କେନ୍ଦୁଝର(ପ୍ରଣୟ କୁମାର ପାଣି): ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଗ୍ରାମବାସୀ। ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ସ୍ଥାନୀୟ ଲୋକେ କମ୍ପାନୀ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କର ଆଶାଥିଲା ଗାଁରେ କାରଖାନା ହେଲେ ଗାଁର ବିକାଶ ହେବା ସହ ସ୍ଥାନୀୟ ଲୋକମାନେ କର୍ମ ନିଯୁକ୍ତି ପାଇବେ। ଦାଦନ ଖଟିବାକୁ କେହି ବାହାରକୁ ଯିବେ ନାହିଁ। ଏହି ଆଶା ରଖି ସରକାରଙ୍କ ନିସ୍ପତିକୁ ସ୍ୱାଗତ ଜଣାଇ ଗାଁରେ କାରଖାନା ପ୍ରତିଷ୍ଟା ପାଇଁ ସହଯୋଗର ହାତ ବଢାଇଥିଲେ ଗ୍ରାମବାସୀ। ଏମିତିକି ଶାଗ ମାଛ ଦରରେ ନିଜର ଭିଟା ମାଟିକୁ ଟେକି ଦେଇଥିଲେ କମ୍ପାନୀ ହାତରେ।
୨୦୦୬ ମସିହାରେ ସରକାରୀ ନୋଟିସ ପାଇ ଲୋକମାନେ କାନ୍ଧକୁ କାନ୍ଧ ମିଳାଇ ତିଆରି କଲେ କାରଖାନା। କାରଖାନା କାଯ୍ୟକ୍ଷମ ହେଲା। ହେଲେ ଆଉ ସ୍ଥାନୀୟ ଲୋକଙ୍କୁ ମିଳିଲା ନାହିଁ କୌଣସି ସୁବିଧା। ପ୍ରତିଷ୍ଠା ବେଳେ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଗଲା କାରଖାନା। ଫଳରେ ଲୋକମାନେ ନିଜର ହକ ପାଇଁ ଆନ୍ଦୋଳନ କଲେ। ହେଲେ କିଛି ସୁଫଳ ମିଳିଲା ନାହିଁ। ଜାଗା ନେଲା ହରି ମେସିନ ନାମକ ଏକ ସଂସ୍ଥା। ସେ କିଛି ଦିନ ଚଲାଇବା ପରେ ତାକୁ ବିକିଦେଲା ପ୍ରୋ ମିନେରାଲକୁ। ସେ ମଧ୍ୟ ଲୋକଙ୍କୁ ସମାନ ପ୍ରତିଶ୍ରୁତି ଦେଇ କିଛି ଲୋକଙ୍କୁ ଠିକା ଶ୍ରମିକଭାବେ କାମ ଦେଲା । ହେଲେ କାରଖାନା କ୍ଷତିରେ ଚାଲୁଥିବା ଆଳ ଦେଖାଇ ସେମାନଙ୍କୁ ବାହାର କରାଗଲା।
ଏପଟେ ବାହାରୁ ଲୋକଆଣି କାମ କରାଇଲା। ଯାହାକୁ ନେଇ ପୁଣି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହେଲେ ଗ୍ରାମବାସୀଙ୍କ କଥାକୁ ନ ଶୁଣି ଏବେ ପ୍ରୋ ମିନେରାଲ ଏହାକୁ ଆଦିତ୍ୟ ବିର୍ଲ୍ଲାକୁ ବିକ୍ରି କରିଦେଲା। ଫଳରେ ପୁଣି ସେହି କଥା। ଉକ୍ତ କମ୍ପାନୀ ମଧ୍ୟ ଗ୍ରାମବାସୀଙ୍କ ଦୁଃଖ ଶୁଣିଲା ନାହିଁ। ଫଳରେ ବାଧ୍ୟ ହୋଇ ନିଜର ହକ ପାଇଁ ଲୋକମାନେ ଧାରଣାରେ ବସିଛନ୍ତି । ଏ ପଟେ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ମଧ୍ୟ ନିଜର ହାତ ଝାଡି ଦେଲା। ଓଲଟି କମ୍ପାନୀର ହାତ ବାରିସି ସାଜି ଲୋକଙ୍କୁ ଧମକ ଚମକ ଦେଇ ମିଥ୍ୟା କେଶରେ ଗିରଫ କଲା। ଲୋକମାନେ ସରକାରଙ୍କୁ ନିଜର ଗୁହାରି ଶୁଣାଇ ଶୁଣାଇ ଥକି ଗଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଗ୍ରାମବାସୀ ଧାରଣାରେ ବସିଛନ୍ତି।