରାଜ୍ୟ ପୁଲିସ ଡିଜିଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ସହ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ସେ ଶାସକ ଦଳର ମୁଖପାତ୍ର ସାଜିଛନ୍ତି ବୋଲି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜିଙ୍କ ଦ୍ୱାରା ପରୀ ମାମଲାରେ ଜାରି ପ୍ରେସ ରିଲିଜକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଗତକାଲି ପୁଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟର ବୋଲି କହିଛନ୍ତି। ମାତ୍ର ଏହା ସଂପୂର୍ଣ୍ଣ ମିଥ୍ୟା। ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ବାବୁଲା ନାୟକକୁ ଘଂଟ ଘୋଡ଼ାଇବା ଓ ସୁରକ୍ଷା ଦେବା ପାଇଁ ପୁଲିସ ବିଭାଗକୁ ବ୍ୟବହାର କରାଯାଉଛି। ପୁଲିସ ଡିଜି ଶାସକ ଦଳର ମୁଖପାତ୍ର ସାଜି ମୁଖ୍ୟ ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଇବାର ପ୍ରୟାସ କରୁଛନ୍ତି, ନହେଲେ ଏଭଳି ଅସତ୍ୟ ପ୍ରେସ୍ ରିଲିଜ୍ କେବେ କେହି ଦିଏ ନାହିଁ। ବନ୍ଦ ଲପାଫାରେ ସିଲ୍ ହୋଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କିଭଳି ସର୍ବସାଧାରଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଛନ୍ତି ଯେ,  ପରୀର ହତ୍ୟାକାଣ୍ଡ ଓଡ଼ିଶାର ଜନମାନସକୁ ବିଚଳିତ କରିଛି। ଚୋରା ଅଙ୍ଗ ଚୋରାଚାଲାଣର ସଂଗୀନ ଅଭିଯୋଗ ଆସିବା ପରେ ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡର ତଦନ୍ତ, ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ବିଜେପି ମୁଳରୁ ଦାବି କରି ଆସୁଛି। ମନ୍ତ୍ରୀ ପଦରେ ଥାଇ ଅରୁଣ ସାହୁ ତଦନ୍ତ ପ୍ରକ୍ରିୟାକୁ ବାଟମାରଣା କରିବାର ଆଶଙ୍କା ଥିବା କଥା ବିଧାନସଭା ଭିତରେ ଓ ବାହାରେ ବିଜେପି ଦାବି କରିଆସୁଛି। ଅନ୍ୟପଟେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ବିଚାରପତିଙ୍କ ତ୍ୱତ୍ତାବଧାନରେ ଏସଆଇଟି ଗଠନ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରିବେ ବୋଲି କହିଥିଲେ। ମାତ୍ର ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍ ନା କୈାଣସି ହାଇକୋର୍ଟ ଜଜ୍‌ଙ୍କ ଦ୍ୱାରା ତତ୍ୱବଧାନରେ ହେଉଛି ନା ରାଜ୍ୟ ସରକାର ଏ ସଂପର୍କରେ କୈାଣସି ମନ୍ତବ୍ୟ ଦେଇଛନ୍ତି। ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବର୍ତ୍ତମାନ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ହୋଇଥିବା କାରଣରୁ ତାଙ୍କ ଯୋଗ୍ୟତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଜୋର ଜବରଦସ୍ତ ଭାବେ ଏସଆଇଟିକୁ କୋର୍ଟ ମନିଟରିଂ ବୋଲି କହି କେବଳ ମିଛ କହୁଛନ୍ତି ବୋଲି ରାଜ୍ୟ ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସଆଇଟି ମୁଖ୍ୟ ସେହି ଯୁବକକୁ ଜୋର ଜବରଦସ୍ତି ଭାବେ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଟଙ୍କା ଲାଂଚ ଯାଚିଥିବାର ପ୍ରକାଶ ପାଇଛି। ଏପରିକି ଦୋଷ ସ୍ୱୀକାର କଲେ ତାକୁ ନାବାଳକ ଦର୍ଶାଇ ଖସାଇ ଦିଆଯିବ ବୋଲି ଏସଆଇଟି ମୁଖ୍ୟ କହିଥିବାର ପ୍ରକାଶ ପାଇଛି। ଏଭଳି ସଙ୍ଗୀନ୍ ଅଭିଯୋଗ ଆସିବାପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ବି ଏହି ପ୍ରସଙ୍ଗରେ ନିଜେ ଜଣେ ପକ୍ଷ ହୋଇଗଲେ। ତେଣୁ ଯିଏ ଏହି କେସରେ ଜଣେ ପାର୍ଟି ସେ ଏହି କେସକୁ ତଦନ୍ତ କରିପାରିବ ନାହିଁ। ମାନ୍ୟତା ନଥିବା ଏସଆଇଟି ଯେଉଁଭଳି ଭାବରେ ଗିରଫ କରି ତଦନ୍ତକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିଗରେ ନେବା ପାଇଁ ଚେଷ୍ଟା କରୁଛି ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅତି ହୀନ କଥା। ପରୀର କପଡାରୁ ଡିଏନଏ ପରୀକ୍ଷା ଜରିଆରେ ଯଦି ହତ୍ୟାକାରୀକୁ ଗିରଫ କରିବାରେ ଏସଆଇଟି ଟିମ୍ ସଫଳ ହେଲା, ତାହେଲେ ଦୀର୍ଘ ୫ ମାସରୁ ଉର୍ଦ୍ଧ ଧରି ନୟାଗଡ ଜିଲ୍ଲା ପୋଲିସ, ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର କାହିଁକି ବାହାର କରିପାରିଲେ ନାହିଁ  ବୋଲି ଲେଖାଶ୍ରୀ କହିଛନ୍ତି। ସେ ନୟାଗଡ଼ ଏସପିଙ୍କ ବହିଷ୍କାର ଦାବି କରିବା ସହ ଏସଆଇଟିକୁ ନେଇ ମିଛ ତଥ୍ୟ ଦେଇଥିବାରୁ ପୁଲିସ ଡିଜି ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।

Related story