ଲଗାଣ ବର୍ଷା ବଢ଼ାଇଛି ଦୁର୍ଦ୍ଦଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ବେହାଲ ନୟାଗଡ଼। ବର୍ଷା ଯୋଗୁଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି। ଲୁଣିଝରା ନଦୀ ଏବଂ ଓଡ଼ଗାଁ ବ୍ଳକର କୁସୁମି ନଦୀର ବନ୍ୟା ପାଣି ଆସିବା ଫଳରେ ଗାଁ ଭିତରେ ପଶିଛି ପାଣି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବିଶେଷ କରି ବୋଦାପଦା, ଯଦୁପୁର, ରାଉତରାପୁର, ଗୋବିନ୍ଦପୁର ଏବଂ ହରିପୁର ଭଳି […]

water-1

water-1

Niranjan Mishra
  • Published: Sunday, 17 July 2022
  • Updated: 17 July 2022, 06:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ବେହାଲ ନୟାଗଡ଼। ବର୍ଷା ଯୋଗୁଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସ୍ଥିତି। ଲୁଣିଝରା ନଦୀ ଏବଂ ଓଡ଼ଗାଁ ବ୍ଳକର କୁସୁମି ନଦୀର ବନ୍ୟା ପାଣି ଆସିବା ଫଳରେ ଗାଁ ଭିତରେ ପଶିଛି ପାଣି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବିଶେଷ କରି ବୋଦାପଦା, ଯଦୁପୁର, ରାଉତରାପୁର, ଗୋବିନ୍ଦପୁର ଏବଂ ହରିପୁର ଭଳି ଅନେକ ଗାଁରେ ସ୍ଥିତି ସଙ୍ଗୀନ ହୋଇଛି।

ଲୁଣାଝର ନଦୀ ବେଳକୁ ବେଳ ଫୁଲୁଥିବାରୁ ଆହୁରି ଅନେକ ଗାଁକୁ ପାଣି ମାଡ଼ିବା ଆଶଙ୍କା କରାଯାଉଛି। ସେହିପରି ନୟାଗଡ଼ ଦେବୋତ୍ତର କଲୋନୀ ଶ୍ରୀହରି ବିହାରରେ ବି ପଶିଛି ପାଣି। ରାସ୍ତାଘାଟ, ଘରଦ୍ୱାର ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ଏପଟେ କୁସୁମୀ ନଦୀରେ ଜଳସ୍ତର ବଢ଼ିବା ପରେ ଓଡ଼ଗାଁ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ କୁସୁମୀ ନଦୀରେ ବନ୍ୟା ଜଳ ଆସି କୁରାଳ ଗୋଡିପଲ୍ଲୀ ରାସ୍ତା ଉପରେ ପହଞ୍ଚିଛି। ଏହି ରାସ୍ତା ଉପରେ ୩ ଫୁଟ୍‌ର ବନ୍ୟା ପାଣି ଚାଲୁଛି। ଫଳରେ ଯାତାୟାତ ବନ୍ଦ ରହିବା ସହ ୨୦ଟି ଗାଁ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି।

ମାଲକାନଗିରିର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ସୁଧୁରୁଛି। ଗତକାଲିଠାରୁ ଆଜି ପାଣି ସାମାନ୍ୟ କମିଛି। ତେବେ ବନ୍ୟା ପାଣିରେ ଥିବା ଗାଁ ମାନଙ୍କରୁ ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ  ସ୍ଥାନାନ୍ତର କରାଯାଇଛି।

ଏପଟେ ବଲାଙ୍ଗିର କଦମ୍ବପଡାରେ ଥିବା ଭୂତଳ ପୋଲରେ ଅଣ୍ଟାଏ ଉଚ୍ଚର ପାଣି ଜମିବା ଫଳରେ ସେ ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଛି। ବଲାଙ୍ଗିର ମ୍ୟୁନିସିପାଲିଟି ଅଫିସ୍, ଆରପିଏଫ ଅଫିସରେ ପାଣି ପଶି ଯାଇଛି।

ଫୁଲବାଣୀର ବିଭିନ୍ନ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ପ୍ରବାହିତ ହେଉଛି। ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀଖଣ୍ଡି ସାହିରୁ ଡାକପାଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ପ୍ରକୃତି ବିହାର, ମୁଖ୍ୟ ବଜାର, ମ୍ୟୁନିସପାଲିଟି ରୋଡ଼ରେ ବର୍ଷା ପାଣି ଜମି ରହିଛି।

ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରେ ଲଗାଣ ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ବେଗୁନିଆପଡ଼ା ବ୍ଲକର ୨୩ ପଞ୍ଚାୟତ ଜଳମଗ୍ନ ହୋଇଛି। ୫ ହଜାର ହେକ୍ଟର ଚାଷଜମିରେ ୬ ଫୁଟର ପାଣି ପ୍ରବାହିତ ହେଉଛି। ଚାଷ ନଷ୍ଟ ହେବା ଯୋଗୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପାଣି ଘେରରେ ୮ଟି ଗାଁର ଲୋକେ ରହିଛନ୍ତି। ଯାତାୟାତ ବାଧାପ୍ରାପ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos